ଇଦ ଛୁଟିରେ ଘରକୁ ଆସିଥିବା ଯବାନ ଜାଭେଦ ନିଖୋଜ, ଅପହରଣ ନେଇ ସନ୍ଦେହ କଲେ ପରିବାର ଲୋକେ

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର କୁଲଗାମରୁ ସେନାର ଜଣେ ଯବାନ ନିଖୋଜ । ଇଦ୍ ଅବସରରେ ଛୁଟି ନେବା ପରେ ସେ ଘରକୁ ଆସିଥିଲେ । ସନ୍ଧ୍ୟାରେ ସେନା ଯବାନ ଘର ପାଇଁ କିଛି ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ, ସେବେଠାରୁ ସେ ନିଖୋଜ ଅଛନ୍ତି । ଯବାନକୁ ଖୋଜିବା ପାଇଁ ପୋଲିସ ଓ ସେନା ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ନିଖୋଜଥିବା ଯବାନ ହେଉଛନ୍ତି ୨୫ ବର୍ଷିୟ ଜାଭେଦ୍ ଅହମ୍ମଦ ୱାନି । ସେ କୁଲଗ୍ରାମର ଅଷ୍ଟାଲର ବାସିନ୍ଦା ଏବଂ ତାଙ୍କର ପୋଷ୍ଟିଂ  ଲଦାଖରେ ଥିଲେ ।

ଛୁଟିରେ ସେ ଘରକୁ ଆସିଥିଲେ । ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ତାଙ୍କ ଘର ପାଇଁ କିଛି ସାମଗ୍ରୀ ଆଣିବାକୁ ଚାୱଲଗାମକୁ ଯାଇଥିଲେ, ଏହା ପରେ ସେ ନିଖୋଜ ହୋଇଯାଇଥିଲେ । ସେ ତାଙ୍କ ଅଲ୍ଟୋ କାର ଧରି ବାହାରକୁ ଆସିଥିଲେ । ଯେତେବେଳେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ପଡ଼ୋଶୀ ଏବଂ ଗାଁର ଅନ୍ୟ ଲୋକମାନେ ମିଳିତ ଭାବେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ସୂଚନା ଅନୁସାରେ ଖୋଜାଖୋଜି ସମୟରେ କୁଲଗାମ ନିକଟ ପ୍ରାନହଲରୁ ସେନାଙ୍କର ଅଲ୍ଟୋ କାରଟି ଅନଲକ୍ ଅବସ୍ତାରେ ଉଦ୍ଧାର କରାଯାଇଥିଲା ।

କାରରୁ ଯବାନଙ୍କ ଜୋତା ଓ ରକ୍ତ ବୁନ୍ଦା ଦେଖିବାକୁ ମିଳିଥିଲା । ଯବାନଙ୍କୁ ଖୋଜିବା ପାଇଁ ସେନା ଏବଂ ପୋଲିସ ମିଳିତ ଭାବେ ଏକ ବଡ଼ ସର୍ଚ୍ଚ ଅପରେସନ କରୁଛନ୍ତି । ସେହି ଅଞ୍ଚଳକୁ ପ୍ରବେଶ ନିଶେଦ୍ଧ କରାଯାଇଛି । ଏଥିସହିତ ପରିବାର ଲୋକେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି । ଜାଭେଦଙ୍କ ବାପା ମା’ ପୁଅକୁ ଛାଡ଼ିବାକୁ ଅପହରଣକାରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି ।