ଆଞ୍ଚଳିକ ଭାଷାରେ ହୋଇପାରିବ ସିବିଏସଇ ଶିକ୍ଷାଦାନ, ୨୨ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରଣୟନ କରିବ NCERT

1 min read

ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡ଼ିକରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇପାରିବ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ଏଥିପାଇଁ ଅନୁମତି ପ୍ରଦାନ କରିଛି । ସିବିଏସଇ ଅନୁବନ୍ଧିତ ଅଧିକାଂଶ ସ୍କୁଲରେ ଏବେ ଇଂରାଜୀ ଏବଂ କିଛି ବିଷୟରେ ହିନ୍ଦୀରେ ଶିକ୍ଷାଦାନ କରାଯାଉଛି  । ନୂଆ ନିୟମ ଅନୁସାରେ ପ୍ରି- ପ୍ରାଇମେରୀ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଏବେ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟକ୍ରମ ପଢ଼ାଯାଇପାରିବ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଆଞ୍ଚଳିକ ଓ ମାତୃଭାଷାରେ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦିଆଯାଇଥିଲା । ସେହି ଅନୁସାରେ ସିବିଏସଇ ନୂଆ ନିଷ୍ପତ୍ତି ଗ୍ରହଣ କରିଛି । ଏଥିପାଇଁ ୨୨ଟି ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ନ୍ୟାସନାଲ କାଉନସିଲ ଫର୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନି୍ଂ ବା ଏନ.ସି.ଇ.ଆର.ଟିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ୨୦୨୪-୨୫ ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟ ପୁସ୍ତକ ମିଳିବ । ତେବେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ସ୍କୁଲଗୁଡ଼ିକର ଇଚ୍ଛାଧୀନ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।