spot_img
Home Blog Page 3151

ଭିନ୍ନ ଭିନ୍ନ ଅଫିସରଙ୍କ ପରିଚୟ ଦେଇ ଠକୁଥିଲା, 420 ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ STF

ଭୁବନେଶ୍ୱର: ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ଠକାମୀ । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ ଚାକିରିଆ ହୁଅନ୍ତୁ ବା ଠିକାଦାର ଅଥବା NGO । ଭିନ୍ନ ଭିନ୍ନ ଅଫିସରଙ୍କ ପରିଚୟ ଦେଇ ଠକୁଥିବା ଜଣେ 420 ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

ଗିରଫ ଅଭିଯୁକ୍ତର ନାଁ ମନୋଜ ମାଝୀ । ଘର ପୁରୀ କୃଷ୍ଣପ୍ରସାଦ । ଭିଜିଲାନ୍ସ ଏସପି ଭାବେ ମାଇନିଂ କର୍ପୋରେସନ ପରିଚାଳନା ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗ ମୁଖ୍ୟ, ଖୋର୍ଦ୍ଧା ପିଡି ଡିଆରଡିଏଙ୍କ ଭଳି ବରିଷ୍ଠ ଅଧିକାରୀଙ୍କୁ ଛଦ୍ମ ନାମରେ ଫୋନ କରୁଥିଲା ଏହି ଦଲାଲ । ASO ଚାକିରି କରାଇବାକୁ କହି ୧୫ ଲକ୍ଷ ଠକେଇ କରିଛି ।

ତା ଘରୁ କିଛି ଆଡମିଟ୍ କାର୍ଡ ମଧ୍ୟ ମିଳିଛି । ଅଭିଯୁକ୍ତକୁ ଏହି ଧନ୍ଦାରେ ଅନ୍ୟ ୪ରୁ ୫ ଜଣ ସହଯୋଗ କରିଥିଲେ । ଖୁବଶୀଘ୍ର ମନୋଜର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଜଣେ ଅତିରିକ୍ତ ଚିଫ୍ ଇଞ୍ଜିନିୟରଙ୍କୁ ୧ କୋଟି ଟଙ୍କା ମାଗୁଥିବା ବେଳେ, ଅଭିଯୁକ୍ତ ସମ୍ପର୍କରେ STF ନିକଟରେ ଅଭିଯୋଗ ପହଞ୍ଚିଥିଲା । ଆବଶ୍ୟକସ୍ଥଳେ ତାକୁ ରିମାଣ୍ଡରେ ଆଣିପାରେ STF ।

ମଲ୍‌ରେ ଆଖିବୁଜା ଗୁଳିକାଣ୍ଡ ଘଟି ୮ ମୃତ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ

ଟେକ୍ସାସ: ମଲ୍‌ରେ ଗୁଳିକାଣ୍ଡ ଘଟି ୮ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ ପୁଣିଥରେ ଫୁଟିଲା ଗୁଳି । ଟେକ୍ସାସର ଏକ ମଲରେ ଆଖିବୁଜା ଫାୟାରିଂରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୫ବର୍ଷରୁ କମ୍ ବୟସରେ ୪ରୁ ୫ଜଣ ଶିଶୁ ରହିଛନ୍ତି । ସମସ୍ତ ଗୁରୁତରଙ୍କୁ ଆଲେନ୍ ଫାୟାର ଡିପାର୍ଟମେଣ୍ଟ ପକ୍ଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଗୁଳିରେ ଜଣେ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଅନ୍ୟ ଜଣେ ସନ୍ଦିଗ୍ଧକୁ ଖୋଜୁଛି ପୋଲିସ । ସାଧାରଣ ଲୋକଙ୍କୁ ମଲ୍ ପାଖାପାଖି ଯିବାକୁ ବାରଣ କରାଯାଇଛି । ସ୍ଥାନୀୟ ଗଭର୍ଣ୍ଣର ଏ ନେଇ ଶୋକବ୍ୟକ୍ତ କରିଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

ସୋସିଆଲ ମିଡିଆରେ ଗୁଳିକାଣ୍ଡ ବେଳର ଭିଡିଓ ମଧ୍ୟ ଭାଇରାଲ ହେଉଛି । ସନ୍ଦିଗ୍ଧ ଯୁବକ ମଲର ପାର୍କିଂରୁ ବାହାରେ ଆଖିବୁଜା ଗୁଳି ଚଳାଉଥିବା ଦେଖାଯାଇଛି ।

ହାରିବା ଭୟରେ ହିଂସାକୁ ଆପଣାଉଛି ବିଜେପି, ବିଜେଡି ସମର୍ଥକଙ୍କୁ କରୁଛି ଆକ୍ରମଣ

ଭୁବନେଶ୍ବର: ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣଵିଧି ଉଲ୍ଲଙ୍ଘନ ଅଭିଯୋଗ କରୁଥିବାର ଅଭିଯୋଗ ଆଣିଛି ବିଜେଡି। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ପ୍ରଚାର ସମୟ ପରେ ମଧ୍ୟ ରାତି ଗୋଟାଏ ସମୟରେ ଝାରସୁଗୁଡ଼ା ଲଳିତ ହେରିଟେଜ ସାମ୍ନା ସାମସଙ୍ଗ ଛକରେ ସମର୍ଥକଙ୍କୁ ଧରି ସେ ପ୍ରଚାର କରୁଥିବା ଭିଡିଓ ହସ୍ତଗତ ହୋଇଛି।

ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛି ବିଜେଡି। ବିଜେପି ପ୍ରାର୍ଥୀ ଟଙ୍କଧର ଓ ତାଙ୍କ ସମର୍ଥକ ପ୍ରଚାର ସାରି ବିଜେଡି ସମର୍ଥକ ଶୁଭମ ଶଙ୍କରଙ୍କ ଗାଡି ଅଟକାଇ ଗାଡିକୁ ଢେଲା ମାଡ଼ କରିବା ସହ ଧମକ ଦେଲେ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ  ।

ଏନେଇ ସେ ସ୍ଥାନୀୟ ଥାନାରେ ଟଙ୍କଧର ଓ ତାଙ୍କ ସମର୍ଥକଙ୍କ ନାମରେ ଅଭିଯୋଗ କରିଛନ୍ତି,ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କପି ଦାଖଲ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ

ମେ’ ଶେଷ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ, ସରିଲାଣି ଖାତାଦେଖା

ଭୁବନେଶ୍ବର: ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।

ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଛି।  ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିଲେ । ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା ।

ସେହିପରି  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ଼ ପରୀକ୍ଷା ଖାତାଦେଖା ରବିବାର ଶେଷ ହେବ। ଚଳିତ ମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଷଦ ଲକ୍ଷ୍ୟ ରଖିଛି।  କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍‌‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍‌‌ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ।

ଜୁନିଅର କ୍ରିକେଟରଙ୍କ ଉପରେ OCAର ନଜର, ୩ ମାସ ସ୍ବତନ୍ତ୍ର କ୍ୟାମ୍ପ୍‌

କଟକ: ଓଡିଶାରେ ଜୁନିୟର କ୍ରିକେଟର ହେବ ବିକାଶ । ଓସିଏ ଆଣିଲା ସ୍ବତନ୍ତ୍ର ଯୋଜନା । ଓସିଏରେ ନୂତନ ଟେକ୍ନିକାଲ ନିର୍ଦ୍ଦେଶକ ଭି. ଭେଙ୍କଟରମଣ ନିଯୁକ୍ତ ହେବା ପରେ ଏଭଳି ଯୋଜନା ହାତକୁ ନେଇଛି ଓସିଏ । ବିଗତ ଅନେକ ବର୍ଷ ଧରି ବିସିସିଆଇର ଘରୋଇ ସିଜନରେ ଓଡିଶା ଜୁନିୟର ପ୍ରତିଯୋଗିତାରେ ନିରାଶ ହୋଇଛି । ତେଣୁ ଓସିଏର ଭିଜନ ୨୦୨୪ କୁ ଆଖି ଆଗରେ ରଖି ଜୁନିୟର କ୍ରିକେଟକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ ।

ତେବେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂତନ ଟେକ୍ନିକାଲ ନିର୍ଦେଶକ ଭି. ଭେଙ୍କଟରାମ କହିଛନ୍ତି ଯେ, ଆଗାମୀ 2ରୁ 3 ମାସ ଓସିଏରେ ସ୍ବତନ୍ତ୍ର କ୍ୟାମ୍ପ କରାଯିବ । ଏହାବ୍ୟତୀତ କୋଚ, ସପୋର୍ଟ ଷ୍ଟାଫ ମାନଙ୍କ ସହ ଆଲୋଚନା କରାଯିବ । 14 ବର୍ଷ ରୁ କମ କ୍ରିକେଟରମାନେ କିପରି କ୍ରିକେଟ ସହ ପାଠକୁ ବେଶୀ ଗୁରୁତ୍ୱ ଦେବେ ତାହା ଉପରେ ମଧ୍ୟ ଫୋକସ କରାଯିବ ବୋଲି କହିଛନ୍ତି ଟେକ୍ନିକାଲ ନିର୍ଦେଶକ ।

ମଣିପୁରରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅଶାନ୍ତ ଜର୍ଜରିତ ମଣିପୁର ଇମ୍ଫାଲରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ । ଇମ୍ଫାଲର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦ ଛାତ୍ରଛାତ୍ରୀ ଆଜି ଓଡିଶାରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି ।

ରାଜ୍ୟ ସରକାରଙ୍କ ସହଯୋଗ ଓ ଉଦ୍ୟମରେ ମଣିପୁରରୁ ଉଦ୍ଧାର କରାଯାଇ ଓଡିଶା ଅଣାଯାଇଛି। ମଣିପୁରରୁ ଫେରିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି। ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ ।

ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ।

ରାଜଧାନୀରେ ହେଲମେଟ ଚେକିଂ ବେଳେ ଅଘଟଣ, ପୋଲିସ କର୍ମୀଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ବର: ରାଜଧାନୀରେ ହେଲମେଟ ଚେକିଂ ବେଳେ ଅମାନିଆଙ୍କ ଉତ୍ପାତ । ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇବାରୁ ପୋଲିସ୍ କର୍ମୀଙ୍କ ଉପରେ ଚଢ଼ାଇଦେଲେ ବାଇକ୍ । ଅମାନିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ସତୀଶ ଚନ୍ଦ୍ର ନାୟକ ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ ଥାନାର କର୍ମଚାରୀ ହେଉଛନ୍ତି ସତୀଶ ।

ଗତକାଲି ଇନଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ଦୁଇଜଣ ଛାତ୍ର ବିନା ହେଲମେଟ ବାଇକ୍ ନେଇ ଆସୁଥିଲେ । ପୋଲିସ କର୍ମଚାରୀ ଗାଡି ସାଇଡ କରିବାକୁ କହିବାରୁ ଧକ୍କାମାରି ଖସି ପଳାଇଥିଲେ । ସତୀଶଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି । ଦୁଇ ଜଣଙ୍କୁ ଅଟକ ରଖିବା ସହ ବାଇକ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଓଡ଼ିଶାର ୨୭ଟି ସହରରେ ୫୬ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଦେବେ ନିଟ୍‌ (UG)

ଭୁବନେଶ୍ବର: ଆଜି ନିଟ୍(UG) ପରୀକ୍ଷା । ଓଡ଼ିଶାର ୨୭ଟି ସହରରେ ୧୨୫ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସାରା ଦେଶରୁ ୨୦ଲକ୍ଷ ୫୯ହଜାର ୬ଜଣ ଦେବେ ପରୀକ୍ଷା । ସେଥିରୁ ଓଡ଼ିଶାରୁ ଅଛନ୍ତି ୫୬ହଜାର ୯୮୯ଜଣ ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ଭୁବନେଶ୍ୱରରେ ୨୨ଟି ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ୧୪ ହଜାର ୪୮୧ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।

ଅନୁଗୁଳ, ବଲାଙ୍ଗିର, ଭୁବନେଶ୍ୱର, କଟକ, ରାଇରଙ୍ଗପୁର ମାଲକାନଗିରି ଆଦି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ OJEE ପ୍ରବେଶିକା ପରୀକ୍ଷା । କାଲି, ୯ ତାରିଖ, ୧୧ ତାରିଖ, ୧୨ ଓ ୧୫ତାରିଖରେ OJEE ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୧୧ବିଷୟରେ ସିବିଟି ମୋଡରେ ପରୀକ୍ଷା ହେବା ନେଇ ସୂଚନା ରହିଛି । ୩ଟି ସିଫ୍ଟରେ ହେବ ପରୀକ୍ଷା ।

ସକାଳ ୯ଟାରୁ ପ୍ରଥମ ସିଫ୍ଟ ଆରମ୍ଭ ହେଉଥିବା ବେଳେ ୧୨ଟା ୩୦ରୁ ଦ୍ବିତୀୟ ସିଫ୍ଟ, ୪ଟା ୩୦ରୁ ତୃତୀୟ ସିଫ୍ଟରେ ପରୀକ୍ଷା ଦେବେ ପିଲା । ମୋଟ ୪୪ଟି ପରୀକ୍ଷା କେନ୍ଦ୍ରରେ ୫୫ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରାଜ୍ୟର ୩୦ଟି ସ୍ଥାନ ଓ ରାଜ୍ୟ ବାହାରେ ୩ଟି ସ୍ଥାନରେ ହେବ ପରୀକ୍ଷା ।

୮ ପରେ ଜଣାପଡିବ ବାତ୍ୟାର ଗତିପଥ, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ବର: ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରେ ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ୮ତାରିଖ ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କହିଛି ପାଣିପାଗ ବିଭାଗ ।

ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ବାତ୍ୟା ନେଇ ଓଡ଼ିଶାକୁ ବିପଦ ନଥିବା ସେ କହିଛନ୍ତି । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବାତ୍ୟା ସମ୍ପର୍କିତ ଅଧିକ ତଥ୍ୟ ଖୁବଶୀଘ୍ର ବିଭାଗ ପକ୍ଷରୁ ଅପଡେଟ୍ କରାଯିବ ।  ଏନେଇ ଓଡିଶା ପାଣିପାଗ ବିଜ୍ଞାନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦କିଲୋମିଟର ବେଗରେ ପବନ ବହିପାରେ । ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ୮ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରଣୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି । କାଳବୈଶାଖୀର ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇବ ।

ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା କରାଯାଇଛି । ଉପକୂଳ ଓଡ଼ିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବ ।