ମହାରାଷ୍ଟ୍ର କଂଗ୍ରେସର ଅଭିଯୋଗ ଶରଦଙ୍କୁ ବିଜେପି ଦେଇଛି ମନ୍ତ୍ରୀ ପଦର ଅଫର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥାଏ । ରାଜନୈତିକ ମୋଡ଼ କେତେବେଳେ କେଉଁ ରୂପ ନେଉଛି ତାହା କଳ୍ପନା କରିବା ଅସମ୍ଭବ । ତେବେ ନିକଟରେ ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାରଙ୍କ ରୁଦ୍ଧଦ୍ବାର ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ପ୍ରୀତିରାଜ ଚାଓ୍ବନ । ସେ କହିଛନ୍ତି କି, ବିଜେପି ପକ୍ଷରୁ ଶରଦ ପାଓ୍ବାରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦର ଅଫର ମିଳିଛି । ସ୍ଥାନୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି କି, ଶରଦଙ୍କୁ ବିଜେପି ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଅଧ୍ୟକ୍ଷ ପଦବୀ ଦିଆଯିବ । ଏହା ସହ ଶରଦଙ୍କ ଝିଅ ସୁପ୍ରିୟାଙ୍କୁ ମଧ୍ୟ ମନ୍ତ୍ରୀ ପଦର ଅଫର ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଆଜି ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ବୈଠକରେ ସେ ସମସ୍ତ ଉତ୍ତର ରଖିବେ ବୋଲି କୁହାଯାଉଛି ।

ତେବେ ଏନେଇ ଶରଦଙ୍କ ଝିଅ ସୁପ୍ରିୟା କହିଛନ୍ତି କି, ଶରଦ ଏବଂ ଅଜିତଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଛି ତାଙ୍କୁ ଜଣାନାହିଁ । ଗଣତନ୍ତ୍ରରେ ଅନେକ ସମୟରେ ପାର୍ଥକ୍ୟ ଥାଏ । ପାରିବାରିକ ସମ୍ପର୍କ ଭିନ୍ନ ଏବଂ ରାଜନୈତିକ ଦୃଷ୍ଟିକୋଣ ଅଲଗା ହୋଇଥାଏ । ଏହାସହ ସୁପ୍ରିୟା କହିଛନ୍ତି କି, ମୋତେ କୌଣସି ମନ୍ତ୍ରୀ ପଦର ଅଫର ମିଳିନାହିଁ । ମଜାଳିଆ ଢ଼ଙ୍ଗରେ କହିଛନ୍ତି କି, ମୁଦ୍ରାସ୍ପୀତି ବୃଦ୍ଧି ପାଇଛି । କେବଳ ଅଗଷ୍ଟ ୧୫ରେ ଉପଲବ୍ଧ ଅଫରଗୁଡ଼ିକ ସମ୍ପର୍କରେ ମୁଁ ଅବଗତ ଅଛି । ମୁଁ କଂଗ୍ରେସ ନେତୃତ୍ବ ସହ ନିରନ୍ତର କଥାବାର୍ତ୍ତା କରେ ।