ଖୁଲମ ଖୁଲା ବିକ୍ରି ହେଉଛି ନିଶା କରୁଥିବା ଔଷଧ

ଢ଼େଙ୍କାନାଳ: ସଞ୍ଜୀବନୀ ସାଜୁଛି ଜହର । ଔଷଧ ଦୋକାନରେ ଖୁଲମ ଖୁଲା ମିଳୁଛି ନିଶା କରୁଥିବା ଔଷଧ । ଆବଶ୍ୟକ ପଡୁନି ପ୍ରେସକ୍ରିପସନ। ଢେଙ୍କାନାଳର ଅନେକ ଔଷଧ ଦୋକାନରେ ମିଳୁଛି  ନିଶା ମେଣ୍ଟାଉଥିବା ଔଷଧ । ଖୁବ୍ କମ୍ ପଇସାରେ ନିଶାର ମଜା ଉଠାଉଛନ୍ତି ନିଶାଡି ଓ ନାବାଳକ ।

ଦକ୍ଷିଣ କାଳି ରୋଡରେ ଥିବା ଏକ ଔଷଧ ଦେକାନରେ ବିନା ପ୍ରେସକ୍ରିପ୍ସନରେ ମିଳୁଛି  ଲୋରାଜେପାମ, ଟେଲମା ୪୦ , କ୍ଲୋନାଜ୍ ଭଳି ଔଷଧ । ବିନା ଡାକ୍ତରୀ ପରାମର୍ଶରେ ଏହାକୁ ଖାଇବା ବିପଦ। ଏହାକୁ ବିନା ପ୍ରେସକ୍ରିପ୍ସନରେ ବିକ୍ରି କରିବା ବି ବେଆଇନ। କେବଳ ଏହି ଗୋଟିଏ ଦୋକାନ ନୁହଁ ଏଭଳି ଅନେକ ମେଡିସିନ୍ ଦେକାନରେ ଚାଲିଛି ନିଶା ପାଇଁ ଔଷଧ ତସ୍କରି। ଏନେଇ ପ୍ରଶ୍ନ କରିବାକୁ ମେଡିସିନ୍ ଦୋକାନୀ ପାଲଟା ପ୍ରଶ୍ନ କରୁଛନ୍ତି ।

ନିଶାଡି ଏଭଳି ଅନେକ ଔଷଧ ଓ ଇଞ୍ଜେକସନ୍ ସହଜରେ ପାଇଯାଇ ନିଶା ଭାବେ ବ୍ୟବହାର କରୁଛନ୍ତି । ଅପରେସନ ଥିଏଟର ଭିତରେ ରୋଗୀଙ୍କୁ ନିଶା ଭାବେ ଦିଆ ଯାଉଥିବା ଇଞ୍ଜେକସନକୁ ମଧ୍ୟ ନିଶାଡିଙ୍କୁ ବିକ୍ରି କରିବା ପାଇଁ ପଛାଉ ନାହାନ୍ତି ଲାଭଖୋର୍ ଦୋକାନୀ । ନିଛାଟିଆ ସ୍ଥାନରେ ଓ ସହରର ବିଭିନ୍ନ ଭଙ୍ଗା ଘର ଏବେ ନିଶାଡିଙ୍କ ଆଡ୍ଡା ପାଲଟିଛି ।

କେନ୍ଦ୍ର ସରକାରଙ୍କ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ 1942 ଅନୁଯାୟୀ, ଯେ କୌଣସି ନିଶାଯୁକ୍ତ ଔଷଧ ବିନା ପ୍ରେସକ୍ରିପସନରେ ବିକିବା ଅପରାଧ  । ହେଲେ ଏହି ନିୟମକୁ ଦଳିମକଚି ଜଳାଞ୍ଜଳି ଦେଇଛନ୍ତି ଢେଙ୍କାନାଳର ଅନେକ ଔଷଧ ବ୍ୟବସାୟୀ  ।