ଥମୁନି ସୁଦାନ ସଙ୍କଟ, ୧୦ ଲକ୍ଷ ଲୋକେ ଦେଶ ଛାଡ଼ି ପଳାୟନ କଲେଣି

1 min read

ଖାରତୁମ: ଥମୁନି ଧ୍ବସ୍ତବିଧ୍ବସ୍ତ ସୁଦାନ ସଙ୍କଟ । ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଥିବାବେଳେ ହଜାର ହଜାର ଲୋକ ହାହାକାର ମଧ୍ୟରେ କାଳାତିପାତ କରୁଛନ୍ତି । ବିପନ୍ନ ଲୋକଙ୍କୁ ଖାଦ୍ୟ ଓ ମେଡିକାଲ ସୁବିଧା ମିଳୁନି । ଦେଶର ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛି ବୋଲି ସୂଚନା ଦେଇଛି ଜାତିସଂଘ ।

ଦାରଫର ସହରରେ ଜୋରଦାର ଲଢେଇ ଜାରି ରହିଥିବାବେଳେ ରାଜଧାନୀ ଖାରତୁମ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି । ସୁଦାନ ଆର୍ମି ଓ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସେସ ବା ଆରଏସଏଫ ନିଜ ଜିଦରେ ଅଟଳ ରହିବା ଯୋଗୁ ଶାନ୍ତି ଫେରିବାର ନାଁ ନେଉନାହିଁ । ସୁଦାନର ବହୁ ଅଞ୍ଚଳରେ ମେଡିକାଲ ସୁବିଧା ପହଞ୍ଚି ପାରୁନାହିଁ । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିସାରିଥିବାବେଳେ ୩୪ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି । ବିଦ୍ୟୁତ ଓ ମୋବାଇଲ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । ଦେଶ ଘନ ଆର୍ଥିକ ସଙ୍କଟକୁ ଚାଲିଗଲାଣି ବୋଲି କହିଛି ଜାତିସଂଘ । ଗତ ଏପ୍ରିଲ 15ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମୁଖପାତ୍ର ଏଲିଜାବେଥ ଥ୍ରୋସେଲ ।

କ୍ଷମତାକୁ କେନ୍ଦ୍ର କରି ଆର୍ମି ଚିଫ ଆବଦେଲ ଫତାହ ଅଲ-ବୁହାନ ଓ ଅର୍ଦ୍ଧସାମରିକ ବାହିନୀ ତଥା ଆରଏସଏଫ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।