ସୁପ୍ରିମକୋର୍ଟଙ୍କ ରହିତାଦେଶ ଯୋଗୁଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଭାବ

1 min read

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ସଂକ୍ରାନ୍ତରେ ଆଡ଼ଭୋକେଟ ଜେନେରାଲଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ । ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଯୋଗୁ ଗତ ୨୦ ମେ ୨୦୨୨ରୁ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଦିଆଯାଇ ପାରୁନାହିଁ । ରହିତାଦେଶ ଯୋଗୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରେ ପଦବୀ ପୂରଣ ନେଇ OPSC ପରିଚାଳିତ ଶିକ୍ଷକ ଚୟନ ପ୍ରକ୍ରିୟା ସମ୍ଭବ ନୁହେଁ ।

ବର୍ତ୍ତମାନ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ମୋଟ ୧୭୯୮ଟି ପଦବୀ ମଧ୍ୟରୁ କେବଳ ସରକାରୀ ବିଶ୍ୱବିଦ୍ୟାଳୟରେ 1072 ପଦବୀ ଖାଲି ରହିଛି । ଯାହାଦ୍ବାରା ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ନେଇ AOR ଗୌରବ ଖାନ୍ନାଙ୍କ ସହିତ ବାରମ୍ବାର ଯୋଗାଯୋଗ କରାଯାଇଛି ।

ରାଜ୍ୟର ସ୍ୱାର୍ଥ ରକ୍ଷା କରିବାକୁ IA ଦାଖଲ କରିବା ସହ ଉପରୋକ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଆବଶ୍ୟକ । ଯେଉଁଥିପାଇଁ ଏହି ଚିଠି ଜରିଆରେ ଘଟଣା ସଂକ୍ରାନ୍ତରେ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରାଯାଇଛି । ଏ ସଂକ୍ରାନ୍ତରେ AOR ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡଭୋକେଟ ଜେନେରାଲ କେ.ଭେନୁଗୋପାଳଙ୍କ ସହ ଆଲୋଚନା କରାଯାଇଛି । ବିଶ୍ବବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ହେଲେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶର ଆବଶ୍ୟକତା ରହିଛି । ଏ ଦିଗରେ ବିହିତ ପଦକ୍ଷେପ ନେବା ସହ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଡଭୋକେଟ ଜେନେରାଲକୁ ଚିଠି ଲେଖି ଅନୁରୋଧ କରାଯାଇଛି ।