ରାଜ୍ୟର ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ, ସିଧାସଳଖ ମନ୍ତ୍ରୀ, ସଚିବଙ୍କ ସହ କଥା ହେବେ ସରପଞ୍ଚ

ଭୁବନେଶ୍ୱର: ଗାଁରୁ ସଚିବାଳୟ, ପଞ୍ଚାୟତ କାର୍ଯ୍ୟାଳୟରୁ ଲୋକସେବା ଭବନ, ହେବ ସିଧାସଳଖ ଆଲୋଚନା । ପଞ୍ଚାୟତ ବିକାଶ ନେଇ ମନ୍ତ୍ରୀ, ସଚିବଙ୍କ ସହ ସିଧା କଥା ହେବେ ସରପଞ୍ଚ । ରାଜ୍ୟର ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ, ରାଜ୍ୟ ମୁଖ୍ୟାଳୟରୁ ହେବ ଭିଡିଓ କନଫେରେନ୍ସିଂ । ରାଜ୍ୟର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ କରାଯିବ । ବିଏସଏନଏଲର ମାସିକିଆ ୭୯୯ ଟଙ୍କିଆ ପ୍ଲାନ୍ ସହ କମ୍ପ୍ୟୁଟର ସହିତ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସିଂ ରୁମ୍ ପ୍ରସ୍ତୁତ କରିବାକୁ ବିଡିଓ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ପଞ୍ଚାୟତିରାଜ ବିଭାଗ । ଗାଁ ଗାଁର ବିକାଶ ପାଇଁ ସରକାର କରିଥିବା ଯୋଜନା ଗ୍ରାଉଣ୍ଡ ଜିରୋରେ କିପରି କାର୍ଯ୍ୟକାରୀ ହେଉଛି, ତା’ର ସିଧାସଳଖ ତଦାରଖ ମନ୍ତ୍ରୀ, ସଚିବ କରିବେ । ଆଇଟି ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ଜରିଆରେ ଓକାକ୍ ଏହି ବ୍ୟବସ୍ଥାର ମନିଟରିଂ କରୁଥିବା ବେଳେ ଅଗଷ୍ଟ ୧୫ ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଟାର୍ଗେଟ ରହିଛି ।

ପଞ୍ଚାୟତ ର୍କାଯ୍ୟାଳୟରେ ଟିଭି, କମ୍ପ୍ୟୁଟର, ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଦୁଇଟି ସଂସ୍ଥାକୁ ୱାର୍କ ଅର୍ଡର ଦିଆଯାଇଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ କାମ ସାରିବାକୁ ତାଗିଦ କରାଯାଇଛି । ପଞ୍ଚାୟତ କାମ ବିଳମ୍ବ ନ ହେବା ପାଇଁ ଶନିବାର, ରବିବାର ଛୁଟିଦିନରେ ବି କାମ କରିବାକୁ କୁହାଯାଇଛି । ଆମ ଓଡ଼ିଶା, ନବୀନ ଓଡ଼ିଶାରେ ସବୁ ପଞ୍ଚାୟତରେ ସଂସ୍କୃତି ଓ ଐତିହ୍ୟ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବାଦ୍ ପ୍ରତି ପଞ୍ଚାୟତରେ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ଗୁଡ଼ିଏ ପ୍ରକଳ୍ପ କାମ ବି ଜାରି ରହିଛି । ଏଭଳି ସ୍ଥିତିରେ ପ୍ରକଳ୍ପ ସ୍ଥିର ନେଇ ଆଲୋଚନା, ପ୍ରକଳ୍ପର ଅଗ୍ରଗତି, କାମରେ ଉପୁଜୁଥିବା ସମସ୍ୟା ଓ ଏହାର ତ୍ୱରିତ ସମାଧାନ ଭିଡିଓ କନଫେରେନ୍ସିଂ ଜରିଆରେ ହୋଇପାରିବ । ପଞ୍ଚାୟତର ମୁଖିଆ, ସରପଞ୍ଚମାନେ ସରକାରଙ୍କ ସିଧାସଳଖ ବୈଠକ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ପଞ୍ଚାୟତକୁ ଆର୍ଥିକ କ୍ଷମତା ଦେବା ସହିତ ଅଧିକ ସଶକ୍ତ କରିବାରେ ନବୀନ ସରକାର ଆଗରେ ଅଛନ୍ତି । ଏବେ ସରପଞ୍ଚଙ୍କ ସହ ସିଧାସଳଖ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ କଥା ହୋଇ ବିକାଶର ଧାରାକୁ ଆଗେଇ ନେବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବ ।