ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁ ବନ୍ୟାସ୍ଥିତି, ଲଗାଣ ବର୍ଷାରେ ପୋଲ ଉପରେ ପାଣି ପ୍ରବାହିତ

1 min read

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି । ଲଗାତାର ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢ଼ିବାର ଲାଗିଛି । କୋରୁକୋଣ୍ଡା ବ୍ଲକର ତର୍ଲାକୋଟା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଲିମେଳା ଓ ପଡିଆ ବ୍ଲକର କେତେକ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି । ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, MV 96, କକରକୋଣ୍ଡା ଏବଂ କନ୍ୟାଶ୍ରମ ସହ ସମସ୍ତ ପୋଲ ଉପରେ ୨ ରୁ ୩ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି ।

ମାଲକାନଗିରି ସହିତ କାଲିମେଳା ବ୍ଲକର କାଲିମେଳା, ଏମଭି ୭୯ ଓ ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । ଅନ୍ୟପଟେ କାଲିମେଳା ବ୍ଲକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହଡ଼ି ମାରୁଛି । ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଳସ୍ତର ବଢ଼ିଥିବା ନଦୀର ଦୁଇ ପାର୍ଶ୍ଵରେ ପୋଲିସ ମୁତୟନ ହୋଇଛନ୍ତି ।