spot_img
Home Blog Page 3165

ତ୍ରିପୁରା ମିଶ୍ରଙ୍କୁ ବାଣୀ ଚିତ୍ର ସମ୍ମାନ ପ୍ରଦାନ

ଭୁବନେଶ୍ବର: ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପ୍ରଦାନ ହେଲା ୫୫ତମ ବାଣୀ ଚିତ୍ର ସମ୍ମାନ । ଜୀବନ ବ୍ୟାପି ସାଧନା ପାଇଁ ତ୍ରିପୁରା ମିଶ୍ରଙ୍କୁ ପରୀକ୍ଷିତ ଜେନା ବାଣୀ ଚିତ୍ର ସମ୍ମାନ ପ୍ରଦାନ ଦିଆଯାଇଛି । ବିଶେଷ କରି ଅମୀୟ ପଟ୍ଟନାୟକ ପ୍ରଡକ୍ସନ ହାଉସ ଦ୍ବାରା ପ୍ରଯୋଜିତ ପ୍ରତୀକ୍ଷା, ଆର ଆର ଇଭେଣ୍ଟସ ପ୍ରଯୋଜିତ ମହାବାହୁ ଓ ଦମନ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ପ୍ରତୀକ୍ଷା । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅନୁପମ ପଟ୍ଟନାୟକ, ଶ୍ରେଷ୍ଠ କାହାଣୀ ପାଇଁ ଗୌରହରୀ ଦାସ, ଶ୍ରେଷ୍ଠ ପ୍ରଯୋଜକ ଭାବେ ଦମନ ଫିଲ୍ମ ପ୍ରଯାେଜକ ଦୀପେନ୍ଦ୍ର ସାମଲଙ୍କୁ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ଖଳନାୟକ ଭାବେ ବବି ମିଶ୍ର, ଶ୍ରେଷ୍ଠ ଅଭିନେତା ଦ୍ବିପାନ୍ବିତ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁନମ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି ।

ସେହିପରି ଶ୍ରେଷ୍ଠ ଚରିତ୍ର ଅଭିନୟ ପାଇଁ ଚୌଧୁରୀ ଜୟ ପ୍ରକାଶ ଦାସ ଓ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ଉଷଶୀ ମିଶ୍ରଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ମାସିକ ପତ୍ରିକା ବାଣୀଚିତ୍ରର ମୁଖ୍ୟ ସମ୍ପାଦକ ଭାସ୍କର ଜେନାଙ୍କ ସଂଯୋଜନାରେ ଏହି ସମ୍ମାନ ପ୍ରଦାନ ସମାରୋହ ଆୟୋଜନ କରାଯାଇଥିଲା । ବର୍ଷିଆନ ଅଭିନେତା ପ୍ରଶାନ୍ତ ନନ୍ଦ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ,ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ । ଚଳିତ ବର୍ଷ ୧୪ଜଣଙ୍କୁ ବାଣୀ ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ଜଙ୍ଗଲରୁ ଟ୍ରାପ କ୍ୟାମେରା ଚୋରି, ମହାବଳର ଗତିବିଧି ଜାଣିବା ପାଇଁ ଲାଗିଥିଲା

କେନ୍ଦୁଝର: କେନ୍ଦୁଝର ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ଟି ଟ୍ରାପ କ୍ୟାମେରା ଚୋରି । ମହାବଳର ଗତିବିଧି ଜାଣିବାକୁ ବନ ବିଭାଗ ଲଗାଇଥିବା ଟ୍ରାପ କ୍ୟାମେରା ଚୋରି କରିନେଲେ ଦୁର୍ବୃତ୍ତ । ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମୋଟ ୫୫ଟି କ୍ୟାମେରା ଲଗାଯାଇଛି । ତେବେ ସେଥିରୁ ଦୁଇଟି କ୍ୟାମେରା ଚୋରି ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି।

ବସ ଓ ପିକଅପ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ବୌଦ୍ଧ: ବସ ଓ ପିକଅପ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ବସ-ପିକଅପ ଧକ୍କା ଯୋଗୁ ଜଣେ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ବଡ଼ପଣ୍ଡା ନାମକ ଘରୋଇ ବସ୍ ଆଗରୁ ଆସୁଥିବା ପିକଅପ ସହ ଧକ୍କା ହୋଇଥିଲା। ପିକଅପର ହେଲପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ବଡ଼ ଦୁର୍ଘଟଣାରୁ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଦୁର୍ଘଟଣା ଯୋଗୁ ଦୀର୍ଘ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଜମି ରହିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ଆଜିଠୁ ବେଙ୍ଗାଳୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ

ବେଙ୍ଗାଳୁରୁ: ଆଜିଠୁ ବେଙ୍ଗାଳୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ। ଘରୋଇ ଓ ବୈଶ୍ବିକ ନିବେଶକଙ୍କ ପାଇଁ ନିବେଶକର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ରାଜ୍ୟ ସରକାର ବୟନ ପୋଷାକ ଓ ବୈଷୟିକ ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦେଇ ଆଜିଠାରୁ ବେଙ୍ଗାଳୁରୁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରତିନିଧି ବୈଠକରେ ଯୋଗଦେବେ। ଏହି ସମ୍ମିଳନୀରେ କର୍ଣ୍ଣାଟକ ଓ ଆଖପାଖ ରାଜ୍ୟର ନିବେଶକଙ୍କୁ ସାମିଲ ହେବେ।

ନିକଟରେ ଓଡ଼ିଶା ସରକାର ଓଡ଼ିଶା ଶିଳ୍ପ ସଂକଳ୍ପ ନୀତି-୨୦୨୨ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି -୨୦୨୨ ଆଣିଛନ୍ତି । ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି ।

ଜଳୁଛି ଓଡ଼ିଶା; ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି।

ଗତକାଲି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୨ତାରିଖ ଯାଏଁ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ସେପଟେ ରାଜ୍ୟକୁ ଫେରିଛି କାଳବୈଶାଖୀ। ତାତି ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି, ଫଳରେ କିଛି ଜିଲ୍ଲାରେ ବର୍ଷା ହୋଇଛି । ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ଯାଏଁ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ହୋଇଛି। ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ଫରକ୍ ପଡ଼ିବନି। ୨୩ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ତାପମାତ୍ରା କମିବ ବୋଲି ଆକଳନ କରାଯାଉଛି ।

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ। ଖୋର୍ଦ୍ଧା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଚଢ଼ାଉ ଚାଲିଛି।

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶ୍ରୀବିହାରର ଡି. ହାବିଟାଟରେ ଥିବା ଫ୍ଲାଟ ନମ୍ବର ୩୦୪, ପଟିଆର କ୍ଷେତ୍ରବାସୀ ରେସିଡେନ୍ସି ଓ କେ. ପ୍ଲାଜା, ଚନ୍ଦ୍ରଶେଖରପୁରର ହାଉସିଂ ବୋର୍ଡ ଓ ନହରକଣ୍ଟାରେ ଥିବା ପ୍ଲଟ ନମ୍ବର ୧୭୮୨ରେ ଚଢ଼ାଉ ହୋଇଛି।

ସେହିପରି ଗଞ୍ଜାମ ଭଞ୍ଜନଗରର ଭଡ଼ା ଘର ଓ କାର୍ଯ୍ୟାଳୟ ସହ ମୟୂରଭଞ୍ଜ ପାଣ୍ଡରଶିଳା ଗାଁରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ସଞ୍ଜୟ ସାହୁ ପୂର୍ବରୁ କାମାକ୍ଷାନଗରର ସହକାରୀ ଯୋଗାଣ ଅଧିକାରୀ ଥିଲେ। ଚଢ଼ାଉରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ନେଇ ଜାରି ରହିଛି ସସପେନ୍ସ

ବେଙ୍ଗାଲୁରୁ: ଛିଡୁନି କର୍ଣ୍ଣାଟକ ଗଣିତ । ସିଏମ ପଦ ନେଇ ସସପେନ୍ସ ଜାରି । କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର। ଦିଲ୍ଲୀରେ ହୋଇପାରୁନି ନିଷ୍ପତ୍ତି । ସିଦ୍ଧରମୈୟା ମୁଖ୍ୟମନ୍ତୀ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଥିବା ବେଳେ ଶିବକୁମାରଙ୍କ ପ୍ରତି ବଢୁଛି ସମର୍ଥନ ।

ତେବେ ଶିବକୁମାରଙ୍କୁ ବଡ଼ ଦାୟିତ୍ବ ଦେଇ ସନ୍ତୁଷ୍ଟ କରାଯାଇପାରେ । ଡିକେ ଶିବକୁମାର, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । ପାଖାପାଖି ୧୫ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାପରେ ପରେ ତାଙ୍କୁ ଭେଟିଛନ୍ତି ସିଦ୍ଧରମୈୟା । ଉଭୟ ନେତା ୫୦-୫୦ ଫର୍ମୁଲାରେ ରାଜି ନୁହନ୍ତି ବୋଲି କହିଛନ୍ତି । ତେବେ ଆଜି ବଡ଼ ନିଷ୍ପତ୍ତି ନେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ।

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ଯାଏଁ ଦର୍ଶନ ବନ୍ଦ

ପୁରୀ: ଆଜି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର। ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।

ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବିଶେଷନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତ ମାନେ ପାର୍ଶ୍ବଦେବାଦେବୀଙ୍କୁ ଦର୍ଶନ କରିପାରିବେ। ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ।

ଓଡ଼ିଶା ଉତ୍ସବରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲେ 5T ସଚିବ….ବଖାଣିଲେ ନବୀନଙ୍କ ଉଦାରତାର କାହାଣୀ

ଦୁବାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି । ଦୁବାଇରେ ଆୟୋଜିତ ଓଡ଼ିଶା ଉତ୍ସବରେ ନବୀନଙ୍କ ସମ୍ପର୍କରେ ବଖାଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଓଡ଼ିଶାବାସୀଙ୍କ ଟଙ୍କା ସେମାନଙ୍କ ଉନ୍ନତିରେ ଲାଗିବା ଦରକାର । ଓଡ଼ିଶାବାସୀଙ୍କ ଅର୍ଥ ସେମାନଙ୍କର ଉନ୍ନତି ପାଇଁ, ବିଳାସ କରିବା ପାଇଁ ନୁହେଁ । ନବୀନଙ୍କ ମାରୁତୀ ଏସଟିମ୍ କାରର କାହାଣୀ କହି ତାଙ୍କ ଚିନ୍ତାଧାରାକୁ ବଖାଣିଛନ୍ତି ଫାଇଭ-ଟି ସଚିବ । ଉତ୍ସବରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଫାଇଭ-ଟି ସଚିବ ସ୍ବର୍ଗଦ୍ବାର ଓ ଶ୍ରୀକ୍ଷେତ୍ର ରୂପାନ୍ତରଣ ପଛର ପୂରା କାହାଣୀକୁ ବଖାଣିଛନ୍ତି ।

ସ୍ବର୍ଗଦ୍ବାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଉଚ୍ଛେଦ ପାଇଁ ନିଜେ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେ ବିଜୁ ପଟ୍ଟନାୟକ ମାଟି କି ପଥରରେ ନୁହେଁ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି । ଏଣୁ ତାଙ୍କ ପାଇଁ ସମାଧିର କୌଣସି ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ପ୍ରକୃତରେ କ’ଣ, ଆପଣଙ୍କ ପରବର୍ତ୍ତୀ ପିଢି ଅନୁଭବ କରିବେ । ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି ଅନେକ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ଆନ୍ତରିକତା କେବଳ ଓଡ଼ିଶାବାସୀଙ୍କ ପାଇଁ । ପାଣ୍ଡିଆନ କହିଛନ୍ତି ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ, କୌଣସି ସଭାକୁ ବିଳମ୍ବରେ ଯାଇନାହାନ୍ତି ।

ମୁଖ୍ୟମନ୍ତ୍ରୀ ଜଣେ ଚର୍ଚ୍ଚିତ ଲେଖକ । ସେ ୩ଟି ପୁସ୍ତକ ଚରନା କରିଛନ୍ତି । ଜାକଲିନ କେନେଡି ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକର ସମ୍ପାଦନା କରିଛନ୍ତି । ଟଙ୍କିଟିଆ ଚାଉଳ ଓ ବିଏସକେଓ୍ବାଇର ପ୍ରଚଳନର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ଫାଇଭ-ଟି ସଚିବ କହିଛନ୍ତି । ଆମ ଦେଶରେ ରହିଛି ସାମାଜିକ ପ୍ରତିବଦ୍ଧତା । ରାଜ୍ୟର ୯୦ଲକ୍ଷ ପରିବାରଙ୍କୁ BSKY କାର୍ଡ ପ୍ରଦାନ କରାଯାଇଛି । ଯଦି ଗରିବଙ୍କ କଥା ସରକାର ବୁଝିବେ ନାହିଁ ତ କିଏ ବୁଝିବ । ସରକାର ସହଯୋଗ ନକଲେ ଗରିବଙ୍କୁ ଶୋଷଣ କରିବେ ବିତ୍ତଶାଳୀ । ଗରିବଙ୍କୁ ରୋଜଗାରକ୍ଷମ କରିବାକୁ ଓଡ଼ିଶା ସରକାରଙ୍କ ପ୍ରୟାସ ।

ଗରିବ ଆତ୍ମନିର୍ଭରଶୀଳ ହେଲେ ଓଡ଼ିଶା ଆଗକୁ ମାଡି ଚାଲିବ । ଏହି ଅବସରରେ ଫାଇଭ-ଟି ସଚିବ କହିଛନ୍ତି ପ୍ରତିବର୍ଷ ଓଡ଼ିଶା ଦିବସ ଦୁବାଇରେ ପାଳନ କରିଯିବ । କେବଳ ଦୁବାଇ ନୁହେଁ ବିଶ୍ବର ୧୦ଟି ସ୍ଥାନରେ ଓଡ଼ିଶା ଦିବସ ପାଳନ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଭୁବନେଶ୍ବରରୁ ଦୁବାଇକୁ ପ୍ରତିଦିନ ବିମାନ ଉଡାଣ ଭରିବାକୁ ପ୍ରୟାସ କରାଯାଉଛି । ବର୍ଷକ ମଧ୍ୟରେ ଦୁବାଇକୁ ପ୍ରତିଦିନ ଉଡାଣ ଭରିବ ବିମାନ । ଖୁବଶୀଘ୍ର ଭୁବନେଶ୍ୱରରୁ ଆବୁଧାବିକୁ ମଧ୍ୟ ବିମାନ ଉଡ଼ିବ ବୋଲି ପାଣ୍ଡିଆନ କହିଛନ୍ତି ।

ଦୁବାଇରେ ଓଡ଼ିଶା ଦିବସ ପାଳିତ, ଭିଡିଓ ବାର୍ତ୍ତାରେ ପ୍ରବାସୀ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଦୁବାଇ: ଦୁବାଇରେ ଓଡ଼ିଶା ଦିବସ । ଓଡ଼ିଶା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ବ ସ୍ତରରେ ଏହା ଓଡ଼ିଶାର ଏକ ବଡ଼଼ ପଦକ୍ଷେପ ବୋଲି କହିଛନ୍ତି । ଶିଳ୍ପାୟନ କ୍ଷେତ୍ରରେ ଏହା ବଡ଼ ସୁଯୋଗ ସୃଷ୍ଟି କରିବ । ଗତବର୍ଷ ଦୁବାଇ ଇନଭେଷ୍ଟର ମିଟରେ ଏହି ଦୁବାଇ ବିମାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବର୍ଷକ ଭିତରେ ପ୍ରତିଶ୍ରୁତି ପୂରଣ କରାଯାଇଛି । ଖୁବଶୀଘ୍ର ଆକାଶପଥରେ ସିଙ୍ଗାପୁର ଓ ବ୍ୟାଙ୍କକ ସହ ଅନ୍ତର୍ଜାତୀୟ ଯୋଗାଯୋଗ ଆରମ୍ଭ ହେବାକୁ ଯାଉଛି ।

ଶିଳ୍ପାୟନ କ୍ଷେତ୍ରରେ ଏକ ଉନ୍ନତିର ଶିଖର ଛୁଇଁବାକୁ ଯାଉଛି ଓଡ଼ିଶା । ତେଣୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଇନଭେଷ୍ଟର ଓଡ଼ିଶାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶ୍ବ ସ୍ତରରେ ଏକ ଓଡ଼ିଶା ପରିବାର ଗଢିବାକୁ ଉଦ୍ୟମ ହୋଇଛି । ଓଡ଼ିଶା ପରମ୍ପରା ଓ ସଂସ୍କୃତି ସାରା ବିଶ୍ବରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । ତେଣୁ ଏକ ନୂତନ ଓଡ଼ିଶା ଗଠନ ପାଇଁ ସମସ୍ତେ ହାତ ମିଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆପଣମାନଙ୍କ ସୁବିଧା ପାଇଁ ଏହି ଯୋଗାଯୋଗ ଆରମ୍ଭ କରାଗଲା ।

ଏହି ବିମାନ ସେବା ଆପଣମାନଙ୍କୁ ଆପଣଙ୍କ ପ୍ରିୟ ଓଡ଼ିଶା ସହ ସୁନ୍ଦରଭାବେ ଯୋଡ଼ି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଏତେ ସଂଖ୍ୟାରେ ଲୋକେ ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରୁ ଦୁବାଇକୁ ଏହି ଯୋଗାଯୋଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ବିକାଶ ହେବ । ଏହି ଯୋଗାଯୋଗର କ୍ଷେତ୍ର ଓଡ଼ିଶା ପାଇଁ ସୁଯୋଗ ସୃଷ୍ଟି କରିଛି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ କନସୁଲେଟ ଜେନେରାଲ ଅମନ ପୁରୀ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କର ସେତୁ ପ୍ରତିଷ୍ଠା କରିଛନ୍ତି । ସାରା ବିଶ୍ୱରେ ଓଡ଼ିଶା ସବୁ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ସବୁଠି ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଜଣେ ଜଣେ ରାଷ୍ଟ୍ରଦୂତ କହିଲେ ମନ୍ତ୍ରୀ ।