spot_img
Home Blog Page 3102

୪୩.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର, ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ୪୩.୩ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ବଲାଙ୍ଗୀର । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା । ୮ଟି ସହରର ତାତି ୪୨ ଡିଗ୍ରୀ ବା ତା ଉପରେ ରହିଛି । ସମ୍ବଲପୁରରେ ଦ୍ବିତୀୟ ସର୍ବାଧିକ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ସୋନପୁରରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଜଳୁଛି ଭୁବନେଶ୍ବର । ଆଜି ରାଜଧାନୀରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ସୁନ୍ଦରଗଡ଼ ଓ ତାଳଚେରରେ ୪୧.୮, ଅନୁଗୁଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳରେ ୪୧.୪, ବୌଦ୍ଧ ଓ କଟକରେ ୪୧, ଚାନ୍ଦବାଲିରେ ୪୦.୭, କେନ୍ଦ୍ରାପଡ଼ାରେ ୪୦.୬, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୪, ଟିଟିଲାଗଡ଼ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ଜାରି ରହିବ ।

ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି। ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

୩ଦିନ ବନ୍ଦ ରହିବା ପରେ ବର୍ଦ୍ଧିତ ମୂଲ୍ୟ ସହ ଖୋଲିଲା ପାହାଳ ମିଠା ମାର୍କେଟ

ଭୁବନେଶ୍ୱର: ଆଉ ମିଳିବନି ୫ ଟଙ୍କିଆ ରସଗୋଲା । ଦୀର୍ଘ ୩ଦିନ ବନ୍ଦ ରହିବା ପରେ ଖୋଲିଲା ପାହାଳ ମିଠା ମାର୍କେଟ । ମାର୍କେଟ ଖୋଲିବା ସହ ବିଭିନ୍ନ ମିଠାର ଦରବୃଦ୍ଧି ଘଟିଛି । କ୍ଷୀରଦର ବୃଦ୍ଧି ଯୋଗୁଁ ବ୍ୟବସାୟୀ ସଙ୍ଘ ଏପରି ନିଷ୍ପତ୍ତି ନେଇଥିଲା । କେବଳ ରସଗୋଲା ନୁହେଁ ଛେନା ଗଜା , ପୋଡ଼ ଆଉ ଅନ୍ୟାନ୍ୟ ଛେନା ଜାତୀୟ ମିଠାର ମଧ୍ୟ ଦର ବଢ଼ିଛି । ଚଳିତ ମାସ ଆରମ୍ଭରୁ ଓମଫେଡ ଦର ଲିଟର ପିଛା ୪ ଟଙ୍କା ବଢ଼ିଥିବା ବେଳେ ସେହି ଅନୁପାତରେ ଛେନା ଦର ମଧ୍ୟ ୨୦ଟଙ୍କା ବୃଦ୍ଧି ହୋଇଥିଲା ।

ତେବେ ଏହାକୁ ନେଇ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ମିଠା ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୩ ଦିନ ଧରି ମାର୍କେଟ ବନ୍ଦ ରହିବା ପରେ ବର୍ଦ୍ଧିତ ଦର ସହ ଦୋକାନ ଖୋଲିଛି । ତେବେ କୌଣସି ବିରୋଧ ନୁହେଁ ବରଂ ସାଧାରଣ ଲୋକଙ୍କୁ ଦର ବୃଦ୍ଧି ସମ୍ପର୍କରେ ସୂଚନା ଦେବାକୁ ମାର୍କେଟ ବନ୍ଦ କରାଯାଇଥିବା ନେଇ ବ୍ୟବସାୟୀ ସଙ୍ଘର ସଭାପତି ସୂଚନା ଦେଇଥିଲେ । ପାହାଳ ମିଠାର ଚାହିଦା ଖୁବ ଅଧିକ ଥିବାରୁ ଏଠାରୁ ପ୍ରତ୍ୟେକ ଦିନ ପ୍ରାୟ ୪ଟନ୍ ମିଠା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠା ଯାଇଥାଏ । ଏହା ବ୍ୟତୀତ ଏହି ମିଠା ବଜାର ଦର ଠାରୁ ଅନେକ ଶସ୍ତା ହୋଇଥିବାରୁ ସାମାନ୍ୟ ଦର ବୃଦ୍ଧି ଗ୍ରାହକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଉଭୟ ବ୍ୟବସାୟୀ ଓ ଗ୍ରାହକ ପ୍ରକାଶ କରିଥିଲେ ।

UPSC ସିଭିଲ ସର୍ଭିସ ପରୀକ୍ଷାରେ ୬୭ ରାଙ୍କ ହାସଲ କରିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା

ଭୁବନେଶ୍ୱର: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୬୭ ରାଙ୍କ ହାସଲ କରିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା । ସେ ଘରୁ ରହି ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି । ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ଯେବେ ଲିଷ୍ଟ ଦେଖିଲି ବିଶ୍ୱାସ ହେଲାନି । ଏହା ମୋର ଦ୍ୱିତୀୟ ପ୍ରୟାସ ଥିଲା । ଗତଥର ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଯାଇଥିଲି । ମାତ୍ର ୧୦, ୧୨ ମାର୍କ ପାଇଁ କଟିଯାଇଥିଲି । ବାପା ମାଆଙ୍କୁ ସିଲେକ୍ସନ ନେଇ ଯେବେ କହିଲି ସେମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ । ମା ବାପାଙ୍କ ଖୁସି ଆଜି ଦିନର ସବୁଠୁ ବଡ଼ ଗିଫ୍ଟ ମୋ ପାଇଁ ।

ବାପା ମାଆଙ୍କ ଆଶୀର୍ବାଦ ପାଇଁ ଏ ସଫଳତା ମୁଁ ପାଇଛି । ବାପାଙ୍କୁ ଦେଖି ଦେଖି ଲୋକଙ୍କ ସେବା କରିବି ବୋଲି ମନ ବଳାଇଥିଲି । ସେବେଠୁ ନିଷ୍ପତ୍ତି ନେଇଥିଲି ଆଇଏଏସ୍ ଅଧିକାରୀ ହୋଇ ଲୋକଙ୍କ ସେବା କରିବି । ମହିଳା ଏବଂ ଶିଶୁଙ୍କ ଶିକ୍ଷା ବିକାଶ ଦିଗରେ କାମ କରିବାକୁ ଚାହୁଁଛି । ଭଦ୍ରକରୁ ସ୍କୁଲି ଶେଷ କରିଥିଲି । ଯୁକ୍ତ ଦୁଇ ଡିଏଭି ଚନ୍ଦ୍ରଶେଖରପୁରରୁ ଶେଷ କରିଛି । ୟୁପିଏସସି ପ୍ରସ୍ତୁତି ଘରେ ରହି କରିଥିଲି । ମୁଁ ଓଡ଼ିଶା ଭିତରେ ରହି ଘରେ ପ୍ରସ୍ତୁତି କରି ଏହି ସଫଳତା ପାଇଛି ବୋଲି କହିଛନ୍ତି କସ୍ତୁରୀ ପଣ୍ଡା ।

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ସାମିଲ ହେଲା ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବ୍ଲକ

ଭୁବନେଶ୍ୱର: ଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ସାମିଲ ହେଲା ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବ୍ଲକ । ଲଇକେରା ଓ କିର୍ମିରା ବ୍ଲକକୁ ଆଇଟିଡିଏରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଏହା ଓଡ଼ିଶାର ୨୩ତମ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା । ଏହାକୁ ଝାରସୁଗୁଡ଼ା ସମନ୍ବିତ ଉନ୍ନୟନ ସଂସ୍ଥା ଭାବେ ନାମିତ କରାଯାଇଛି । ଲାଇକେର ଓ କିରିର୍ମିରା ବ୍ଲକର ସମସ୍ତ ଗାଁ ନୂତନ ITDA ଅଧୀନରେ ରହିବ। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏଥିପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ନୂତନ ପଦବୀ ଗୁଡିକ ହେଲା ଜଣେ ଲେଖାଏ ପ୍ରକଳ୍ପ ପ୍ରଶାସକ, ସ୍ବତନ୍ତ୍ର ଅଧିକାରୀ, ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର , ଆସିଷ୍ଟାଣ୍ଟ ଇଞ୍ଜିନିୟର , ଆକାଉଣ୍ଟାଣ୍ଟ, ହେଡ କ୍ଲର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର, ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ। ଲାଇକରା ଓ କିରିର୍ମିରା ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ବାସକରୁଥିବାବେଳେ ମୁଣ୍ଡା, କୋହ୍ଲ, ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମଧ୍ୟ ରହିଛନ୍ତି ।ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରିର୍ମିରାରେ ଏହା ୧୮.୪୬ ପ୍ରତିଶତ।

UPSC ଟପ୍ପର ଇଶିତା କିଶୋର କିଏ? ବାପାଙ୍କୁ ଦେଖି ଆଇଏଏସ୍ ହେବାକୁ କରିଥିଲେ ଚିନ୍ତା….

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ-୨୦୨୨ ପରୀକ୍ଷାରେ ଇଶିତା କିଶୋର ସାରା ଦେଶରେ ଟପ୍ କରିଛନ୍ତି । ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ ତାଙ୍କର ଅପସନାଲ ସବଜେକ୍ଟ ଥିଲା । ଶ୍ରୀ ରାମ କଲେଜ ଅଫ୍ କମର୍ସ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଇକୋନୋମିକ୍ସରେ ଗ୍ରାଜୁଏସନ କରିଥିଲେ । ୟୁପିଏସସି ସିଏସି ୨୦୨୨ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଇଶିତା କିଶୋର କ୍ୟାରିୟରରେ ଟପ୍ପର ରହି ଆସିଛନ୍ତି । ଏୟାର ଫୋର୍ସ ବାଲ ଭାରତୀ ସ୍କୁଲ ଏବଂ ଶ୍ରୀରାମ କଲେଜ ଅଫ୍ କମର୍ସ ଦିଲ୍ଲୀରୁ ଅଧ୍ୟୟନ ପୂରା କରିଥିବା ଇଶିତା ଛୋଟବେଳୁ ହିଁ ମନସ୍ଥ କରିନେଇଥିଲେ ଯେ ସେ ଆଇଏଏସ୍ ଅଧିକାରୀ ହେବେ ବୋଲି ।

ଇଶିତା ଗଣମାଧ୍ୟମକୁ ପ୍ରତିକ୍ରୟା ଦେଇ ତାଙ୍କର ସଫଳତାର ଯାତ୍ରା ସମ୍ପର୍କରେ କହିଛନ୍ତି । ଇଶିତା କିଶୋରଙ୍କ ବାପା ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ଏବଂ ସମ୍ପୂର୍ଣ୍ଣ ପରିବାର ଗ୍ରେଟର ନଏଡାରେ ରହୁଛି । ଇଶିତା ୨୦୧୪ରେ ବାଲ ଭାରତୀରୁ ଦ୍ୱାଦଶ ପାଠ ପୂରା କରିବା ପରେ ୨୦୧୭ରେ ଶ୍ରୀରାମ କଲେଜ ଅଫ୍ କମର୍ସରୁ ଇକୋନୋମିକ୍ସ (ଅନର୍ସ)ରେ ଗ୍ରାଜୁଏସନ ପୂରା କରିଥିଲେ । ୟୁପିଏସସି ପରୀକ୍ଷାରେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା । ଏହା ପୂର୍ବରୁ ସେ ଦୁଇଥର ପ୍ରିଲିମ୍ସରେ ବିଫଳ ହୋଇଥିଲେ । ଇଶିତା କହିଛନ୍ତି ଯେ ମୁଁ ଭାବିନଥିଲି ଯେ ମୁଁ ପ୍ରଥମ ସ୍ଥାନ ଅଧିକାର କରିବି ବୋଲି । ପ୍ରଥମେ ଯେବେ ମୁଁ ମୋ ରାଙ୍କ ଦେଖିଲି ବହୁତ ଖୁସି ହୋଇଯାଇଥିଲି ।

ପ୍ରଥମ ସ୍ଥାନ ଅଧିକାର କରିବା ପରେ ସାରା ପରିବାରରେ ଖୁସିର ଲହର ଦେଖାଯାଇଥିଲା । ଇଶିତା କହିଛନ୍ତି ମୁଁ ମୋ ବାପାଙ୍କୁ ସବୁବେଳେ ଦେଶ ସେବାରେ ତତ୍ପର ଥିବା ଦେଖିଛି । ଏଥିପାଇଁ ଛୋଟବେଳେ ହିଁ ମୋତେ ବାପାଙ୍କୁ ଦେଖି ମନକୁ ଆସିଥିଲା ଯେ ମୁଁ ମଧ୍ୟ ବଡ଼ ହୋଇ ଦେଶ ହିତରେ ହିଁ ଏପରି କୌଣସି କାମ କରିବି ଯାହାଫଳରେ ବାପାଙ୍କ ଭଳି ମାତୃଭୂମିର ସେବା କରିପାରିବି । ଇଶିତା କହିଛନ୍ତି ଯେ ସେ ଘରୁ ହିଁ ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ତାଙ୍କର ଅପସନାଲ ସବଜେକ୍ଟ ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଥିଲା ।

ଦୁଇଥର ବିଫଳ ହେବା ପରେ ଏଥର ଆଶା ଥିଲା ଯେ ସଫଳତା ପାଇବି ହେବେ ଶୀର୍ଷ ସ୍ଥାନ ପାଇବି ବୋଲି ଭାବିନଥିଲି । ମୋର ଏହି ସଫଳତା ପାଇଁ ପରିବାର ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଥିଲା । ସମସ୍ତେ ମୋ ଉପରେ ଭରସା ରଖିଥିଲେ ଯେ ମୁଁ ସଫଳତା ପାଇବି ବୋଲି । ଖାସ୍ କରି ବାପା ମାଆଙ୍କ ହାତ ଥିବାରୁ ଏହି ସଫଳତା ମୁଁ ପାଇବାରେ ସକ୍ଷମ ହୋଇପାରିଛି । ଆଗକୁ ଦେଶ ସେବା ନିଷ୍ଠାର ସହ କରିବି ବୋଲି କହିଛନ୍ତି ଇଶିତା । ଯଦି ଗୋଟିଏ ଲକ୍ଷ୍ୟ ମନରେ ରଖିଛନ୍ତି ତେବେ ତା ପାଇଁ ଆନ୍ତରିକତା ରହିବା ଆବଶ୍ୟକ ଏବଂ ନିରନ୍ତର ତା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଇଶିତା କହିଛନ୍ତି ।

UPSC ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ସଫଳତା

ଭୁବନେଶ୍ୱର: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍- ୨୦୨୨ ରେଜଲ୍ଟ । ମୋଟ୍ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୩୪୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୩୮ ଜଣ ଆଇଏଫ୍‌ଏସ୍‌, ୨୦୦ ଜଣ ଆଇପିଏସ୍‌ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍‌ରେ ନିଯୁକ୍ତି ପାଇବେ । ୟୁପିଏସସି ସିଏସଇ-୨୦୨୩ରେ ସାରା ଦେଶରେ ଟପ୍ପର ହୋଇଛନ୍ତି ଇଶିତା କିଶୋର । ଟପ୍ ଫୋରରେ ରହିଛନ୍ତି ୪ ଝିଅ । ଦ୍ବିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍. ଉମା ହାରଥୀ ଓ ଚତୁର୍ଥରେ ସ୍ମିତି ମିଶ୍ରା । ଚଳିତ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କୁ ମଧ୍ୟ ସଫଳତା ମିଳିଛି । ଓଡ଼ିଆ ପରୀକ୍ଷାର୍ଥୀ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଓଡ଼ିଶାରୁ ଏଥର ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

୩୩ ନମ୍ବର ରାଙ୍କରେ ଅଛନ୍ତି ଓଡ଼ିଶାର ଥରୁନ ପଟ୍ଟନାୟକ ମାଦଳା ।  ସେହିପରି ୩୮ ରାଙ୍କ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନୁପ ଦାସ । ଅନୁପ ଦାସଙ୍କ ଘର ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ । ଏହା ପୂର୍ବରୁ ସେ ୨୦୧୯ ସିଭିଲ ସର୍ଭିସ ପରୀକ୍ଷାରେ ୧୨୦ ରାଙ୍କ ହାସଲ କରିଥିଲେ । ସେହିପରି ପ୍ରଣିତା ଦାସ ୪୨ ରାଙ୍କ, ଅର୍ଣ୍ଣବ ମିଶ୍ର ୫୬ରାଙ୍କ, ଦୀକ୍ଷିତା ଯୋଶୀ ୫୮ରାଙ୍କ, କୃତିକା ମିଶ୍ର ୬୭ରାଙ୍କ, କସ୍ତୁରୀ ପଣ୍ଡା ୬୭ରାଙ୍କ, ପଲ୍ଲବୀ ମିଶ୍ର ୭୩ରାଙ୍କ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି । ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।

ଏମାନଙ୍କ ସଫଳତା ପରେ ପରିବାର ଏବଂ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି । କାରଣ ଦେଶର ସର୍ବବୃହତ ପରୀକ୍ଷାରେ ଏମାନେ ଭଲ ପ୍ରଦର୍ଶନ କରି ଅଞ୍ଚଳ ତଥା ରାଜ୍ୟକୁ ଗୌରବ୍ୱାନୀତ କରିଛନ୍ତି । ୪୨ ନମ୍ବର ରାଙ୍କ ପାଇଛନ୍ତି ବାରିପଦାର ପ୍ରଣିତା ଦାସ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଏମଫିଲ୍ କରୁଛନ୍ତି ପ୍ରଣିତା । ଏହା ପୂର୍ବରୁ କୋଲକାତା ସେଣ୍ଟ ଜାଭିୟର୍ସ ଓ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ପଢିଛନ୍ତି । ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ ଓଡ଼ିଶୀ ନୃତ୍ୟରେ ବି ପ୍ରଶିକ୍ଷଣ ନେଇଛନ୍ତି ପ୍ରଣିତା । ୫୧୬ ନଂ ରାଙ୍କ ପାଇଥିବା ତେଜସ୍ୱିନୀ ବେହେରା ଗତ ଓପିଏସସି ଓଏସରେ ଟପ୍ କରିଥିଲେ । UPSCରେ ଉତ୍ତୀର୍ଣ୍ଣ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ମଙ୍ଗଳ ପାଇଁ ନୂତନ ପଦକ୍ଷେପ ନେବା ସହିତ ତୃଣମୂଳସ୍ତରରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହା ସହିତ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

୪୧ ହଜାର କୋଟି ଟଙ୍କାରେ ଚନ୍ଦ୍ର ବନାଇବ ଦୁବାଇ

ନୂଆଦିଲ୍ଲୀ: ଦୁନିଆରେ ଏପରି ମନୁଷ୍ୟ କୃତ ତଥା ଅଦ୍ଭୁଦ କଳାକୃତୀ ରହିଛି ଯାହାକୁ ଦେଖିଲେ ଆପଣ ନିଜ ଆଖିରେ ବିଶ୍ୱାସ କରିପାରିବେ ନାହିଁ । ଯାହା ଇଞ୍ଜିନିୟରଙ୍କ ହାତର ଯାଦୁଗରୀ ଏବଂ ଟେକ୍ନୋଲୋଜି ଦ୍ୱାରା ଅସମ୍ଭବକୁ ସମ୍ଭବ କରାଯାଇଥାଏ । ଏମିତି ଏକ ସହର ହେଉଛି ଦୁବାଇ । କଥାରେ ଅଛି ଯେ ସୁଉଚ୍ଚ ଅଟ୍ଟାଳିକା ଏବଂ ସ୍ୱତନ୍ତ୍ର ସ୍ଥାପତ୍ୟ କଳା ପାଇଁ ଦୁବାଇ ପରିଚିତ । ଯେଉଁଠି ଯୁଆଡେ ଚାହିଁଲେ ସିଆଡ଼େ ଆକାଶକୁ ଛୁଉଁଥିବା ବଡ଼ ବଡ଼ ଅଟ୍ଟାଳିକା । ଖାଲି ଏତି ନୁହେଁ ସେଠାକାର ହାଇଟେକ୍ ଇଞ୍ଜିନିଅରିଂ ଟେକ୍ନୋଲୋଜିରେ ମରୁଭୂମିରେ ବି ସମୁଦ୍ର ତିଆରି କରାଯାଇଛି ।

ଏତିକିରେ ସରିନି ଏଠାକାର କଳାକୃତୀ । ଏହା ଭିତରେ ଦୁବାଇ ତା’ର ସୁନ୍ଦରତା ଆହୁରି ବୃଦ୍ଧି କରିବାକୁ ଚନ୍ଦ୍ରକୁ ବି ଭୂଲୋକ ଆଣିବାକୁ ଯୋଜଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସୂଚନା ମୁତାବକ, ଦୁବାଇର ଏକ ରିସୋର୍ଟରେ ଚନ୍ଦ୍ର ପ୍ରତିକୃତି ସ୍ଥାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଉଛି । ଏହି ପ୍ରୋଜେକ୍ଟରେ ୪ ମିଲିୟନ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏହି ପ୍ରେଜେକ୍ଟକୁ ପ୍ରସ୍ତୁତ କରିଛନ୍ତି କାନାଡାର ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ । ମାଇକେଲ ଏହି ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ । ଯାହାକୁ ୧୦୦ ଫୁଟ ଉଚ୍ଚ କୋଠା ଉପରେ ରଖାଯିବ । ଏହି ପ୍ରୋଜେକ୍ଟକୁ ‘ମୁନ୍’ ନାମ ଦିଆଯାଇଛି । କୁହାଯାଉଛି କି ଏହି କୃତ୍ରିମ ଚନ୍ଦ୍ର ଦ୍ୱାରା ଲୋକେ ଅତି ପାଖରୁ ଚନ୍ଦ୍ରକୁ ଦେଖିବାର ମଜା ଉଠାଇ ପାରିବେ । ଏହି ପ୍ରୋଜେକ୍ଟକୁ ଏପରି ପ୍ରସ୍ତୁତ କରାଯାଉଛି, ଯାହାକୁ ଦେଖିବାକୁ ପ୍ରତିବର୍ଷ ୨.୫ ମିଲିୟନ ବା ୨୫ ଲକ୍ଷ ପର୍ଯ୍ୟଟକ ଆସିବେ ବୋଲି ଅନୁମାନ କରାଯାଉଛି ।

ହ୍ୟାଣ୍ଡର୍ସନଙ୍କ ଅନୁଯାୟୀ ଏହି କୃତ୍ରିମ ଚନ୍ଦ୍ର ଆକୃତି ହୋଟେଲ ରାତିରେ ଅସଲି ଚନ୍ଦ୍ର ପରି ଚମକିବ । ଯେଉଁଥିରେ ୪ ହଜାର ରୁମ୍ ରହିଛି । ଏହା ସହିତ ଏଠାରେ ପାଖାପାଖି ୧୦ ହଜାର ଲୋକ ରହିପାରିବେ । ଆହୁରି ମଧ୍ୟ ଏଠାରେ ଚାଲିଲେ ଚନ୍ଦ୍ରରେ ଚାଲିବା ପରି ଲାଗିବ । ଯାହା ଦ୍ୱାରା ଲୋକମାନେ ସ୍ପେଶ୍ ଓ୍ୱାକର ଅନୁଭବ ନେଇ ପାରିବେ ।

ମାଟିରେ ନୁହେଁ ମହାକାଶରେ ବିବାହ, ପୃଥିବୀଠାରୁ ଲକ୍ଷେ ଫୁଟ ଉଚ୍ଚରେ ହେବ ଗ୍ରାଣ୍ଡ ଓ୍ୱେଡିଂ

ନୂଆଦିଲ୍ଲୀ: ନିଜ ବିବାହକୁ ନିଆରା ଆଉ ସ୍ମରଣୀୟ କରିବାକୁ ତ ସମସ୍ତେ ଚାହାନ୍ତି । ସେଥିପାଇଁ କିଛି ଲୋକ ନିଆରା ଢଙ୍ଗରେ ତଥା ଭିନ୍ନ ସ୍ଥାନରେ ବିବାହ କରିବାକୁ ପସନ୍ଦ କରନ୍ତି । ଏବେ ଡେଷ୍ଟିନେସନ୍ ଓ୍ୱେଡିଙ୍ଗ୍ ପରେ ଆଉ ଏକ ନୂଆ ଧାରା ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ହେଲା ‘ସ୍ପେସ୍ ଓ୍ୱେଡିଂ’ ବା ମହାକାଶରେ ବିବାହ ।

ବିବାହକୁ ଅଧିକ ସ୍ମରଣୀୟ କରିବା ପାଇଁ ଆମେରିକାର “ସ୍ପେସ୍ ପର୍ସପେକ୍ଟିଭ୍’ ନାମକ ଏକ କମ୍ପାନୀ ଏବେ ଲୋକଙ୍କ ପାଇଁ ମହାକାଶରେ ବିବାହ କରିବାର ଅପୂର୍ବ ସୁଯୋଗ ଆଣିଛି। ଏହାଦ୍ଵାରା ବର ଓ କନ୍ୟା ଭିନ୍ନ ଏକ ପରିବେଶରେ ପୃଥିବୀଠାରୁ ଲକ୍ଷେ ଫୁଟ ଉଚ୍ଚରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି କମ୍ପାନି ପ୍ରଥମ ଥର ପାଇଁ ଲୋକଙ୍କୁ ଏଭଳି ଏକ ନିଆରା ସୁବିଧା ଯୋଗାଇ ଭିନ୍ନଧରଣର ଅନୁଭୂତି ପ୍ରଦାନ କରିବ ।

ସେହିପରି ମହାକାଶରେ ବାହାଘରକୁ ନେଇ ଲୋକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଏହି କମ୍ପାନିର ପ୍ରତିଷ୍ଠାତା ଜାନେ ପୋଣ୍ଠର କହିଛନ୍ତି କି, ମହାକାଶରେ ବିବାହ ପାଇଁ ଅନେକ ଲୋକ ଆଗ୍ରହୀ ଅଛନ୍ତି । ତେବେ କେଉଁ ଯୋଡ଼ି ପ୍ରଥମେ ବିବାହ କରିବେ, ତାହା ଏଯାଏଁ ସ୍ଥିର ହୋଇ ନାହିଁ। ନେପଟୁନ୍ କ୍ୟାପ୍ସୁଲରେ ବସି ବର, କନ୍ୟା ମହାକାଶକୁ ଯିବେ। ଆଉ ସେମାନେ ମହାକାଶରୁ ପୃଥିବୀର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିପାରିବେ ।

ଏହି ସ୍ପେସ୍ ବେଲୁନ ହାଇଡ୍ରୋଜେନ୍ ଗ୍ୟାସରେ ସଂଚାଳିତ ହେବ । ଏବଂ ଏହି କ୍ୟାପସୁଲ ଘଣ୍ଟା ପ୍ରତି ୧୨ ମାଇଲ ବାଟ ଅତିକ୍ରମ କରିବ । ସେହିପରି ଏହା ୧୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉପରକୁ ଉଠିବ । ଅବଶ୍ୟ ଏହି ଯାତ୍ରା ପାଇଁ ଜଣକ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଆଉ ଏଥିରେ ଥରକରେ ପାଇଲଟଙ୍କ ସହ ଆଠଜଣ ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ ବରକନ୍ୟାଙ୍କ ପାଇଁ କକ୍ଟେଲ, ସାଉଣ୍ଡଟ୍ରାକ୍ ଲାଇଟିଂ, ଓ୍ୱାଇଫାଇ, ଟଏଲେଟ୍ ସୁବିଧା ସହିତ ଫ୍ଲୋଟିଙ୍ଗ୍ ଲାଉଞ୍ଜର ସୁବିଧା ମଧ୍ୟ ଅଛି ।

୨୦୨୪ରେ ଏହା ଲଞ୍ଚ୍ ହେବାକୁ ଥିବା ବେଳେ ଏବେ ସୁଦ୍ଧା ୧୦୦୦ ଟିକଟ ବିକ୍ରି ହୋଇସାରିଲାଣି । ଏହା ଛଡ଼ା ଶାରୀରିକ ଭାବେ ଫିଟ୍ ଥିବା ଲୋକେ ଏହି ଯାତ୍ରା ପାଇଁ ବୁକିଂ କରିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ଯାତ୍ରା ସୁରକ୍ଷିତ ହେବା ସହ ଲୋକଙ୍କ ପାଇଁ ବେଶ୍ ଆରାମଦାୟକ ରହିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି ।

ପ୍ରକାଶ ପାଇଲା UPSC-୨୦୨୨ ରେଜଲ୍ଟ, ମୋଟ ୧ ହଜାର ୨୨ ଜଣ କୃତକାର୍ଯ୍ୟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍-୨୦୨୨ ରେଜଲ୍ଟ । ମୋଟ୍ ୧୦୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ୍ପର ହୋଇଛନ୍ତି ଇଶିତା କିଶୋରୀ । ଟପ୍-୪ରେ ରହିଛନ୍ତି ୪ ମହିଳା । ଦ୍ବିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍. ଉମା ହାରଥୀ ଓ ଚତୁର୍ଥରେ ସ୍ମିତି ମିଶ୍ରା । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କ ଓ ତେଜସ୍ବିନୀ ବେହେରା ୫୧୬ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ୧୬୨ ନମ୍ବର ରାଙ୍କରେ ଓଡ଼ିଆ ଛାତ୍ର ଦୁର୍ଗାପ୍ରସାଦ ଅଧିକାରୀ ରହିଛନ୍ତି ।

୮ ଲକ୍ଷ ଟଙ୍କାର ଦୁଇ ହଜାରିଆ ନୋଟ୍ ମନ୍ଦିରକୁ ଦେଲେ ଅଜ୍ଞାତ ଭକ୍ତ

କାଙ୍ଗ୍ରା: ଦେଶରେ ଦୁଇ ହଜାର ଟଙ୍କିଆ ନୋଟ୍ ବନ୍ଦ ହେବା ନେଇ ସୂଚନା ମିଳିବା ପରେ ଦେବୀଙ୍କ ମନ୍ଦିରର ୮ ଲକ୍ଷ ଟଙ୍କା ଦାନ କଲେ ଅଜ୍ଞାତ ଭକ୍ତ । ହିମାଚଳ ପ୍ରଦେଶର ମା ଜ୍ୱାଲାମୁଖୀ ମନ୍ଦିରରେ ଜଣେ ଶ୍ରଦ୍ଧାଳୁ ଦୁଇ ହଜାର ଟଙ୍କିଆ ୪୦୦ ନୋଟ୍ ଚଢାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ନଗର ପରିଷଦ ଜ୍ୱାଲାମୁଖୀର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି,  ସେପ୍ଟେମ୍ବର ଯାଏଁ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟକୁ ପରିବର୍ତ୍ତନ କରାଯାଇପାରିବ । ଏଭଳି ସମୟରେ ଦାନ ହୋଇଥିବା ଟଙ୍କା ମନ୍ଦିରର ବିକାଶ କାମରେ ଲାଗିପାରିବ । ତେବେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି କାଙ୍ଗ୍ରା ଡିସି ନିପୁଣ ଜିନ୍ଦଲ।

ଗତ ମେ ମାସରେ ଭାରତୀୟ ସେନାର ଡୋଗରା ରେଜିମେଣ୍ଟର ୨୦ ତମ ବାଟାଲିୟନ୍ ର ଅଧିକାରୀ ଓ ଯବାନ ମାନେ ମନ୍ଦିରର ସ୍ମୃତି ଚିହ୍ନ ଭାବେ ୪୦୦ କିଲୋଗ୍ରାମର ପିତଳ ଧାତୁର ଦୁଇଟି ସିଂହ ଦାନ କରିଥିଲେ । ସ୍ମୃତି ଚିହ୍ନର ସ୍ଥାପନା ସମୟରେ ଡୋଗରା ରେଜିମେଣ୍ଟର ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ମନ୍ଦିରରେ ଜଳୁଛି ୯ ଜ୍ୟୋତି-

ହିମାଚଳ ପ୍ରଦେଶର କାଙ୍ଗ୍ରା ଘାଟିରୁ ଦକ୍ଷିଣରେ ୩୦ କିମି. ଦୂର ଏବଂ ଧର୍ମଶାଳାରୁ ୫୬କିମି. ଦୂରରେ ରହିଛି ଜ୍ୱାଳାଜୀ ମନ୍ଦିର । କାଙ୍ଗଡା ଘାଟିରେ ଜ୍ୱାଳା ଦେବୀ ମନ୍ଦିରରେ ରହସ୍ୟମୟ ଭାବେ ଜଳୁଥାଏ ୯ ଅନନ୍ତ ଅଗ୍ନୀଶିଖା । ଏହି ସ୍ଥାନ ହିନ୍ଦୁ ତୀର୍ଥଯାତ୍ରାଙ୍କୁ ଆକୃଷ୍ଟ କରିଥାଏ । ତେବେ ଏଠାରେ ମାଆଙ୍କର କୋଣସି ମୂର୍ତ୍ତି ପୂଜା ହୋଇନଥାଏ। ବରଂ ପୃଥିବୀ ଗର୍ଭରୁ ବାହାରିଥିବା ୯ଟି ଜ୍ୟୋତିକୁ ଏଠାରେ ପୂଜା କରାଯାଏ। ଏହି ଜ୍ୟୋତିକୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥାଏ।

 କ’ଣ ରହିଛି ରହସ୍ୟ-

କୁହାଯାଏ ଏହି ଅଗ୍ନୀଶିଖା ହେଉଛି ମାତା ସତୀଙ୍କର ଜିହ୍ଵା । ବିଶ୍ୱାସ ଅନୁସାରେ ଦେବଦେବ ମହାଦେବ ମାତା ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବା ସମୟରେ ମାତା ସତୀଙ୍କର ଶରୀରର ବିଭିନ୍ନ ଅଶଂ ଭାରତର ଅନେକ ସ୍ଥାନରେ ପଡ଼ିଥିଲା । ଆଉ କାଙ୍ଗ୍ରାର ଏହି ସ୍ଥାନରେ ମାତା ସତୀଙ୍କର ଜିହ୍ଵା ପଡ଼ିଥିଲା । ସେହି ଜ୍ୱାହା ଅଗ୍ନୀ ସ୍ୱରୁପା ଭାବରେ ଏଠାରେ ଆବିର୍ଭୁତ ହୋଇ ଉପାସିତ ହେଉଛନ୍ତି ।  ତେବେ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।