ଆଜି ସରଗରମ ହେବ ମୌସୁମୀ ଅଧିବେଶନ, ସପ୍ତାହେ ହେଲା ଚାଲିପାରୁନଥିଲା ସଂସଦ

ନୂଆଦିଲ୍ଲୀ: ଆଜି ବି ସରଗରମ ହେବ ସଂସଦର ମୌସୁମୀ ଅଧିବେଶନ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବେ ବିରୋଧୀ । ଗତ ସପ୍ତାହେ ହେଲା ମଣିପୁର ପ୍ରସଙ୍ଗରେ ସଂସଦ ଚାଲିପାରୁନଥିବା ବେଳେ ଆଜି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଏପଟେ ଇଣ୍ଡିଆ ମେଣ୍ଟର ୨୧ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

ଗ୍ରାଉଣ୍ଡ ଜିରୋରେ କିଭଳି ସ୍ଥିତି ରହିଛି ତାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତ ବିରୋଧୀ । ମଣିପୁରରେ ଲୋକଙ୍କ ମନରେ ଭୟ, ଅନିଶ୍ଚିତତା ଭରି ରହିଛି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଚାଷ ଠପ୍ ପଡିଥିବା ବେଳେ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ସାମୁହିକ, ବ୍ୟକ୍ତିଗତ ପୀଡ଼ାରେ ହଜାର ହଜାର ଲୋକ ଅଛନ୍ତି । ମଣିପୁରରୁ ଦିଲ୍ଲୀ ଫେରି ଦୁର୍ଦ୍ଦଶା ବଖାଣିଛନ୍ତି ବିରୋଧୀ ଡେଲିଗେସନ ।

ସରକାରଙ୍କ ଅଣଦେଖା ଯୋଗୁଁ ଜଳୁଛି ମଣିପୁର । ମଣିପୁର ଦୁର୍ଦ୍ଦଶା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ରାଜ୍ୟକୁ ବିଭାଜିତ କରିଦେଇଛି । ଘର ଦ୍ବାର ଛାଡ଼ି ୬୦ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ରିଲିଫ କ୍ୟାମ୍ପରେ ସର୍ବନିମ୍ନ ମୌଳିକ ସୁବିଧା ବି ନାହିଁ । ହିଂସା ପ୍ରଭାବିତ କ୍ୟାମ୍ପରୁ ଘରକୁ ଫେରିବାକୁ ଚାହୁଁଥିଲେ ବି ତାହା ଅସମ୍ଭବ ହୋଇପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଇଣ୍ଡିଆ ସାଂସଦ କହିଛନ୍ତି । ରାଜ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ସହ ହିଂସା ପୀଡ଼ିତଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିରୋଧୀ ଟିମ୍ । ମଣିପୁର ସଂଘର୍ଷର ସମାଧାନ ନହେଲେ ସାରାଦେଶର ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି କରିବ ।