spot_img
Home Blog Page 3176

ଶ୍ରୀଗୁଣ୍ଡିଚାରେ ଲାଗିଲା ତିନି ରଥ ; ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣି ନେଲେ ହଜାର ହଜାର ଭକ୍ତ

ପୁରୀ :  ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ । ଗତକାଲି ଶରଧାବାଲିରେ ତାଳଧ୍ବଜ ରଥ ଲାଗିଥିବା ବେଳେ, ଆଜି ପହଞ୍ଚିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅଧାବାଟରେ ରହିଥିଲା ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆଜି ସକାଳୁ ସମସ୍ତ ନୀତିକାନ୍ତି ପରେ ପୁଣି ଆରମ୍ଭ ହୋଇଥିଲା ରଥଟଣା ।

ହରିବୋଲ ଓ ଘଣ୍ଟ ଘଣ୍ଟା ମାଡ଼ରେ କମ୍ପୁଛି ଗୁଣ୍ଡିଚା ମନ୍ଦିର ପରିସର । ଆଜି ରଥରେ ନୀତିକାନ୍ତି କରାଯିବ । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ଗତକାଲି ସଂଧ୍ୟା ହୋଇଯିବାରୁ ଦେବ ଦଳନ ରଥ ଗୁଣ୍ଡିଚାମନ୍ଦିର ଓ ବଡ଼ଶଙ୍ଖ ମଧ୍ୟଭାଗରେ ଅଟକିଥିଲା । ସେହିଭଳି ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ନନ୍ଦିଘୋଷ ରଥ ।

ଭୟଙ୍କର ହେଉଛି ପାକିସ୍ତାନର ଆର୍ଥିକ ସ୍ଥିତି; ୟୁଏଇକୁ ଭଡାରେ ଦେବେ କରାଚି ବନ୍ଦର

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଭୟଙ୍କର ହେବାରେ ଲାଗିଛି । ଏଥିରୁ ମୁକ୍ତି ପାଇଁ କରାଚି ବନ୍ଦରକୁ ଭଡାସୁତ୍ରରେ ୟୁଏଇକୁ ଦେବେ ପାକିସ୍ତାନ ସରକାର । ଏଥିରୁ ଯାହା ଅର୍ଥ ମିଳିବ ତାକୁ ଆଇଏମଏଫକୁ ଦେଇ ଋଣ ପରିଶୋଧ କରିବେ ବୋଲି ଜଣାପଡିଛି । ପାକିସ୍ତାନ ଅର୍ଥମନ୍ତ୍ରୀ ଇସାକ ଦାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ୟୁଏଇକୁ ପୋର୍ଟ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏପଟେ ବିଭିନ୍ନ ଦେଶର ରାଷ୍ଟ୍ରଦୁତଙ୍କ ସହ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଆଇଏମଏଫରୁ ଋଣ ଆଣିବା ନେଇ ଅନ୍ୟ ଦେଶର ସମର୍ଥନ ଲୋଡିଛନ୍ତି । ପୂର୍ବରୁ ଆଇଏମଏଫ ଧାର୍ଯ୍ୟ କରିଥିବା ୬.୫ ବିଲିଅନ ଡଲାରର ଋଣକୁ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ତୁରନ୍ତ ପାଇବା ପାଇଁ ପ୍ରୟାସ କରୁଛନ୍ତି । ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବାରୁ ଆଇଏମଏଫରୁ ଋଣ ଆଣି ସୁଧାରିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନ ସରକାର । ଦରବୃଦ୍ଧି ନିୟନ୍ତ୍ରଣ ସହ ଖାଦ୍ୟ ସାମଗ୍ରୀର ଅଭାବକୁ ପୂରଣ କରିବାକୁ ଫୋକସରେ ରଖିଛନ୍ତି ସରକାର ।

ତାତିରୁ ମିଳିବ ତ୍ରାହି : ଦିନେ କି ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର :  ଦିନେ କି ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅନେକ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ହୋଇଛି , ଏହା ସହ ମେଘୁଆ ପାଗ ବି ରହୁଛି ।

ଗତ ଦୁଇ ତିନି ଦିନ ଭିତରେ କିଛି ଜିଲ୍ଲାରେ ବର୍ଷାର ମାତ୍ରା ବୃଦ୍ଧି ପାଇଛି । ବର୍ତ୍ତମାନ ବାୟୁର ଯେଉଁ ଚଳାଚଳ ରହିବା କଥା ମୌସୁମୀ ଆଗମାନ ପାଇଁ, ତାହା ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଛି । ବିଶେଷ କରି ଦକ୍ଷିଣପଶ୍ଚିମ ଦିଗରୁ ବାୟୁ ପ୍ରଭାହିତ ହେଉଛି । ଆଗାମୀ ଦୁଇ ଦିନରେ ଏହାର ପରିମାଣ ବଢିବାର ଆକଳନ କରାଯାଉଛି । ଯାହା ମୌସୁମୀ ଆଗମାନ ପାଇଁ ଅନୁକୂଳ ବୋଲି ସୂଚନା ରହିଛି ।

ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ । ଗତକାଲି ମଧ୍ୟ କୋରାପୁଟ ଓ ନବରଙ୍ଗପୁରର କିଛି ଅଂଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଆଜି ସକାଳ ୮.୩୦ ସୁଦ୍ଧା ୮୩ ପ୍ରତିଶତ ଆଦ୍ରତା ରହିଥିଲା । ଏହା ସହିତ  ହିଟୱେଭ ସ୍ଥିତି ନଥିବା ବେଳେ, ଜୁନ ୨୨ରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ । ୨୨ ପରେ ୨୩ ଓ ୨୪ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ତାପମାତ୍ରା ରହିବ । ହେଲେ ହିଟୱେଭ ରହିବନି । ଚଳିତ ବର୍ଷ ଜୁନରେ ନିଅଣ୍ଟିଆ ବର୍ଷା ହିଟୱେଭ ଆକଳନ ହୋଇଥିଲା । ତେଣୁ ବର୍ଷା ପରିମାଣ କମ ଅଛି ଜୁନରେ । ଯେହେତୁ କେରଳକୁ ବିଳମ୍ବରେ ଛୁଇଁଲା ମୌସୁମୀ, ତେଣୁ ଓଡ଼ିଶାରେ ବି ବିଳମ୍ବ ହୋଇଛି । ତେଣୁ ବର୍ଷାର ପ୍ରଭାବ କମିବ । ଜୁନରେ ୨୦୦ମିଳିମିଟର ବର୍ଷା ରେକର୍ଡ ହେବା କଥା । ହେଲେ ଜୁନ ୧୯ ସୁଦ୍ଧା ୮୦ % କମ୍ ବର୍ଷା ରହିଛି । ଆଗକୁ ବର୍ଷା ହେଲେ, ଏହାର ପରିମାଣ ଯଥେଷ୍ଟ ବଢିବାର ଅନୁମାନ କରାଯାଉଛି ।

ଖରାଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ : କିଛି ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ଖୋଲିବ ସ୍କୁଲ । ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ଣ ପ୍ରବାହ ସ୍ଥିତି ଦେଖି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ, ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍କୁଲ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା । ନିଷ୍ପତ୍ତି ଅନୁସାରେ ବରଗଡ଼ ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବ । ସେହିପରି ସୁନ୍ଦରଗଡ଼ରେ ୨୩ରୁ ୨୫, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ଚାଲିବ । ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ । ପରେ ସ୍ବାଭାବିକ ଖୋଲିବ ସ୍କୁଲ ।

ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ, ଏଥରର ଥିମ ବସୁଧୈବ କୁଟୁମ୍ବକମ୍

ନୂଆଦିଲ୍ଲୀ :  ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଦେହ ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ ରହିଛି ବସୁଧୈବ କୁଟୁମ୍ବକମ୍‌ ।

ଓଡ଼ିଶାରେ ବି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ ।

କରୋନା ଟିକା ନେବା ପରେ ଦେଶରେ ବଢ଼ୁଛି କି ହୃଦଘାତ ଜନିତ ମୃତ୍ୟୁସଂଖ୍ୟା? ଲିଙ୍କ୍ ଖୋଜୁଛି ଆଇସିଏମଆର

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଭାଇରସରୁ ରକ୍ଷା ପାଇଁ ଲୋକେ ନେଇଥିବା ଟିକା ସାଜିଲା କି ମୃତ୍ୟୁର କାରଣ ? ଏହାର କାରଣ ଖୋଜୁଛି ଆଇସିଏମଆର । ସାରା ଦେଶରେ ଏଭଳି ଅଭିଯୋଗ ପରେ ଏକ ଷ୍ଟଡ଼ି କରୁଛି ଆଇସିଏମଆର । ଯାହାର ରିପୋର୍ଟ ଆସନ୍ତା ଜୁଲାଇରେ ପ୍ରକାଶ ପାଇବ । ଏହି ଷ୍ଟଡ଼ିରେ ଯୁବଗୋଷ୍ଠୀ ନେଉଥିବା ଟିକା ଏବଂ ହୃଦଘାତ ମଧ୍ୟରେ ହେଉଥିବା କ୍ରିୟା ଓ ପ୍ରତିକ୍ରିୟାକୁ ବୁଝିବା ପାଇଁ ଚେଷ୍ଟା କରୁଛି ଆଇସିଏମଆର । ବିଶେଷ କରି ତିନୋଟି କ୍ଷେତ୍ର ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ପ୍ରଥମଟି ହେଲା ଟିକାକରଣ ପରେ ଲୋକଙ୍କ ମୃତ୍ୟୁ ପ୍ରାକୃତିକ ଢଙ୍ଗରେ ହୋଇଛି କି ।

ଦ୍ବିତୀୟରେ କୋଭିଡ ଟିକା ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କି । ମୃତ୍ୟୁ ହୋଇଥିବା ଲୋକ କୋଭିଡ ଆକ୍ରାନ୍ତ ହୋଇ ଗମ୍ଭୀର ସ୍ଥିତିରେ ଥିଲା କି । ଏଭଳି ତିନୋଟି ପ୍ରଶ୍ନର ଏବେ ଉତ୍ତର ଖୋଜୁଛି ଆଇସିଏମଆର । ଏଭଳି ଗବେଷଣା ପାଇଁ ୪୦ଟି ହସ୍ପିଟାଲର କ୍ଲିନିକାଲ ରେଜିଷ୍ଟ୍ରେସନର ସାମ୍ପଲ ସଂଗ୍ରହ କରାଯାଇଛି । ରୋଗୀଙ୍କ ଡାଟା ଏମ୍ସରୁ ମଧ୍ୟ ନିଆଯାଇଛି । ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟିୟ ମଧ୍ୟ କରୋନା ଟିକା ନେବା ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି ବୋଲି ସ୍ବିକାର କରିଥିଲେ । ଏନେଇ ହେଉଥିବା ଗବେଷଣାର ଫଳାଫଳ ଆସନ୍ତା ଜୁଲାଇରେ ସାର୍ବଜନୀନ କରାଯିବ ।

ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର, ଏଣିକି ସବୁ ଟ୍ରକରେ ରହିବ ଏସି କ୍ୟାବିନ

ନନ୍ଦିଘୋଷ ବ୍ୟୁରୋ: ଆଉ ଟେନସନ ଦେବନି ମୁଣ୍ଡଫଟା ତାତି । ଆରାମ ଦାୟକ ହେବ ଟ୍ରକରେ ଲମ୍ବା ଯାତ୍ରା । ଡ୍ରାଇଭର ଓ ହେଲପରଙ୍କ ପାଇଁ ଟ୍ରକରେ ଲାଗିବ ଏସି । ୨୦୨୫ରୁ ଦେଶର ସବୁ ଟ୍ରକରେ ରହିବ ଏସି କ୍ୟାବିନ୍ । ଏସି ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ଏହାକୁ ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ସ୍ଵାଗତ କରାଯାଇଛି । ଏହା ଦ୍ବାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ବସ୍ତି ମିଳିବ । ଦୁର୍ଘଟଣା ବି କମିବ । ଏଥିସହ ଟ୍ରକ ଡ୍ରାଇଭରମାନେ ନ୍ୟାସନାଲ ହାଇଓ୍ବେରେ କିପରି ବିଶ୍ରାମ ନେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଟ୍ରକ୍ ଚାଳକ ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଡ୍ରାଇଭିଂ ସିଟରେ ବିତାଇଥାନ୍ତି । ଖରା ହେଉ କି ବର୍ଷା । ଟ୍ରକ୍ ଚାଳକଙ୍କ ଅଧିକାଂଶ ସମୟ ଟ୍ରକରେ ହିଁ ବିତିଥାଏ ।

ବିଶ୍ରାମ ନେବା ପାଇଁ ମଧ୍ୟ ସେମାନଙ୍କ ପାଖରେ କୌଣସି ବାଟ ନଥାଏ । ପ୍ରବଳ ଖରାରେ ରାସ୍ତାରେ ଗାଡ଼ି ରଖି ଅନେକ ସମୟରେ ଗଛ ମୂଳରେ ବିଶ୍ରାମ ନେଉଥିବା ମଧ୍ୟ ଦେଖିବାକୁ ମିଳେ । ସାରା ଦେଶରେ ଏଭଳି ସମସ୍ୟା ଯୋଗୁଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଟ୍ରକ ଡ୍ରାଇଭରଙ୍କୁ ଆଶ୍ବସ୍ତି ଦେବ । ଏହାକୁ ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ସ୍ଵାଗତ କରାଯାଇଛି । ୨୦୨୫ରୁ ବଜାରରେ ଉପଲବ୍ଧ ହେବାକୁ ଥିବା ସବୁ ଟ୍ରକ୍ ରହିବ ଏସି କ୍ୟାବିନ । ଏହା ଦ୍ବାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ବସ୍ତି ମିଳିବ । ଦୁର୍ଘଟଣା ବି କମିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

୨୦୧୬ରେ ପରିବହନ ମନ୍ତ୍ରାଳୟ ପ୍ରଥମଥର ପାଇଁ ଏହି ପ୍ରସ୍ତାବ ଦେଇଥିଲା । ନିତିନ୍ ଗଡକରୀ କହିଥିଲେ, ଅନ୍ୟ ଦେଶରେ ଟ୍ରକ୍ ଚାଳକଙ୍କ ଡ୍ୟୁଟି ସମୟସୀମା ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଆମ ଦେଶର ଟ୍ରକ୍ ଚାଳକ ପ୍ରତିଦିନ ୧୨ରୁ ୧୪ଘଣ୍ଟା ଟ୍ରକରେ ବିତାଉଛନ୍ତି । ୪୩ରୁ ୪୭ ଡିଗ୍ରୀ ଖରାରେ ବି ଗାଡି ଚଲାଇଥାନ୍ତି । ତେଣୁ ଦେଶର ଡ୍ରାଇଭରଙ୍କ କଥା ଚିନ୍ତା କରିବାର ସମୟ ଆସିଛି । ଟ୍ରକର ଦାମ ଦିନକୁ ଦିନ ବଢୁଥିବା ବେଳେ ସେଥିରେ ବିଶ୍ରାମ ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ । ଏଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ରକରେ ଏସି କ୍ୟାବିନ ଲଗେଇବା ସଡ଼କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ।

ପ୍ରତିକୂଳ ପରିସ୍ଥିତିରେ ଡ୍ରାଇଭରଙ୍କ ମାନସିକ ଶାନ୍ତି ପାଇଁ ଏହି ପଦକ୍ଷେପ ରାମ ବାଣ ଭଳି କାମ କରିବ । ଡ୍ରାଇଭର ମାନେ ଲମ୍ବା ଯାତ୍ରା କଲେ ଆଉ ଅସୁସ୍ଥ କିମ୍ବା ଦୁର୍ବଳ ଅନୁଭବ କରିବେ ନାହିଁ । ଏଥିସହ ଟ୍ରକ ଡ୍ରାଇଭରମାନେ ନ୍ୟାସନାଲ ହାଇଓ୍ବେରେ କିପରି ବିଶ୍ରାମ ନେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପିଇବା ପାଣି, ଖାଦ୍ୟ ଏବଂ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ଚିନ୍ତା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏଭଳି ୫୭୦ଟି ସେ ଟ୍ରକ ଚାଳକଙ୍କ ପାଇଁ ଆରାମ ଦାୟକ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଏକ ସଂଗଠିତ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରତି ୫୦ କିମି ବ୍ୟବଧାନରେ ଏଭଳି ବ୍ୟବସ୍ଥା କରିବା ପାଇଁ ଚିନ୍ତା କରାଯାଉଛି ।

ରାତି ହୋଇଯିବାରୁ ଅଧାରେ ଅଟକିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ, ଆସନ୍ତାକାଲି ସକାଳ ୯ଟାରେ ପୁଣି ଟଣାଯିବ ରଥ

ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ଼ଠାକୁର ବଳଭଦ୍ର । ଶରଥାବାଲିରେ ଲାଗିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ । ମା ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ପାଖରେ ଅଟକିରହିଛି । ସେହିପରି ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିରହିଛି । ରାତି ହୋଇଯିବାରୁ ରଥଟଣା ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳ ୯ ଟାରେ ପୁଣିଥରେ ଆରମ୍ଭ ହେବ ରଥଟଣା | ମା ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହେବ ।

ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ଣ ପ୍ରବାହ ସ୍ଥିତି ଦେଖି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ, ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍କୁଲ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା ।

ନିଷ୍ପତ୍ତି ଅନୁସାରେ ବରଗଡ଼ ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବ ଓ ଦୁଇଦି ସକାଳୁଆ ପାଠପଢ଼ା ହେବ । ସେହିପରି ସୁନ୍ଦରଗଡ଼ରେ ୨୩ରୁ ୨୫, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ଚାଲିବ । ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ । ପରେ ୨୬ ତାରିଖରୁ ସ୍ବାଭାବିକ ଖୋଲିବ ସ୍କୁଲ । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲିଠାରୁ ସ୍ବାଭାବିକ ଭାବେ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି ।

ଆସନ୍ତା ୨୬ ଯାଏଁ ବଢ଼ିଲା ଯୁକ୍ତ-୨ ଆଡମିଶନ୍‌ ନିମନ୍ତେ ଆବେଦନ ତାରିଖ

ଭୁବନେଶ୍ୱର: ଘୁଞ୍ଚିଲା ଯୁକ୍ତ-୨ ଆଡମିଶନ୍‌ ନିମନ୍ତେ ଆବେଦନ ତାରିଖ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମସ୍‌ ପୋର୍ଟାଲ୍‌ରେ ଆବେଦନ ତାରିଖକୁ ୨୬ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାପରେ ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ପୂର୍ବରୁ ଆବେଦନର ଶେଷ ତାରିଖ ଆଜି ଅର୍ଥାତ ୨୦ ତାରିଖ ଧାର୍ଯ୍ୟ ରହିଥିଲା । ହେଲେ ଅଭିଭାବକ, ଅଧ୍ୟକ୍ଷ ଏବ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ଅବଧିକୁ ଆଜି ବୃଦ୍ଧି କରାଯାଇଛି । ଏକାଦଶ ଶ୍ରେଣୀ ପାଇଁ ସାମସ୍ (SAMS) ପୋର୍ଟାଲ (www.samsodisha.gov.in) ଜରିଆରେ ଆବେଦନ ତାରିଖକୁ ଜୁନ ପରିବର୍ତ୍ତେ ୨୬ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ଆଡମିଶନ ଯଥାକ୍ରମେ ୩ ଜୁଲାଇରୁ ଆରମ୍ଭ ହୋଇ ୮ ଜୁଲାଇ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ଦ୍ୱିତୀୟ ମେଧା ତାଲିକା  ଜୁଲାଇ ୧୬ ତାରିଖରେ ପ୍ରକାଶ ହେବା ସହିତ ଏହାର ଆଡମିଶନ ପ୍ରକ୍ରିୟା ୧୯ ଜୁଲାଇ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ଅନଲାଇନ ସ୍ପଟ ଚୟନ ଆଡମିଶନ ପ୍ରକ୍ରିୟା ୧୭ ଜୁଲାଇରୁ ଆରମ୍ଭ କରାଯାଇ ୨୭ ଜୁଲାଇ ସୁଦ୍ଧା ସମ୍ପାଦନ କରାଯିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯ ଜୁଲାଇରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ । ଅଦ୍ୟାବଧି ସାମସ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ-୨ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି ।