‘ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର’

1 min read

ଭୁବନେଶ୍ବର: ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆଙ୍କ ସଶକ୍ତିକରଣ ବିନା ସମାଜ, ରାଜ୍ୟ କି ଦେଶ ଆଗକୁ ଯିବା ଅସମ୍ଭବ । ତେଣୁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ଆମ ରାଜ୍ୟରେ ମାଆମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ରହିଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ସହଯୋଗୀ ଓ ଭାଗୀଦାର । ମାଆମାନେ ଏବେ ଗାଁ ଗାଁ ରେ ନେତୃତ୍ବ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ମାଆମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା ବା ବିଦ୍ୟୁତ୍ ମିଟର ରିଡିଂ, ଜଳସାଥୀ  ବା  5Tରେ ରୂପାନ୍ତରିତ ସ୍କୁଲଗୁଡ଼ିକର ତଦାରଖ କରିବା ପରି ଦାୟିତ୍ବ ନେଉଛନ୍ତି ମାଆ । ଗାଁ ପୋଖରୀରେ ମାଛଚାଷ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ  ସାରା  ରାଜ୍ୟରେ ନ୍ୟୁଟ୍ରିସନର ବାର୍ତ୍ତା ଦେଉଛି । ମାଆମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି।

ଏବେ ମାଆମାନଙ୍କ ସୁବିଧା ପାଇଁ ଆମ ସ୍କୁଟର ଯୋଜନା ଆରମ୍ଭ ହେବ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମିଶନଶକ୍ତିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ ହୋଇଛି । ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ କାମ ଆରମ୍ଭ ହୋଇଛି ବୋଲି ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।