ଆର୍ଥିକ ପରିଚାଳନାରେ ସଶକ୍ତ ଓଡ଼ିଶା, ମୁଣ୍ଡପିଛା ଋଣବୋଝ ହ୍ରାସରେ ଲଗାତର ୩ ବର୍ଷ ଧରି ସଫଳତା

1 min read

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ ସଶକ୍ତ ହେଉଛି ଓଡ଼ିଶା। କମୁଛି ମୁଣ୍ଡପିଛା ଋଣବୋଝ ଓ ଶୃଙ୍ଖଳିତ ହେଉଛି ବିତ୍ତୀୟ ପରିଚାଳନା। ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଋଣଭାର ୧୨ ପ୍ରତିଶତକୁ ହ୍ରାସ କରିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତର ଭାବେ ଦେଶକୁ ବାଟ ଦେଖାଇଛି । ସଂସଦରେ ପ୍ରକାଶିକ ସଦ୍ୟ ରିପୋର୍ଟରେ ଓଡ଼ିଶାକୁ ମିଳିଛି ବଡ଼ ସ୍ୱୀକୃତି । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ଋଣଭାର କମିଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ପ୍ରତିଶତ କମିଛି । ବିଜେପି, କଂଗ୍ରେସ ଶାସିତ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ୨୦୨୧ -୨୨ରେ ଓଡ଼ିଶାର ଋଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟିକୁ ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ବିଶେଷଜ୍ଞମାନେ ପ୍ରଶଂସା କରିବା ସହ ଦେଶ ପାଇଁ ଓଡ଼ିଶା ଉଦାହରଣ ସାଜିଛି ବୋଲି କହିଛନ୍ତି । ବିତ୍ତୀୟ ପରିଚାଳନା ଓ ପ୍ରଦର୍ଶନରେ ଓଡ଼ିଶା ଦେଶରେ ୧ ନମ୍ବର ହୋଇଛି । ରାଜ୍ୟର ନିଜସ୍ବ ଟିକସ ଆଦାୟ ଯୋଗୁଁ ରାଜସ୍ବ ବଢୁଥିବା ବେଳେ କେନ୍ଦ୍ର ଉପରେ ନିର୍ଭରଶୀଳତା କମୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଆର୍ଥିକ ପରିଚାଳନାରେ ପୂରା ଦେଶ ପାଇଁ ରୋଲ ମଡେଲ ସାଜିଥିବା ବିଜେଡି କହିଛି ।

ଲଗାତର ୩ ବର୍ଷ ଧରି ଓଡିଶା ଋଣଭାର ପରିମାଣ କମାଇ ଚାଲିଛି । କେନ୍ଦ୍ରର ତଥ୍ୟ ଅନୁସାରେ ବହୁ ବିକଶିତ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ଋଣଭାର ବଢି ବଢି ଚାଲିଛି । ଦିଲ୍ଲୀର ଋଣଭାର ସର୍ବାଧିକ ୩୩.୩, ରାଜସ୍ଥାନର ୧୭.୨, ଆସାମର ୧୬.୪, ମଧ୍ୟପ୍ରଦେଶର ୧୫.୮, ମହାରାଷ୍ଟ୍ରର ୧୪ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶା ବ୍ୟତୀତ ସବୁ ରାଜ୍ୟରେ ଋଣଭାର ବଢିଛି । ଋଣଭାର କମାଇବାରେ ଓଡ଼ିଶାର ସଠିକ ଆର୍ଥିକ ପରିଚାଳନା ସଫଳତା ଦେଇଛି ବୋଲି ଅର୍ଥନୈତିକ ସମୀକ୍ଷକ କହିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି । ମୁଣ୍ଡପିଛା ଋଣଭାର ହ୍ରାସ କରିବାରେ ଓଡ଼ିଶାର ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।