ମୁଷନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା

ଯାଜପୁର: ଗରିବ ଲୋକଙ୍କ ଲାଗି ଜନ୍ମରୁ ମୃତ୍ୟୁ ଯାଏ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ହେଲେ ଏବେବି କିଛି ଲୋକଙ୍କ ପାଇଁ  ଯୋଜନ ଯୋଜନ ଦୂରରେ ଯୋଜନା । ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଏମାନଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସହାୟତା । ଯାଜପୁର ବିଝାଂରପୁର ଘଂଟିଆଳି ଲେଙ୍କା ସାହିର ମୁଷନ ଜେନାଙ୍କ ପରିବାର । ଦୁଃଖ କଷ୍ଟରେ ଚଳି ଆସୁଥିଲେ ସୁଦ୍ଧା ତାଙ୍କ ଉପରେ ପଡ଼ୁନି କାହାରି ନଜର । ଅନେକ ଦିନରୁ ଘରର ଚାଳ ଛାଉଣି କି ମରାମତି ହୋଇନି। ଭଙ୍ଗା ଦଦରା କାନ୍ଥ କେତେ ବେଳେ ଯେ ଗଳିପଡିବ ତାହାବି କହିବା ମୁସକିଲ। ସେପଟେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବି ଅଣ୍ଟା ଭାଙ୍ଗିଯାଇଥିବାରୁ ଶଯ୍ୟାଶାୟୀ । ଭେଣ୍ଡିଆ ପୁଅବି ମାନସିକ ରୋଗରେ ପୀଡିତ । ଦୁଃଖ କଷ୍ଟରେ ଏଭଳି ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ଲା ଘଂଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର । ମୁଷନ ଏବଂ ସ୍ବାମୀ ଡାଙ୍ଗଧର ପାଉଥିବା ଭତ୍ତା ଟଙ୍କା ବି ଏବେ ବନ୍ଦ ରହିଛି । ଅନଲାଇନ ସିଷ୍ଟମରେ ଉଭୟଙ୍କ ନାଁ ପଞ୍ଜିକରଣ ହୋଇପାରିନଥିବାରୁ ଭତ୍ତା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ମୁଷନ। ଫଳରେ ଏବେ ପରିବାର ଚଳିବା ଆହୁରି କଷ୍ଟକର ହୋଇପଡିଥିବା କହିଛନ୍ତି ମୁଷନ ।

ଦୁଃଖ ଏତିକିରେ ସରିନି । ଅର୍ଥ ଅଭାବରୁ ପୁଅ ଓ ସ୍ତ୍ରୀଙ୍କ ଚିକିତ୍ସା ହୋଇପାରୁନି । ସରକାରୀ ସ୍ତରରେ ଘର ବି ମିଳିନାହିଁ । ଘରକୁ ବିଜୁଳିତ ଦୂରର କଥା ପାଣି ପାଇପ ସଂଯୋଗ ନଥିବାରୁ ସପ୍ତାହକ ପାଇଁ ପାଣି ବୋଟଲରେ ସଂଗ୍ରହ କରି ମାଟିତଳେ ପୋତି ରଖିଛନ୍ତି ମୁଷନ। ପରିବାର ବିଷୟରେ ଅବଗତ ହେବାପରେ ବିଞ୍ଝାରପୁର ବ୍ଲକ ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।