spot_img
Home Blog Page 3077

ପ୍ଲସ ଟୁରେ ବି ଚମକିଲେ ଝିଅ; ପଛରେ ପଡିଲେ ପୁଅ

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇର ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି । ଗତ ବର୍ଷ ପରି ଏଥର ବି ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ବିଜ୍ଞାନରେ ୮୪.୯୩ ପ୍ରତିଶତ ପାସ ହାର ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି ।

ଜୁନ୍ ୮ ତାରିଖ ସୁଦ୍ଧା ଆସିବ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଜୁନ୍ ୧୦ ରୁ ଡିଜିଲକର ଆପରୁ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାବର୍ଷ ଏକାଥରକେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ନେଇ ସିଏଚ୍ଏସ୍ଇ ପ୍ରତିଶ୍ରୁତି ଦେଇଛି । ଚଳିତ ବର୍ଷ ବିଜ୍ଞାନରେ ୭୮ ହଜାର ୯୩୮ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ, ପାସ ପ୍ରତିଶତ ରହିଛି ୮୪.୯୩ ପ୍ରତିଶତ ।

ସେଥିମଧ୍ୟରୁ ପୁଅଙ୍କ ପାସ ହାର ୮୪.୨୮% ଥିବା ବେଳେ, ଝିଅଙ୍କ ପାସ ହାର ୮୫.୬୭% ରହିଛି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି  । ସେହିଭଳି ୩୫୮ ଜଣ ୯୦% ରୁ ଅଧିକ ନମ୍ବର ରଖିଥିବା ବେଳେ ୨୯୧ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୬.୪୧% ପାସ ହାର ହୋଇଥିବା ବେଳେ, ଗଜପତିରେ ସର୍ବନିମ୍ନ ୬୧.୫୫% ପାସ ହାର ରହିଛି ।

ସେହିଭଳି ଭାବେ ବାଣିଜ୍ୟରେ ୧୯ ହଜାର ୫୩୬ ଛାତ୍ରଛାତ୍ରୀ ପାସ କରିଥିବା ବେଳେ, ପାସ ହାର ରହିଛି ୮୧.୧୨ପ୍ରତିଶତ  । ସେଥିରୁ ପୁଅଙ୍କ ପାସ ହାର ୭୯.୫୨% ଥିବା ବେଳେ, ଝିଅଙ୍କ ପାସ ହାର ୮୩.୮୭% ରହିଛି  । ପ୍ରଥମ ଶ୍ରେଣୀରେ ୭୪୧୦ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ, ଦ୍ଵିତୀୟ ଶ୍ରେଣୀରେ ୪୫୪୩ ଓ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୦୨ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୯୪ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି  ।

ବାଣିଜ୍ୟ ବିଭାଗରେ ମଧ୍ୟ ନୟାଗଡ ଜିଲ୍ଲା ସର୍ବାଧିକ ୯୩,୯% ପାସ ହାର ଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫୫.୫୫% ପାସ ହାର ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ବିଜ୍ଞାନରେ ୧୦% ଓ ବାଣିଜ୍ୟରେ ୫% ରେଜଲ୍ଟ କମିଛି  । ତେବେ କରୋନା ମହାମାରୀ ପାଇଁ ପ୍ରଥମ ଥର ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ମହାମାରୀ ପୂର୍ବର ପରୀକ୍ଷା ତୁଳନାରେ ଭଲ ରେଜଲ୍ଟ କରିଛନ୍ତି ବୋଲି ସିଏଚ୍ଏସ୍ଇ କହିଛି ।

କଳା ଏବଂ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପରେ ପୁନଃ ମୂଲ୍ୟାୟନ ଏବଂ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ । ଆସନ୍ତା ବର୍ଷ ପରୀକ୍ଷା ଢାଞ୍ଚା ଏବଂ ସିଲାବସ୍ କିଭଳି ରହିବ ସେ ନେଇ ଖୁବଶୀଘ୍ର ସିଏଚ୍ଏସ୍ଇ ଜଣାଇବ ବୋଲି କହିଛି । ଏହାସହ ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ଯୋଜନା କରାଯାଉଛି ।

ବିଦେଶରୁ ରାହୁଲଙ୍କ ବାଣ, ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଜ୍ଞାନୀ କହି କଲେ କଟାକ୍ଷ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ବଡ଼ଜ୍ଞାନୀ କହି କଟାକ୍ଷ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଭଗବାନଙ୍କୁ ବି କହିପାରିବେ କେମିତି ହେଉଛି ବ୍ରହ୍ମାଣ୍ଡ ପରିଚାଳନା । ସାରା ବିଶ୍ବର ଜ୍ଞାନ ଜଣକ ପାଖରେ ରହିବା ଅସମ୍ଭବ । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ସେମାନଙ୍କଠୁ ଭିନ୍ନ ବୋଲି କହି କଟାକ୍ଷ କରିଛନ୍ତି ରାହୁଲ । ୧୦ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସାନ ଫ୍ରାନସିସକୋ, ଓ୍ବାସିଂଟନ ଡିସି ଓ ନ୍ୟୁୟର୍କ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ସାନଫ୍ରାନସିସକୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଭାରତରେ ଏବେ ରାଜନୀତି କରିବା ସହଜ ନୁହେଁ ବୋଲି ରାହୁଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ମନୋବୃତ୍ତି, ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ଼ ଯାତ୍ରାର ଅନେକ ପ୍ରଭାବ ପକାଇଛି । ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିଛି ବୋଲି ରାହୁଲ କହିଛନ୍ତି ।

ଏହି ଯାତ୍ରାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରାଯାଇଥିଲା, ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ଆରଏସଏସ ଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ । ଭାରତରେ କିଛି ଲୋକ ନିଜକୁ ଭଗବାନ ବୋଲି ଭାବନ୍ତି ବୋଲି ରାହୁଲ କହିଛନ୍ତି । ସଂଖ୍ୟା ଲଘୁ ଲୋକ ଭାରତରେ ଭୟରେ ରହୁଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି

୨୦୨୪-୨୫ ଆର୍ଥିକ ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ପଢାଯିବ କ୍ରୀଡ଼ା ବିଷୟବସ୍ତୁ

ଭୁବନେଶ୍ୱର : ଅନ୍ତୁଡ଼ିଶାଳରୁ ଗ୍ଲୋବାଲ ହବ୍ । ଦୁଇ ଦୁଇ ଥର ପୁରୁଷ ବିଶ୍ବକପ ହକି ସଫଳତାର ସହ ଆୟୋଜନ । ବିଶ୍ବରେ ଓଡ଼ିଶା ପାଲଟିଛି କ୍ରୀଡ଼ା ହବ । ବିଶ୍ବର ଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଓ ବିର୍ସା ମୁଣ୍ଡା ଆଣିଛି ସ୍ବତନ୍ତ୍ର ପରିଚୟ । ୧୫ ମାସ ମଧ୍ୟରେ ନିର୍ମାଣ ହୋଇ ରାଉଲକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ହକି ଷ୍ଟାଡ଼ିୟମ ଭାବେ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡ଼ କରିଛି । ୨୨୫ କୋଠରୀ ବିଶିଷ୍ଟ ଅଲିମ୍ପିକ ଶୈଳୀର ହକି ଭିଲେଜର ବେଶ ଆକର୍ଷଣୀୟ ।

ଓଡ଼ିଶା ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ 6 ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ ହୋଇଛି। କେବଳ ସେତିକି ନୁହେଁ, ହକି ଇଣ୍ଡିଆକୁ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଫୁଟବଲ, ରଗବୀ, ଖୋ ଖୋ, ଓ ସୁଇମିଂ ଜାତୀୟ ମହାସଂଘକୁ ମଧ୍ୟ ସହାୟତାର ହାତ ବଢାଇଛି ଓଡ଼ିଶା ।

ଆଗକୁ ତୃଣମୂଳସ୍ତରୁ କ୍ରୀଡ଼ାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମି ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି କ୍ରୀଡ଼ା ବିଭାଗ । ଯେଉଁଥିରେ ରହଛି ବିର୍ସା ମୁଣ୍ଡା, ଆଥଲେଟିକ୍ସ ଷ୍ଟାଡ଼ିୟମ, କଳିଙ୍ଗ ଷ୍ଟାଡ଼ିୟମ ଟେନିସ ସେଣ୍ଟର, କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ । ଏସବୁ ସ୍ଥାନରେ କ୍ରୀଡ଼ାବିତମାନଙ୍କୁ ଶୀର୍ଷସ୍ତରୀୟ ତାଲିମ ସୁବିଧା ଯୋଗାଇ ଦିଆଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ା ବିଷୟବସ୍ତୁ ରହିବ । ପରବର୍ତ୍ତୀ ସମୟରେ ଏହି ବିଷୟବସ୍ତୁକୁ ବାଧ୍ୟତାମୂଳକ କରାଯିବ ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା କହିଛନ୍ତି । ଏହାସହ ଆଗାମୀ ଦିନରେ ଓଡ଼ିଶାରେ କିକ୍ରେଟ ଖେଳକୁ ଫୋକସ କରିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସ୍କୁଲସ୍ତରରୁ ପିଇଟି ଶିକ୍ଷକମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ସ୍କୁଲରୁ ସବୁ କ୍ଷେତ୍ରରେ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ପୂର୍ବ ମଧ୍ୟପ୍ରଦେଶଠାରୁ ପୂର୍ବ ବିହାର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଲାଗିରହିଛି। ବିଶେଷ କରି ଉତ୍ତର-ଉପକୂଳ-ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ମଧ୍ୟରେ ଖରା ବର୍ଷାର ଲୁଚକାଳି ଚାଲିଛି।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି କାଳବୈଶାଖୀ ବର୍ଷା ନେଇ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୨ତାରିଖରେ ୯ଜିଲ୍ଲା, ୩ ତାରିଖରେ ୮ ଜିଲ୍ଲା ଏବଂ ୪ ତାରିଖରେ ୧୫ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସେହିଭଳି ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ନୟାଗଡ, ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି।

ପୂର୍ବତନ IFS ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ୍

ଭୁବନେଶ୍ୱର : ପୂର୍ବତନ IFS ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ୍ । ୬୬ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି । ଅଭୟଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ମନି ଲଣ୍ଡରିଂ ଆକ୍ଟରେ ସମ୍ପତ୍ତି ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୧ ନଭେମ୍ବର ୨୫ ତାରିଖରେ ରାଜ୍ୟ ଭିଜିଲାନ୍ସ ସେଲ ପକ୍ଷରୁ ହୋଇଥିଲା ବଡ ଧରଣର ରେଡ୍ ।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରିକି ରାଜ୍ୟ ବାହାରେ ଏକକାଳୀନ ୧୨ଟି ସ୍ଥାନରେ ହୋଇଥିଲା ଚଢାଉ । ବିପୁଳ ପରିମାଣର ନଗଦ ଟଙ୍କା ସହ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଅସାଧୁ ଉପାୟରେ ପ୍ରାୟ ୨୦କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଜଣାପଡିବା ସହିତ ୨୭ ତାରିଖରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ । କେବଳ ପାଠକ ନୁହଁନ୍ତି ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଦୁର୍ନୀତି ତଥା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ସରକାର ।

କଂଗ୍ରେସ ଭବନରେ କୋରାପୁଟ କଳି; ଉଗ୍ର ହେଲା ସାଂସଦ-ବିଧାୟକ ବିବାଦ

ଭୁବନେଶ୍ୱର : କଂଗ୍ରେସ ଭବନରେ କୋରାପୁଟ କଳି। ଉଗ୍ର ହେଲା ସାଂସଦ-ବିଧାୟକ ବିବାଦ। ପଦବୀକୁ ନେଇ ସମର୍ଥକ ଟଣାଓଟରା। ପ୍ୟାଚ୍ ପକାଇବାକୁ ପିସିସି ସଭାପତିଙ୍କ ଉଦ୍ୟମ। କାହା ହାତରେ ରହିବ କୋରାପୁଟ ଜିଲ୍ଲା କଂଗ୍ରେସ ଚାବି, ତାକୁ ନେଇ କୋରାପୁଟରୁ ରାଜଧାନୀ ଯାଏ ଚାଲିଛି ଲବି ଲଢେଇ। ରବିବାର ବିଧାୟକ ଗୋଷ୍ଠୀଙ୍କ ପରେ ବୁଧବାର ସାଂସଦ ଗୋଷ୍ଠୀ ପିସିସି ସଭାପତିଙ୍କ ପାଖରେ ଫେରାଦ ହୋଇଛନ୍ତି।

ପିସିସି ସଭାପତିଙ୍କୁ ଭେଟିବା ଆଳରେ ସାଂସଦ ଓ ବିଧାୟକ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଧାୟକ ତଥା କଂଗ୍ରେରର ଫାୟାର ବ୍ରାଣ୍ଡ ନେତା ତାରାଙ୍କ ସମର୍ଥକ କଂଗ୍ରେସ ନେତ୍ରୀ ତଥା ଜିଲ୍ଲା ସଭାନେତ୍ରୀ ମୀନାଷୀ ବାହିନୀପତି ଜିଲ୍ଲା ସଭାପତି ପଦରେ ରହିବାକୁ ଅଳି କରିଥିବା ବେଳେ ସାଂସଦ ଗୋଷ୍ଠୀ ତାଙ୍କୁ ପଦବୀରୁ ହଟାଇବାକୁ ଜିଦ ଧରିଛନ୍ତି। ଏହାକୁ ନେଉ ଉଷ୍ମ ହୋଇଛି କୋରାପୁଟ ରାଜନୀତି। ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ର ରୂପ ନେଇଛି ଯେ, ଉଭୟ ସାଂସଦ ଓ ବିଧାୟକଙ୍କ ସମର୍ଥକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନାରାବାଜି ଓ ପରସ୍ପର ବିରୋଧୀ ବୟାନବାଜି କରିଛନ୍ତି।

କଂଗ୍ରେସ ଭବନରେ କୋରାପୁଟ କଳି ପହଞ୍ଚିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଉଭୟ ଗୋଷ୍ଠୀଙ୍କ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି। କୋରାପୁଟ କଂଗ୍ରେସ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଢୁଥିଲେ ମଧ୍ୟ ପିସିସି ସଭାପତି ଏଥିରେ ପ୍ୟାଚ ପକାଇବାକୁ ଚେଷ୍ଟା କରିଛନ୍ତି।

 

ଅଙ୍ଗନବାଡ଼ି ପାଇଁ ସୃଷ୍ଟି କରାଯାଇଛି ନୂଆ ପଦବୀ

ଭୁବନେଶ୍ୱର :  ଅଙ୍ଗନବାଡ଼ି ପାଇଁ ସୃଷ୍ଟି କରାଯାଇଛି ନୂଆ ପଦବୀ । ରାଜ୍ୟର ୨ହଜାର ୮୩୬ଟି ମିନି ଅଙ୍ଗନବାଡି ସେଣ୍ଟରକୁ ମୁଖ୍ୟ ଅଙ୍ଗନବାଡ଼ି ସେଣ୍ଟରରେ ପରିଣତ କରାଯାଇଛି। ଏଥିରେ ଜଣେ କର୍ମୀଙ୍କ ସହ ଜଣେ ସହାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ୨ହଜାର ୮୩୬ଟି ଅଙ୍ଗନବାଡ଼ି ସେଣ୍ଟରରେ ୧୧୪ଜଣ ମହିଳା ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ। ଏହାସହ ଅଙ୍ଗନବାଡ଼ିରେ ମୋ ବଗିଚା, ମୋ ରୋଷେଇ ଘର କରାଯାଇ ପିଲାଙ୍କୁ ଭିଟାମିନଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ମମତା ଓ ଆର୍ଶୀବାଦ ଯୋଜନା ବେଶ ସଫଳ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ମମତା ଯୋଜନାରେ ୫୬ଲକ୍ଷ ୮୨ହଜାରରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମାଆମାନେ ଉପକୃତ ହୋଇଛନ୍ତି। 5T ମାଧ୍ୟମରେ ଆଗକୁ ମମତା ଯୋଜନାରେ ମହିଳାଙ୍କୁ ସହଜରେ ସୁବିଧା ଯୋଗାଇ ଦେବା ପାଇଁ ଇ-ମମତା ୨.୦ ନାଁରେ ଏକ ମୋବାଇଲ ଆପ ଆରମ୍ଭ କରାଯାଇଛି। ସେହିପରି ଆର୍ଶୀବାଦ ଯୋଜନାରେ ୫୧ହଜାର ୧୩୦ଜଣ ହିତାଧିକାରୀ ସାମିଲ ହୋଇଛନ୍ତି।

ଫେରିବ ଫୁଟବଲ ଫିଭର , ଜୁନ୍ ୯ରୁ କମ୍ପିବ କଳିଙ୍ଗ ଷ୍ଟାଡିଅମ

ଭୁବନେଶ୍ୱର :  ହକି ଭଳି ଫୁଟବଲ ପାଇଁ ମଧ୍ୟ ପ୍ରମୁଖ ହବ ପାଲଟିଛି ଓଡ଼ିଶା । ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ, ସାଫ ଚାମ୍ପିୟନସିପ, ଆଇଏସଏଲ, IWL ଭଳି ପ୍ରତିଯୋଗିତା ଆୟୋଜନ କରି ଫୁଟବଲ ଇଭେଣ୍ଟରେ ଅପୂର୍ବ ସଫଳତା ପାଇଛି ଓଡ଼ିଶା । ଏବେ ଆଉ ଏକ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି ଓଡ଼ିଶା ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମରେ ଜୁନ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟର-କଣ୍ଟିନେଟାଲ କପ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ । ୨୦୨୩ ହକି ବିଶ୍ବକପ ପରେ ଓଡ଼ିଶା କ୍ରୀଡାପ୍ରେମୀ ପୁଣି ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମଜା ଉଠାଇବେ । ଇଣ୍ଟର-କଣ୍ଟିନେଟାଲ କପ ପାଇଁ ଭାରତ ଟିମ୍‌ ଭୁବନେଶ୍ବରରେ ପହଞ୍ଚି ସାରିଛି । ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଟିମ କଳିଙ୍ଗ ଷ୍ଟାଡିଅମରେ ଅଭ୍ୟାସ ଜାରି ରଖିଛନ୍ତି ।

ଫୁଟବଲ ଫେଡରେସନ ଅଫ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ଓଡ଼ିଶା ଏହି ପ୍ରତିଯୋଗିତା ଆୟୋଜନ କରୁଛି । ଚଳିତ ବର୍ଷ ଟିମ ଇଣ୍ଡିଆର ବିଜି ସିଡିୟୁଲ ଥିବାରୁ ଏହା ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ ସିରିଜ ରହିବ ।  ଭାରତୀୟ ଦଳ ବର୍ତ୍ତମାନ ଫିଫା ରାଙ୍କରେ ୧୦୧ ନମ୍ବର ସ୍ଥାନରେ ଥିବା ବେଳେ ଲେବାନନ ୯୯ ନମ୍ବର ସ୍ଥାନରେ ରହିଛି, ଭାନୁଆଟୁ ୧୬୪ ଓ ମଙ୍ଗୋଲିଆ ୧୮୩ ସ୍ଥାନରେ ରହିଛି । ଏହି ଦୃଷ୍ଟିରୁ ଭାରତ ଓ ଲେବାନନ ଟାଇଟେଲ ପାଇଁ ଦାବିଦାର ରହିବେ । ହୋମ ଗ୍ରାଉଣ୍ଡରେ ଏବଂ ହୋମ କ୍ରାଉଡ଼ଙ୍କ ସାମ୍ନାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଇଣ୍ଟର-କଣ୍ଟିନେଟାଲ କପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟକେଟ କିଣିବା ପରେ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଟିକେଟର ମୂଲ୍ୟ ୯୯ ଟଙ୍କା ଓ ୧୫୦ ଟଙ୍କା ରଖାଯାଇଛି । ପ୍ରଥମ ଥର ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ସେଥିପାଇଁ ବହୁ ସଂଖ୍ୟାରେ ଫୁଟବଲପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଜୀବନରେ ସଫଳ ହେବା ଲକ୍ଷ୍ୟ ନେଇ ଆଗକୁ ବଢିବାପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ନବୀନ ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଚଷାଖଣ୍ଡ ଗାଁର ସବ୍ୟସାଚୀ ପ୍ରଧାନ ସର୍ବାଧିକ ୯୫.୧୬% ତଥା ୫୭୧ ମାର୍କ ରଖି ଗୌରବ ଆଣିଛନ୍ତି । ଝାଡେଶ୍ବର ଯୁକ୍ତ ଦୁଇ ବିଜ୍ଞାନ ଘରୋଇ କଲେଜରେ ସେ ଅଧୟନ କରୁଥିଲେ । ଭଲ ମାର୍କ ରଖିବା ପରେ ସବ୍ୟସାଚୀ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ସଫଳତା ପାଇଁ ବାପା, ମା’, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସୁପରିଟେଣ୍ଡଙ୍କୁ ଶ୍ରେୟ ଦେଇଛନ୍ତି।

ଫୁଟବଲକୁ ବିଗ ବୁଷ୍ଟ; ରାଜଧାନୀରେ ଲୋକାର୍ପିତ ହେଲା ୩ଟି ଫୁଟବଲ ତାଲିମ କେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର। ୟୁନିଟ-୧ରେ ଅନ୍ତର୍ଜାତୀୟସ୍ତରୀୟ ଭୁବନେଶ୍ୱର ଫୁଟବଲ ଏକାଡେମୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ୟୁନିଟ-୯ସ୍ଥିତ କ୍ୟାପିଟାଲ ଏରିନା ଓ ଓଡିଶା ଫୁଟବଲ ଏକାଡେମୀରେ ଥିବା ଟ୍ରେନିଂ ସେଣ୍ଟର ଏକକାଳୀନ ଉଦଘାଟିତ ହୋଇଛି।

ୟୁନିଟ-୧ ସ୍ଥିତ ଟ୍ରେନିଂ ସେଣ୍ଟରରେ ଫିଫା ଦ୍ୱାରା ଅନୁମୋଦିତ ଟର୍ଫ, ୟୁନିଟ-୯ କ୍ୟାପିଟାଲ ଏରିନାରେ ଗୋଟିଏ ଓ ଓଡ଼ିଶା ଫୁଟବଲ ଏକାଡେମୀରେ ଦୁଇଟି ନାଚୁରାଲ ଟର୍ଫ ରହିଛି। ଏହି ଅବସରରେ ଭାରତୀୟ ସିନିଅର ଫୁଟବଲ ଟିମର ସମସ୍ତ ଖେଳାଳି ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭାରତୀୟ ସିନିଅର ପୁରୁଷ ଫୁଟବଲ ଟିମର ଖେଳାଳି ଦଳଗତ ଫଟୋ ଉଠାଇଥିଲେ।

ଭୁବନେଶ୍ୱର ଏକାଦଶ ଓ କଟକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିଲା । ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କ୍ରୀଡା ସଚିବ ଭିନ୍ନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।