ରାଜ୍ୟରେ ବଢ଼ୁଛି ନିବେଶ, ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ନିବେଶ । ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ୩ ହଜାର ୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି । ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ ଦୃଢ ବାସ୍ତବତାରେ ପରିଣତ କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଫଳପ୍ରଦ ହେବାରେ ଲାଗିଛି । ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୨୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି  । ୮ଟି ପ୍ରକଳ୍ପ ମଧ୍ୟରେ ଦୁଇଟି ଖୋର୍ଦ୍ଧା, ଦୁଇଟି ଯାଜପୁରରେ ହେବ ଏଥିସହ  ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁରରେ ଗୋଟିଏ ଲେଖାଏଁ ପ୍ରକଳ୍ପ ସ୍ଥାପନ ହେବ ।