‘ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ’

ଭୁବନେଶ୍ୱର: ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୀତି ନୈତିକତା ଭୁଲି ଏସଏଚଜି ମାଆମାନଙ୍କୁ ଗୁଣ୍ଡା ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅହଂକାରୀ ହୋଇପଡ଼ିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକଛତ୍ରବାଦ ଚଳାଇବାକୁ ଉଦ୍ୟମ କରୁଛନ୍ତି ।

ଅପରାଜିତା ଚାହୁଁଛନ୍ତି ତାଙ୍କୁ କେହ ବି ପ୍ରଶ୍ନ ପଚାରିବେନି କି ସେ କାହାକୁ ଉତ୍ତର ଦେବେନି । ଏଥିପାଇଁ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ ଏସଏଚଜି ମାଆଙ୍କୁ ଗୁଣ୍ଡା ଆଖ୍ୟା ଦେଇଛନ୍ତି । ଜଣେ ମହିଳା ସାଂସଦ ହୋଇ ମହିଳାଙ୍କୁ ନିନ୍ଦିତ କରିବା ଅପରାଜିତାଙ୍କ କେଉଁ ନୀତି ନୈତିକତା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଯେଉଁ ଲୋକମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାରୀ ଅଛି । ବିକାଶକୁ ନେଇ ଲୋକ ପ୍ରଶ୍ନ କଲା ବେଳେ ଅପରାଜିତା ନିଜ ଅପରାଗତା ଲୁଚାଇବାକୁ ହୀନ ଉଦ୍ୟମ କରୁଛନ୍ତି ।

ମାଆମାନଙ୍କର ଫଟୋକୁ ଏଡିଟ୍ କରି ସେମାନଙ୍କୁ ନିଜ ସୋସିଆଲ ମିଡିଆରେ ଗୁଣ୍ଡା ଆଖ୍ୟା ଦେଇ ନିନ୍ଦିତ କରୁଛନ୍ତି । ଅପରାଜିତା ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି । ମାଆଙ୍କୁ ବଦନାମ କରିଥିବାରୁ ଅପରାଜିତା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି । କ୍ଷମା ନମାଗିଲେ ଆଗକୁ ଓଡ଼ିଶାବାସୀ ଓ ଭୁବନେଶ୍ବରବାସୀ ଅପରାଜିତାଙ୍କୁ କେବେ କ୍ଷମା ଦେବେନି ବୋଲି ଶ୍ରୀମୟୀ କହିଛନ୍ତି ।