ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ରାଜ୍ୟରେ ୬୦ହଜାର ଲୋକ ବିସ୍ଥାପିତ, ରିଲିଫ କ୍ୟାମ୍ପରେ ଦୁର୍ବିସହ ହୋଇଛି ଜୀବନ । ଅନିଶ୍ଚିତତାରେ କାଳ କାଟୁଛନ୍ତି ହିଂସା ପୀଡ଼ିତ। ରାଜ୍ୟର ତୁରନ୍ତ ଶାନ୍ତି ସ୍ଥାପନା ପାଇଁ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଇଣ୍ଡିଆ ଟିମ୍ ସଦସ୍ୟ ।ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା ପରେ ସଂସଦରେ ସରକାରଙ୍କୁ ଘେରିବାକୁ ମାଷ୍ଟରପ୍ଲାନ୍ । ତିନି ମାସ ଧରି ରାଜ୍ୟ ଜଳୁଥିବା ବେଳେ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ବିରୋଧୀ ।

କାନ୍ଦୁଛି ମଣିପୁର । ମନରେ ଭୟ, ଅନିଶ୍ଚିତତା । ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ରାଜ୍ୟକୁ ବିଭାଜିତ କରିଦେଇଛି । ଘର ଦ୍ବାର ଛାଡ଼ି ୬୦ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ବେଳେ ଚାଷବାସ ବନ୍ଦ ପଡ଼ିଛି । ରିଲିଫ କ୍ୟାମ୍ପରେ ସର୍ବନିମ୍ନ ମୌଳିକ ସୁବିଧା ବି ନାହିଁ । ହିଂସା ପ୍ରଭାବିତ କ୍ୟାମ୍ପରୁ ଘରକୁ ଫେରିବାକୁ ଚାହୁଁଥିଲେ ବି ତାହା ଅସମ୍ଭବ ହୋଇପଡ଼ିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଇଣ୍ଡିଆ ସାଂସଦ କହିଛନ୍ତି । ରାଜ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ସହ ହିଂସା ପୀଡ଼ିତଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିରୋଧୀ ଟିମ୍ । ମଣିପୁର ସଂଘର୍ଷର ସମାଧାନ ନହେଲେ ସାରାଦେଶର ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି କରିବ । ତିନି ମାସ ଧରି ଜଳୁଛି ମଣିପୁର । ସାମ୍ପ୍ରଦାୟିକ ହିଂସା, ବିଦ୍ବେଷ ଚରମ ସୀମାରେ ପହଞ୍ଚିଛି । ଦେଢ଼ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବାସହୀନ ହୋଇଛନ୍ତି ପ୍ରାୟ ୬୦ ହଜାର ଲୋକ । ସ୍ଥିତି ଏମିତି ଯେ, ଗୋଟିଏ ରାଜ୍ୟର ଦୁଇ ସମ୍ପ୍ରଦାୟ ପରସ୍ପରକୁ ଶତ୍ରୁ ଭଳି ଦେଖୁଛନ୍ତି ।

ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ ମଣିପୁର ଗସ୍ତ ସାରି ଫେରିଥିବା ବେଳେ ଏବେ ସର୍ବଦଳୀୟ ଟିମ୍ ଗସ୍ତ କରିବା ଦରକାର ବୋଲି ମତ ରଖିଛନ୍ତି । ଦେଶର ଗୋଟିଏ ପ୍ରାନ୍ତ ଜଳୁଥିବା ବେଳେ ସରକାର ଆଖି ବୁଜିଦେବା ଗ୍ରହଣୀୟ ନୁହେଁ । ସଂସଦରେ ସରକାରଙ୍କୁ ତଥ୍ୟ ଦେବା ସହ ମଣିପୁର ପ୍ରସଙ୍ଗରେ ଉଚିତ ପ୍ରଦକ୍ଷେପ ନେବାକୁ ଦାବି କରାଯିବ ବୋଲି ବିରୋଧୀ ସାଂସଦ କହିଛନ୍ତି । ମଣିପୁର ପ୍ରତି ସମବେଦନା ସହ ଶାନ୍ତି ପ୍ରତିଷ୍ଠା ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରାଯାଇଛି । ସାରାଦେଶ ଏକ ହୋଇ ଏଭଳି ପରିସ୍ଥିତିରୁ ମଣିପୁରବାସୀଙ୍କୁ ବାହାର କରିବାକୁ ଦାବି ହୋଇଛି ।