NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଛାତ୍ରଙ୍କ ଆତ୍ମହତ୍ୟା

1 min read

କୋଟା: ଇଞ୍ଜିନିୟରିଂ, ମେଡିକାଲ କୋଚିଂ ହବ୍ କୁହାଯାଉଥିବା କୋଟା ସହରରେ ଆଉ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା । NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ଛାତ୍ର କୋଚିଂ ସେଣ୍ଟରରେ ଟେଷ୍ଟ ଦେବା ପରେ କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ମହାରାଷ୍ଟ୍ର ଲାତୁର ଜିଲ୍ଲାର ଅଭିଷ୍କାର କସଲେ । ଅଭିଷ୍କାର ଗତ ତିନିବର୍ଷ ଧରି କୋଟାରେ NEET ପାଇଁ କୋଚିଂ ନେଉଥିଲେ । ସେ ଛାତରୁ ଡେଇଁବା ସମୟର ଦୃଶ୍ୟ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଅନ୍ୟ ଜଣେ ମୃତ ଛାତ୍ର ହେଲେ ବିହାର ଆଦର୍ଶ ରାଜ୍ । ଆଦର୍ଶ ତାଙ୍କ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରୀକ୍ଷାରେ କମ୍ ନମ୍ବର ଆସିବା ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଦର୍ଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଗତ ୮ ମାସ ମଧ୍ୟରେ କୋଟାରେ ୨୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।