ବ୍ରହ୍ମପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ୍ ରେଡ୍ କରୁଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଡ଼ିରୁ ନଗଦ ଲକ୍ଷେ ୫୮ହଜାର ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି । ସ୍ଥାବର ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି ।
ଶ୍ରୀମନ୍ଦିର ସିଂହଦ୍ବାରର କରାଯାଉଛି ରୂପା ଛାଉଣୀ, ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ପୂର୍ବରୁ ସରିବ କାମ
ପୁରୀ: ବାହୁଡ଼ିବେ ଶ୍ରୀଜିଉ । ସୁନ୍ଦର ହେଉଛି ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରୂପା ଛାଉଣୀ କାମ । ସିଂହଦ୍ବାରରେ ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଲଗାସରିଛି । ସେଥିରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି ।
ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଆଜି ରାତି ସୁଦ୍ଧା ରୂପା ଛାଉଣୀ ସରିବାକୁ ଲକ୍ଷ୍ୟ ରଖାଯାଇଛି । ରୂପା ଛାଉଣୀ ହୋଇଗଲେ ସିଂହଦ୍ବାର ସୁନ୍ଦର ଦିଶିବ । କାଲି ଭକ୍ତ ଦେଖିବେ ସିଂହଦ୍ବାରର ନୂତନ ସୁନ୍ଦର ରୂପା । ମୂଳ ସିଂହଦ୍ୱାର ଭଳି ମାପ, ଓଜନ, ଡିଜାଇନ ଓ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଅବିକଳ ଭାବେ ସିଂହଦ୍ୱାର ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ୍ କରି ଭକ୍ତଙ୍କ ପାଇଁ କଟକଣା ଲଗାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।
ଦିଗପହଣ୍ଡିରେ ଦୁର୍ଘଟଣା ପାଇଁ ଦାୟୀ କିଏ, ଆଜି ରିପୋର୍ଟ ଦେବେ ୪ ଜଣିଆ ତଦନ୍ତକାରୀ ଟିମ୍
ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାୟୀ କିଏ । କେମିତି ହେଲା ଏତେ ବଡ଼ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ମିନି ବସକୁ ରାତିରେ ଚଳାଚଳ କରିବାକୁ ଅନୁମତି ଦିଆଯାଇନଥିଲା । ବସଟିର ବୀମା ମଧ୍ୟ ନଥିଲା । ୨୫ ବର୍ଷ ପୁରୁଣା ଗାଡ଼ି ନିୟମ ଉଲ୍ଲଂଘନ କରି ମିନି ବସ୍ ଚାଲିଥିଲା । ଦୁର୍ଘଟଣାରେ ଟେକ୍ନିକାଲ୍ ଓ ଅନ୍ୟାନ୍ୟ ତ୍ରୁଟି କ’ଣ ରହିଛି, ସେନେଇ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି । ଷ୍ଟେଟ ରୋଡ୍ ଟ୍ରାନ୍ସପୋର୍ଟ ଅଥରିଟି ତରଫରୁ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟିମରେ ଦୁଇଜଣ ଇଞ୍ଜିନିୟରଙ୍କ ସମେତ ଜଣେ ଡାକ୍ତର, ଗଞ୍ଜାମ ଓ ଚିକିଟି RTO ରହିଛନ୍ତି । କେମିତି ହେଲା ଦୁର୍ଘଟଣା, କାହାର ଥିଲା ଦୋଷ । ଏସବୁକୁ ନେଇ ଟିକିନିଖି ତଦନ୍ତ କରାଯାଉଛି ।
ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଟ୍ୟାଙ୍କର ଓ କାର ମୁହାଁମୁହିଁ ଧକ୍କା
ଜୟପୁର: ଟ୍ୟାଙ୍କର-କାର ଧକ୍କା, ୩ ମୃତ । ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥ ପୁଙ୍ଗାରଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟାଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଜୟପୁରରୁ ବିଶାଖାପାଟଣା ଅଭିମୁଖେ କାରରେ ଯାଉଥିବାବେଳେ ପୁଙ୍ଗାର ନିକଟରେ ଗ୍ୟାସ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଚାଳକ, ଜଣେ ମହିଳା ଏବଂ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଏନଏଚରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ପଟ୍ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଆନ୍ଧ୍ର ଦେଇ ଗଞ୍ଜାମଠାରୁ ଏସିଡ୍ ବୋଝେଇ ଟ୍ୟାଙ୍କର ଦାମନଜୋଡି ଅଭିମୁଖେ ଆସୁଥିବା ବେଳେ ଜୟପୁରରୁ ଆନ୍ଧ୍ର ଅଭିମୁଖେ କାରରେ ଯାଉଥିଲେ ପରିବାର ।
ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିସ୍ତୃତି ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ରାଜ୍ୟରେ ୧ ଜୁନ୍ ୨୬ ଜୁନ୍ ମଧ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ୧୭୨. ୨ ତୁଳନାରେ ଏହା ୨୪ ପ୍ରତିଶତ କମ୍ । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ୮.୬ ମିଲିମିଟର ତୁଳନାରେ ୨୬୯ ପ୍ରତିଶତ ଅଧିକ ।
ପୁଣି ବଢିଲା +୨ ନାମଲେଖା ଆବେଦନ ଅବଧି, ୩୦ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତଦୁଇ ନାମଲେଖା ଆବେଦନ ଅବଧି । ଗତକାଲି ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୩୦ ତାରିଖକୁ ବୃଦ୍ଧି କରାଯାଇଛି । ନୂତନ ସୂଚୀ ଅନୁସାରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ । ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ । ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ ।
ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି ।

