ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ମୋଦି ସରକାର, ସେପ୍ଟେମ୍ବର ୧୮ରୁ କାର୍ଯ୍ୟଦିବସ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ  ।  କେନ୍ଦ୍ର ସରକାର ୫ ଦିବସୀୟ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି  । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି  । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ ।

ଚଳିତ ବର୍ଷ ମୌସୁମୀ ଅଧିବେଶନ ଠିକ ଭାବେ ଚାଲିପାରି ନଥିବାରୁ ଅଧିକାଂଶ କାର୍ଯ୍ୟ ଦିବସ ବାଧାପ୍ରାପ୍ତ ହୋଇଥିଲା  । ଏଥର ସ୍ବତନ୍ତ୍ର ଅଧିବେଶନରେ ୧୦ରୁ ଅଧିକ ମହତ୍ତ୍ବପୂର୍ଣ୍ଣ ବିଲ୍‌ ଉପସ୍ଥାପନା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର  ।

ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି ୨୦ ଶିଖର ସମ୍ମିଳନୀର କିଛି ଦିନ ପରେ ଏହା ଆୟୋଜିତ ହେବ  । ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ୫ଟି କାର୍ଯ୍ୟଦିବସ ରହିବ  ।

ସମ୍ବିଧାନର ୪୪ତମ ସଂଶୋଧନ ଅଧିନିୟମର ଅନୁଚ୍ଛେଦ ୩୫୨ (୮) ଅନୁସାରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆୟୋଜନ ହୋଇଥାଏ  । ଯଦି ଲୋକସଭାରେ ଅତି୍ କମରେ ଦଶ ଜଣ ସଦସ୍ୟ ରାଷ୍ଟ୍ରପତି (ଯଦି ଲୋକସଭା ଅଧିବେଶନରେ ନାହାନ୍ତି) ବା ଅଧ୍ୟକ୍ଷ (ଯଦି ଲୋକସଭା ଅଧିବେଶନରେ ଅଛନ୍ତି)ଙ୍କୁ ଲେଖନ୍ତି ତେବେ ଲୋକସଭାର ବିଶେଷ ଅଧିବେଶନ ଡକାଯାଇଥାଏ  ।