spot_img
Home Blog Page 3085

ନୂଆ ଯୋଜନା ‘ମୋ ଘର’ ର ଶୁଭାରମ୍ଭ, ୩ ଲକ୍ଷ ଟଙ୍କା ଯାଏ ମିଳିବ ବ୍ୟାଙ୍କ ଋଣ

ଭୁବନେଶ୍ବର: ନୂଆ ଯୋଜନା `ମୋ ଘର’ର ଶୁଭାରମ୍ଭ ହୋଇଛି। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୋ ଘର ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ।

ସେହିପରି ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । ଯୋଜନାରେ ହିତାଧିକାରୀ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ।

ସେହିପରି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ପରିମାଣର ସହାୟତା ରାଶି ପାଇଥିବେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିବ । ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ।

୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଲାଭ ପାଇପାରିବେ । ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣ ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ। ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରାଯିବ। ଋଣ ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଯୋଜନା ପାଇଁ ଥିବା ନିର୍ଦ୍ଧିଷ୍ଟ ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ ।

ଜୁନ୍ ୧୬ତାରିଖରୁ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ଆବେଦନପତ୍ର ଦାଖଲ ବେଳେ ଆବେଦନକାରୀଙ୍କୁ ପାସପୋର୍ଟ ଫଟୋ, ଆଧାରକାର୍ଡ, କେଓ୍ବାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ଦେବାକୁ ପଡିବ। ଆବେଦନକାରୀ ଋଣ ପରିମାଣର ୧୦ପ୍ରତିଶତ ରାଶି ମାର୍ଜିନ୍ ଅର୍ଥ ଭାବେ ବିନିଯୋଗ କରିବେ। ଗୃହ ନିର୍ମାଣସ୍ତର ଅନୁସାରେ ଋଣ ରାଶି ୨ରୁ ୩ଟି ପର୍ଯ୍ୟାୟରେ ଦିଆଯିବ। ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି ।

ଢେଙ୍କାନାଳ ଯୋରନ୍ଦାରେ 5T ସଚିବ ଭି.କେ ପାଣ୍ଡିଆନ, ଉନ୍ନତିମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

ଢେଙ୍କାନାଳ: ଉନ୍ନତି ପଥରେ ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।

ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଯୋରନ୍ଦା ହାଇସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପାନ୍ଥନିବାସ ଯାଇ ଅପେକ୍ଷାରତ ଜନପ୍ରତିନିଧିଙ୍କୁ ଭେଟିବା ପରେ ଧୂନି ମନ୍ଦିର ପରିଦର୍ଶନ କରିବେ । ପରେ ଗାଦି ମନ୍ଦିର ଯାଇ ବକଳଧାରୀଙ୍କୁ ସାକ୍ଷାତ କରିବେ । ସମ୍ବୋଧନ ମଞ୍ଚରେ 5T ସଚିବଙ୍କୁ ଅପେକ୍ଷା କରିଛନ୍ତି ଅନେକ ଲୋକ । ସେଠାରେ ଭି.କେ ପାଣ୍ଡିଆନ ମହିମା ଗାଦିର ବିକାଶ ନେଇ କଣ କହିବେ , ତାକୁ ଅପେକ୍ଷା କରିଛନ୍ତି ।

ଏହାପରେ ଜ୍ୟୋତି ମନ୍ଦିର, କୌପିନଧାରୀ ଆଶ୍ରମ, ନୀତି ମନ୍ଦିର ଯିବେ । ପୀଠରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ରାସ୍ତାଘାଟ, ଉନ୍ନତମାନର ଶୌଚାଳୟ, ପାର୍କ, ପୋଖରୀ ଗୁଡିକର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି । ବିଶ୍ରାମସ୍ଥଳୀ, ବଡ ମଠ, ଆଶ୍ରମ ଓ ମନ୍ଦିର ଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠକୁ ଆଲୋକିକରଣ କରାଯାଉଛି । ଏସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବକଳଧାରୀ ଓ କୌପିନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାର ଯୋରନ୍ଦାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ଉଭୟ ଗୋଷ୍ଠୀର ସାଧୁ ସନ୍ୟାସୀ ।

ଚେକରେ ୧୨ ଲକ୍ଷ ଲାଞ୍ଚ ନେଉଥିଲେ ତହସିଲଦାର ବାବୁ, ଧରିଲା ଭିଜିଲାନ୍ସ

କରଞ୍ଜିଆ: ଚେକରେ ୧୨ ଲକ୍ଷ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଜମି କ୍ଷତିପୂରଣ ବାବଦ ୫୧ଲକ୍ଷ ୭୫ହଜାର ୮୧୦ ଟଙ୍କା ଦେବାକୁ  ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚାପା । କରଞ୍ଜିଆ ତହସିଲ ଅଫିସ, କରଞ୍ଜିଆ ସ୍ଥିତ କ୍ବାର୍ଟର୍ସ, ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଓ କରଞ୍ଜିଆର ଛଡେଇ ଭୋଲରେ  ଚାଲିଛି ଭିଜିଲାନ୍ସ ଛାପା । ରେଡ୍‌ରେ ଅତିରିକ୍ତ ଏସପି, ୭ ଡିଏସପି, ୩ ଇନସ୍ପେକ୍ଟର ସାମିଲ ଅଛନ୍ତି । ଅଭିଯୋଗକାରୀ ତହସିଲଦାରଙ୍କୁ ୨ଟି ବ୍ଲାଙ୍କ ଚେକ୍ ଦେଇଥିବା ଅଭିଯୋଗ ହୋଇଛି ।

କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି:  ‘ମୋ ଘର’ ଯୋଜନାରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୧୮ ଟି ପ୍ରସ୍ତାବରେ ମୋହର ବାଜିଛି । ‘ମୋ ଘର’ ଯୋଜନାରେ ବାଜିଛି କ୍ୟାବିନେଟ ମୋହର । ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଣିକି ଗ୍ରାମାଞ୍ଚଳରେ ଘର ତିଆରି ପାଇଁ ରାଜ୍ୟ ସରକାର ସହାୟତା ଦେବେ ।

ଏହା ସହ ଦୁଇଟି ସିନେମାକୁ କର ମୁକ୍ତ କରାଯାଇଛି । ‘ଡେଲିଭରୀ ବୟ’ ଏବଂ ଜ୍ବିଗାଟୋ’ କର ମୁକ୍ତ ହୋଇଛି । ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି । ପ୍ରତିଷ୍ଠା ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବ ବିଦ୍ୟାଳୟ । ଏଥିପାଇଁ ୩୩୦.୧୭ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି ।  ଭିସୁଟ ରୁପାନ୍ତରଣ ପାଇଁ ୨ ହଜାର କୋଟି ବ୍ୟୟରେ IDPକୁ ମଞ୍ଜୁରୀ ମିଳିଛି ।

ଭୁବନେଶ୍ବର ସାଲିଆ ସାହିରେ ଦନ୍ତା, ଘଣ୍ଟାଏ ଧରି ଖେଳାଇଲା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରେ ଦନ୍ତା ଆତଙ୍କ । ଘଣ୍ଟାଏ ଧରି ଆତଙ୍କ ଖେଳାଇଲା ହାତୀ । ପାଟ୍ରୋଲିଂ କରୁଥିବା ପିସିଆର୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ନହେବାରୁ ଆଉ ଗୋଟିଏ ପିସିଆର୍ ନିୟୋଜିତ ହୋଇଥିଲା।

ହାତୀଟି ସାଲିଆ ସାହି ମଧ୍ୟରେ ଅନେକ ସମୟ ଧରି ଉତ୍ପାତ କରିବା ପରେ ଅଧଘଣ୍ଟା ପରେ ବନ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ବାଣ ଏବଂ ସାଇରନ୍ ବ୍ୟବହାର କରିଥିଲେ। ପରେ ନିକଟସ୍ଥ ହାତିଆଶୁଣି ମନ୍ଦିର ପାଖରେ ଥିବା ପାଚେରୀ ଡେଇଁ ଭରତପୁର ଜଙ୍ଗଲ ମଧ୍ୟକୁ ପଳାଇଥିଲା। ତେବେ ପାଚେରୀ ଭାଙ୍ଗି ଯାଇଥିବାରୁ ଖାଦ୍ୟ ଅନ୍ୱେଷଣରେ ଅଂଚଳରେ ଦୁଇଟି ହାତୀ ସବୁବେଳେ ରାତିରେ ଆସି ବୁଲାବୁଲି କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ, ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ନବୀନ ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଥିବାରୁ ହୋଇପାରେ ବଡ଼ ଘୋଷଣା । ବିଶେଷକରି ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ କିଛି ବଡ଼ ନିଷ୍ପତ୍ତି ହୋଇପାରେ । ସେହିପରି ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ ସଂକ୍ରାନ୍ତ କେତେକ ପ୍ରସ୍ତାବ ବୈଠକରେ ଆଗତ ହେବାର ସମ୍ଭାବନା ରହିଛି ।

ରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ, ଜୋରଦାର ହେବ ଚେକିଂ ଓ ବ୍ଲକିଙ୍ଗ

ଭୁବନେଶ୍ବର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ । ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଲକିଙ୍ଗ ଜୋରଦାର । ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ କରିଛି ପୋଲିସ । ସେହିପରି ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୋଲିସ । ବାର୍, ପବରେ ରେଡ ପରେ ଛକ ବଜାରରେ ଚେକିଂ କରିଛି ପୋଲିସ ।

ସହରକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି ସେଫ୍ ସିଟି ଡ୍ରାଇଭ । ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଲକିଙ୍ଗକୁ ବ୍ୟାପକ କରାଯିବ । ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି । କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ରାଜଧାନୀରେ ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ଜବତ ହେଲା ୨୭୩ କେଜି ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀରେ ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ । ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ୨୭୩ କେଜି ଗଞ୍ଜେଇ ଜବତ ।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା । ରସୁଲଗଡ ଅଞ୍ଚଳରୁ ଗିରଫ କଲା ଏନସିବି ।

ବୌଦ୍ଧ ମନମୁଣ୍ଡାରୁ ଭୁବନେଶ୍ୱର ଦେଇ ଝାରଖଣ୍ଡ ଯାଉଥିଲା । ଖବର ପାଇ ମାଡି ବସିଲା ଏନସିବି । ଟ୍ରକର ଡ୍ରାଇଭର କ୍ୟାବିନ ପଛ ପଟେ ସ୍ପେଶାଲ କ୍ୟାବିନ କରି ଗଞ୍ଜେଇ ଚାଲାଣ କରୁଥିଲେ । ୨ ଅଭିଯୁକ୍ତ ଝାରଖଣ୍ଡ ଧାନବାଦ ଅଂଚଳର । ଡ୍ରଗ୍ସ ସିଣ୍ଡିକେଟ ନେଇ  ୨ ଜଣକୁ ଏନସିବିର ପଚାରଉଚରା ଜାରି ରହିଛି । ୨୦୨୦ରୁ ଏବେ ସୁଦ୍ଧା ୮ହଜାର ୯ ୮୩ କେଜି ଗଞ୍ଜେଇ ଓ ୨୮ କେଜି ଅଫିମ ଜବତ କରିବା ସହ ୫୩ ଜଣ ମାଫିଆକୁ ଗିରଫ କରିଛି ଏନସିବି । ଜେରା ବେଳେ କୌଣସି ସାମଗ୍ରୀ ନେଇ ଆସିଥିବା କଥା କହି ଥିଲେ । କିନ୍ତୁ ଖାଲି ଗାଡି ନେଇ ଆସିଥିବା ତଦନ୍ତରୁ ଜଣାପଡ଼ିଛି ।

ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ, ବର୍ଷା ପାଇଁ ମ୍ୟାଚ ହୋଇଥିଲା ବାତିଲ

ଅହମ୍ମଦାବାଦ: ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଆଜି ରିଜର୍ଭ ଡେରେ ସଂଧ୍ୟା ୮ଟାରେ ଖେଳାଯିବ ମ୍ୟାଚ । ଗତକାଲି ପ୍ରବଳ ବର୍ଷା ପାଇଁ ମ୍ୟାଚ ବାତିଲ କରାଯାଇଥିଲା । ଲଗାତାର ବର୍ଷା ଜାରି ରହିଥିବାରୁ ମ୍ୟାଚକୁ ବାଧ୍ୟ ହୋଇ ବାତିଲ କରାଯାଇଥିଲା । ଚଳିତ ବର୍ଷ କିଏ ଟାଇଟଲ ହାତେଇବ ତାରି ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର । ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା ଆଇପିଏଲ ମୁକାବିଲା ।

ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା ଉଦଘାଟନୀ ମୁକାବିଲା । ଏହି ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିଲା ଗୁଜୁରାଟ । ଏବେ ଦୁଇମାସ ପରେ ପୁଣି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଉଭୟ ଟିମ୍ । ଚଳିତ ଆଇପିଏଲ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଭଲ ପ୍ରଦର୍ଶନ କରି ଆସିଛି । ୧୪ ଟି ମ୍ୟାଚରୁ ୮ଟିରେ ବିଜୟ ଓ ଗୋଟିଏ ଡ୍ର ଯୋଗୁ ୧୭ ପଏଣ୍ଟ ହାସଲ କରି ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା । ସେହିପରି ହାର୍ଦ୍ଦିକଙ୍କ ନେତୃତ୍ବାଧିନ ଗୁଜୁରାଟ ମଧ୍ୟ ୧୪ଟି ଲିଗରୁ ୧୦ଟି ଜିତି ୨୦ ପଏଣ୍ଟ ପାଇ ଟେବୁଲ ତାଲିକାର ପ୍ରଥମରେ ରହିଥିଲା । ଦଳର ଶୁଭମନ ଗିଲଙ୍କ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଦଳର ବୋଲିଂ ଲାଇନ ମଧ୍ୟ ଭଲ ରହିଛି ।

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ । ୨୦୧୯ ମେ’ ୨୯ ତାରିଖ । ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ଫଳାଫଳ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ ।

ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ମଡେଲ ସାଜିଛି ବିଜେଡି ସରକାର ।

ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ନୂଆ ଓଡିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ବଚ୍ଛତା ସହ ରୂପାନ୍ତରଣରେ ଲେଖାହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲ ଅଧିକ ବିକଶିତ ହୋଇଛି । ସ୍ବାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ ।

ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଁଚିଛି ସ୍ବାସ୍ଥ୍ୟସେବା । ଦୀର୍ଘ ୨୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟବାସୀଙ୍କ ବିଶ୍ବାସ ଜିତି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୪ବର୍ଷରେ ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଲୋକେ ଯାହା ଚାହୁଁଥିଲେ ସରକାର ଓ ପ୍ରଶାସନରେ ସେହିଭଳି ନୀତି ଓ ବ୍ୟବସ୍ଥା ପ୍ରତିଫଳିତ ହୋଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କ ସଶକ୍ତୀକରଣ ହେଉ କି ଗରିବଙ୍କ ପାଇଁ ବିଏସକେଓ୍ବାଇ କାର୍ଡ, 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ହେଉ କି ଧାର୍ମିକସ୍ଥଳୀର ସୌନ୍ଦର୍ଯ୍ୟକରଣ, ଲୋକଙ୍କ ଭିତରେ ନବୀନ ସରକାର ପ୍ରତି ବଢିଛି ବିଶ୍ବାସ। 5T ଓ ମୋ ସରକାରରେ ଭଲ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସାବାସୀ ମିଳୁଥିବା ବେଳେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେଉଛି ତ୍ବରିତ କାର୍ଯ୍ୟାନୁଷ୍ଠାନ।