ବୁଧବାର ବନକଲାଗି ପାଇଁ ପୁଣିଥରେ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦ୍ଦେଶ ଜାରି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ । ନିର୍ଦ୍ଦେଶକୁ ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି କହିଛି ।

ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହେଉଛି । ଚଳିତବର୍ଷ ରଥଯାତ୍ରା ପରେ ନିର୍ଦ୍ଧାରିତ ବୁଧବାର ଜୁଲାଇ ୧୨ତାରିଖରେ ବନକଲାଗି ନକରିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୧୮ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍ୟ ଉପସ୍ଥିତ ଥିଲେ ।

ବୁଧବାର ବନକଲାଗି ପାଇଁ ଉପଯୁକ୍ତ ଦିନ ବୋଲି ବୈଠକରେ ନିର୍ଦ୍ଧାରଣ ହୋଇଥିଲା । ସେହି ଅନୁସାରେ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ଆଗୁଆ ଅବଗତ କରାଯାଇଥିଲା । ମାତ୍ର ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନଥିଲେ । ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଜବାବରେ ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ ।