ରୋଗଶଯ୍ୟାରେ ଦୁଇ ପିଲା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନବରଙ୍ଗପୁର: ରୋଗଶଯ୍ୟାରେ ଦୁଇ ପିଲା । ପୁଅର ଦୃଷ୍ଟିଶକ୍ତି କମୁଥିବା ବେଳେ ଝିଅ କାନରେ ହୋଇଛି ଘା । ସ୍ବାମୀଙ୍କୁ ହରାଇବା ପରେ କଷ୍ଟେ ମଷ୍ଟେ ଚଳୁଥିଲା ପରିବାର । ଏବେ ପିଲାଙ୍କ ଚିକିତ୍ସା ମୁଣ୍ଡ ଉପରେ ପାହାଡ଼ ଭଳି ଲଦି ହୋଇଛି । କେମିତି ଦୁଇ ପିଲାଙ୍କର ଚିକିତ୍ସା ହେବ । ସେହି ଚିନ୍ତାରେ ନବରଙ୍ଗପୁର ପାପଡାହାଣ୍ଡିର ସୁଭଦ୍ରା ଜାନୀ । ସ୍ବାମୀଙ୍କୁ ହରାଇବା ପରେ ମୂଲ ଲାଗି ଯାହା ରୋଜଗାର କରୁଥିଲେ ସେଥିରେ ଦୁଇ ଓଳି ଖାଇବା କଷ୍ଟ ହୋଇପଡିଥିଲା । କିଛି ମାସ ତଳେ ହଠାତ୍ ବଡ ପୁଅ ବୈଦ୍ୟନାଥର କାନମୁଣ୍ଡାରେ ଏକ ଘାଆ ହୋଇଥିଲା । ଧୀରେ ଧୀରେ ତାହା ବଢିବାକୁ ଲାଗିଥିଲା । ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥିଲା । ସୁଭଦ୍ରା ପୁଅକୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଭୁବନେଶ୍ବରକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଏବେ ଅଧିକ ଚକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ସେତିକିରେ ସରିନି ଦୁଃଖ । ଅଳ୍ପ ଅଳ୍ପ କରି ଝିଅର କାନମୁଣ୍ଡରେ ଘାଆ ସୃଷ୍ଟି ହୋଇଛି । ମୁରବି ହୀନ ପରିବାରରେ ଚିକିତ୍ସା ଖର୍ଚ୍ଚ ବହନ କରିବା ଅସମ୍ଭବ ହୋଇପଡିଥିବା ବେଳେ ସରକାରୀ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ପରିବାର । ପରିବାରର ଦୁଇଜଣ ଶିଶୁଙ୍କ ଚିକିତ୍ସା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ବାହାରକୁ ପଠାଇ ସେମାନଙ୍କ ସ୍ବତନ୍ତ୍ର ଚିକିତ୍ସା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ।