ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ, କଟକରେ ରହିଛି ଏହି କାର୍ଯ୍ୟକ୍ରମ

କଟକ: ଓଡ଼ିଶାରେ ମ୍ୟାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି କଟକ ଯିବେ ମହିମହିମ । ସଡକ ପଥରେ ରାଷ୍ଟ୍ରପତି ଭୁବନେଶ୍ବରରୁ କଟକ ଆସିବା ପରେ ପ୍ରଥମେ ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ୧୫ ମିନିଟ ରହିବେ । ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ଜନ୍ମସ୍ଥାନରେ ୧୫ ମିନିଟ ବିତାଇବେ ।

ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ୨୦ ମିନିଟ ସଂଗ୍ରହାଳୟ ବୁଲି ଦେଖିବେ । ସେଠାରୁ ବାହାରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଆସି ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏକ ଘଣ୍ଟାର କାର୍ଯ୍ୟକ୍ରମ ସାରି ସେ ବାରବାଟୀ କିଲ୍ଲା ପରିସରରେ ଥିବା ନ୍ୟାୟ ସଂଗ୍ରହାଳୟକୁ ଯାଇ ୧୦ ମିନିଟ ଧରି ପରିଦର୍ଶନ କରିବେ ।

ସେଠୁ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତି ହାଇକୋର୍ଟ ପରିସରକୁ ଯିବେ । ଏହାପରେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଓ ପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଫେରିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସହରରେ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ପରିଚାଳନା ଉପରେ ଅଧିକ ଗୁରୁତ୍ବ ଦେଇଛି ପୋଲିସ । ରାଷ୍ଟ୍ରପତିଙ୍କ ଯିବା ରାସ୍ତାରେ ପଡୁଥିବା ୨୨ଟି ସ୍କୁଲ, କଲେଜ ସହ କଟକର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।