ଅକ୍ଟୋବର ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ

ପୁରୀ: ପୁରୀରେ ଅବଢ଼ା ଯୋଜନାରେ ଅନେକଗୁଡ଼ିଏ ପ୍ରକଳ୍ପ କାମ ଚାଲିଥିବା ବେଳେ ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କେଉଁଭଳି ସ୍ଥିତିରେ ରହିଛି ସେ ନେଇ ସମୀକ୍ଷା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀମନ୍ଦିର ପ୍ରଶାସନିକ କୋଠା, ତୀର୍ଥ ପୁଷ୍କରିଣୀ ସମେତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଓବିସିସିର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ରହିବ ୯ ଟି ପ୍ରବେଶ ପଥ । ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ଓ ଏମାର ମଠ ନିକଟରେ ହେବ ନିର୍ମାଣ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର କରାଯିବ ପୁନରୁଦ୍ଧାର । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବା ସହ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଶ୍ରୀମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଏଜେନ୍ସି ସହ ଆଲୋଚନା କରାଯାଇଛି ।

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପି ପୋଲିସଙ୍କ ପାଇଁ ବ୍ୟାରାକ୍, ଦିବ୍ୟାଙ୍କ ଭକ୍ତଙ୍କ ନିମନ୍ତେ ପୂର୍ବପରି ରାମ୍ପ ଓ ପୀଠୁ କିମ୍ବା ଅନ୍ୟ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ତର୍ଜମା ହୋଇଥିଲା । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।