ପ୍ରବଳ ବର୍ଷା ଯୋଗୁ ଫସିଲା ବସ୍‌, ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ଫସିଗଲା ବସ୍‌ । ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳ ଫୁଲିବାରେ ଲାଗିଛି । ବିଜନୌରରେ କୋଟାବାଲି ନଦୀରେ ଜଳସ୍ତର ବଢ଼ିବାରୁ ଯାତାୟତ ଠପ୍ ହୋଇଯାଇଛି । ଏହା ଭିତରେ ନଜିବାବାଦରୁ ହରିଦ୍ବାର ଯାଉଥିବା ଏକ ବସ୍ ବନ୍ୟା ଜଳରେ ଫସିଯାଇଥିବା ଦେଖିବାକୁ ମିଳିଛି । ବସଟିରେ ୪୦ ଯାତ୍ରୀ ଫସିଯାଇ ପ୍ରାଣ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରିଥିଲେ  । ଖବର ପାଇ ସ୍ଥାନୀୟ ପ୍ରଶାସନ ଜେସିବି ଲଗାଇ ଉଦ୍ଧାର କାର୍ଯ୍ୟ ଚଳାଇଛି । ବିଜନୌରରେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ଏବଂ ଏହାର ଶାଖା ନଦୀରେ ବନ୍ୟା ଆସିଛି  । ଗାଁ ଗାଁରେ ପାଣି ପଶିଯାଇଛି । ବନ୍ୟା ପ୍ରଭାବରେ ରାଜ୍ୟରେ ୧୩ ଜିଲ୍ଲାରେ ୪୬ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।