ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ସହରର ଗରିବଙ୍କୁ ମିଳିଲା ସମ୍ମାନର ସହ ବଞ୍ଚିବାର ଅଧିକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ସମାଜରେ ମୁଣ୍ଡି ଟେକି ଚାଲିବାକୁ ଦମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗରିବଙ୍କ ଦୀର୍ଘଦିନ ସ୍ବପ୍ନ ପୂରଣ ହୋଇଛି । ଆଗକୁ ଘର ନିର୍ମାଣ ପାଇଁ ମିଳିବ ସହାୟତା । ଜାଗା ମିଶନ ଗରିବଙ୍କୁ ନୂଆ ପରିଚୟ ଦେଇଛି । ବିଏମସିରେ ଅକ୍ଟୋବରରେ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯିବ ।’

ଆଗକୁ ସେ କହିଥିଲେ, ‘ସହର କେବଳ ଧନୀଙ୍କ ପାଇଁ ନୁହେଁ, ଗରିବଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ସହର ବିକାଶରେ ଗରିବ ଲୋକ ପରିଶ୍ରମ ମଧ୍ୟ ରହିଛି । ସେମାନଙ୍କୁ ଅବଦାନକୁ ସମସ୍ତଙ୍କୁ ସମ୍ମାନ ଜଣାଇବା ଉଚିତ । ଜାଗା ମିଶନ ଗରିବଙ୍କୁ ସମ୍ମାନ ଓ ନୂଆ ପରିଚୟ ଦେଇଛି ।’

୨୦୧୮ରେ ଜାଗା ମିଶନ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହରର ଏକ ଲକ୍ଷ ୭୦ ହଜାର ଭୂମି ଅଧିକାର ପାଇଛନ୍ତି । ଏହା କେବଳ ଓଡ଼ିଶା ନୁହେଁ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିକାଶରେ ଗରିବଙ୍କ ବଡ଼ ଅବଦାନ ରହିଛି। ଘର ତିଆରି ପାଇଁ ଆର୍ଥିକ ସହାୟତା ଦିଆଯାଇଛି । ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଛି ବସ୍ତିର ଘର । ୧ ହଜାରରୁ ଅଧିକ ବିଜୁ ଆଦର୍ଶ କଲୋନୀ ରୂପାନ୍ତରିତ ହୋଇଛି । ରୂପାନ୍ତରର ଏହି ପର୍ବରେ ସମସ୍ତେ ସାମିଲ ହୋଇଛନ୍ତି । ଏକ ନୂଆ ଓଡ଼ିଶା ରୂପାନ୍ତରିତ ଓଡ଼ିଶା ଗଢ଼ିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣରେ ଆଜିର କାର୍ଯ୍ୟକ୍ରମ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଯାଜପୁର ପୌରାଞ୍ଚଳକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି ।

କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁ, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗ ଦିଆଯାଇ ନୂଆ କଲୋନୀ ସ୍ଥାପନ କରାଯାଉଛି । ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଜଙ୍ଗଲ ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ UN-World Habitat Award 2023 ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଥିଲେ, ‘ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁଁ ରାଜ୍ୟର ଗରିବ ଲୋକଙ୍କ ମୁହଁରେ ହସ ଫୁଟିଛି । ସେମାନେ ଆଜି ନିଜର ଅଧିକାର ପାଇଛନ୍ତି ଓ ଆଗକୁ ବଢିବାର ସୁଯୋଗ ପାଇଛନ୍ତି ।’

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ ପରିଚାଳନା ନିର୍ଦ୍ଦେଶକ କହିଥିଲେ, ‘ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ ଯୋଗାଇଦେବା ପାଇଁ ଟାଟା ଷ୍ଟିଲ ସବୁବେଳେ ପ୍ରସ୍ତୁତ । ଏପରି ଏକ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିଲେ ମଧ୍ୟ ଏହି ଦାୟିତ୍ୱକୁ ଆମେ ଠିକ୍ ଭାବେ ତୁଲାଇଛୁ । ଆଗକୁ ମଧ୍ୟ ଏହିପରି ସହଯୋଗ ଜାରି ରହିବ ।’

କାର୍ଯ୍ୟକ୍ରମରେ 5T ସଚିବ ଭି.କେ. ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।