ରାଜାରାଣୀଙ୍କ ଜୀବନଶୈଳୀ ବଖାଣୁଛି ଗଞ୍ଜାମ ଜିଲ୍ଲାର ପୋତାଗଡ

ଗଞ୍ଜାମ: ରାଜାରାଣୀଙ୍କ ଜୀବନଶୈଳୀ ବଖାଣୁଛି ଗଞ୍ଜାମ ଜିଲ୍ଲାର ପୋତାଗଡ । ବ୍ରିଟିଶ ସମୟର ଶାସନ ବ୍ୟବସ୍ଥାର ପ୍ରମାଣ ମଧ୍ୟ ଦେଉଛି ନଅରର ଭଗ୍ନାବଶେଷ । ଗଡକୁ ଚାରି ପଟୁ ଘେରି ରହିଛି ବିରାଟ ପାଚେରି । ରହିଛି ଗୋଟିଏ ବିଶାଳ ପ୍ରବେଶ ଦ୍ବାର । ପାଚେରିକୁ ଲାଗି ରହିଛି ଲମ୍ବା ଗଡ ଖାଇ । ରାଜା, ରାଣୀ ଗଡରେ ଥିବା ବେଳେ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଏହି ଗଡଖାଇରେ କୁମ୍ଭୀର ଛଡା ଯାଉଥିବା ଇତାହାସ ରହିଛି । ପୋତାଗଡ଼ ମଧ୍ୟରେ ଏକ ଅସ୍ତ୍ରାଗାର, ସୈନ୍ୟବାହିନୀଙ୍କ ନିମନ୍ତେ ଗୃହ, ଘୋଡ଼ା ଓ ହାତୀ ଶାଳାର ଭଗ୍ନାବଶେଷ ରହିଛି । ଗଡକୁ ଲାଗି ରହିଥିବା ଋଷିକୁଲ୍ୟା ନଦୀକୁ ରାଣୀ ସ୍ନାନ ପାଇଁ ଯାଉଥିଲେ । ଏୗତିହାସିକ ପୋତାଗଡର ପ୍ରାକୃତିକ ପରିବେଶ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୂରାତନ କୀର୍ତ୍ତିରାଜିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳିଛି । ହେଲେ ଏହାର ଉନ୍ନତିକରଣ ହୋଇପାରୁନାହିଁ । ବାରମ୍ବାର ଏନେଇ ଅଭିଯୋଗ ପରେ ଏବେ ପୋତାଗଡର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ୭ କୋଟି ଟଙ୍କାରେ ଜଳସେଚନ ବିଭାଗ ପକ୍ଷରୁ ବୋଟିଂ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ ଆରମ୍ଭ ହୋଇଛି ।