ସାବଧାନ! ସକ୍ରିୟ ହେଉଛନ୍ତି ଜାଲ୍ ଓ୍ବେବସାଇଟ ସଂସ୍ଥା

1 min read

ନନ୍ଦିଘୋଷ ବ୍ୟୁରୋ: ସକ୍ରିୟ ହେଉଛନ୍ତି ଜାଲ୍ ଓ୍ବେବସାଇଟ ସଂସ୍ଥା । ଏପରିକି ସୁପ୍ରିମକୋର୍ଟଙ୍କୁ ବ୍ୟବହାର କରିବାକୁ ପଛାଉନାହାନ୍ତି ଠକ । ଓ୍ବେବସାଇଟ ଜରିଆରେ ଲୋକଙ୍କ ସବିଶେଷ ବିବରଣୀ ଓ ଗୋପନୀୟ ତଥ୍ୟର ଅପବ୍ୟବହାର କରାଯିବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ସ୍କାମ ସମ୍ପର୍କରେ ଆଡଭାଇଜରୀ ଜାରି କରିଥିବାବେଳେ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି- ସୁପ୍ରିମକୋର୍ଟଙ୍କ ନାମରେ ଦୁଇଟି ଫେକ୍ ଓ୍ବେବସାଇଟ ଖୋଲାଯାଇଛି । ସେଗୁଡିକ ହେଲା http://cbins/scigv.com ଓ https://cbins.scigv.com/offence ।

ଓ୍ବେବସାଇଟ ଜରିଆରେ ଲୋକଙ୍କ ସବିଶେଷ ବିବରଣୀ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ସମ୍ପର୍କରେ ସୂଚନା ନିଆଯାଉଛି । ସେହିପରି ଫେକ ଓ୍ବେବସାଇଟରେ ବ୍ୟାଙ୍କ ନାମ, ଫୋନ ନମ୍ବର, ପାନ୍, ଅନଲାଇନ ବ୍ୟାଙ୍କିଙ୍ଗ ୟୁଜର ଆଇଡି, ଲଗ୍ ଇନ ପାସଓ୍ବାର୍ଡ ଓ କାର୍ଡ ପାସଓ୍ବାର୍ଡ ଆଦିର ସୂଚନା ନିଆଯାଉଛି । ଏହି ଦୁଇଟି ଓ୍ବେବସାଇଟରେ କୌଣସି ପ୍ରକାର ତଥ୍ୟା ସେୟାର ନ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟ ପକ୍ଷରୁ କୌଣସି ପ୍ରକାର ବ୍ୟକ୍ତିଗତ ସୂଚନା, ଆର୍ଥିକ ବିବରଣୀ ମଗାଯାଉନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି । ବିଭିନ୍ନ ଫେକ୍ ଓ୍ବେବସାଇଟ ସମ୍ପର୍କରେ ତଦନ୍ତ କରିବା ଲାଗି ଆଇନ କାର୍ଯ୍ୟକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।