ବ୍ରଜମଣ୍ଡଳ ଯାତ୍ରାକୁ ନେଇ ହରିୟାଣାରେ ପୋଲିସ ଛାଉଣୀ

ନୁହ: ବ୍ରଜମଣ୍ଡଳ ଯାତ୍ରାକୁ ନେଇ ପୋଲିସ ସୁରକ୍ଷା ବଳୟରେ ହରିୟାଣାର ନୁହ । ପ୍ରଶାସନର ବିନା ଅନୁମତିରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଯାତ୍ରାର ଆୟୋଜନ କରାଯାଇଥିବାରୁ ହାଇ ଆଲର୍ଟ ଜାରି କରାଯିବା ସହ ସହର ସାରା ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ନୁହରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏହାସହ ଇଣ୍ଟରନେଟ ଓ ମେସେଜ ସେବା ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି ହୋଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହେବାରେ କଟକଣା ଜାରି କରାଯାଇଛି ।

ଜୁଲାଇ ୩୧ ତାରିଖରେ ବ୍ରଜମଣ୍ଡଳ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଏବେ ବି ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡ଼ି ନଥିବାରୁ ପୁଣି ଶୋଭାଯାତ୍ରା ପାଇଁ ପୋଲିସ ପ୍ରଶାସନ ଅନୁମତି ଦେଇ ନଥିଲା । ଏହାସତ୍ତ୍ବେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରିଛି ପୋଲିସ । ନୁହ ମେଓ୍ବାତ ଯାଉଥିବା ସବୁ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଉଛି । କଡ଼ା ସିକ୍ୟୁରିଟି ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଡ୍ରୋନ ମୁତୟନ କରାଯାଇଛି । ଭିଏଚପି ଶୋଭାଯାତ୍ରାରେ ସାମିଲ ହେବାକୁ ଆସୁଥିବା ବେଳେ ସୋନଲା ଟୋଲ ପ୍ଲାଜାରେ ଅଯୋଧ୍ୟାରୁ ଆସିଥିବା ସୀର ଜଗଦଗୁରୁ ପରମହଂସ ଆଚାର୍ଯ୍ୟଙ୍କୁ ପୋଲିସ ଅଟକାଇଛି ।