spot_img
Home Blog Page 3028

ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ, ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ

ଗଞ୍ଜାମ: ପୂରଣ ହେଲା ଦୀର୍ଘ ବର୍ଷର ଦାବି । ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ । ଏଣିକି ଆଉ ଡଙ୍ଗା ନୁହେଁ କି ସହର ବୁଲିବାକୁ ପଡ଼ିବନି । ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଯିବାକୁ ହେଲେ ଏହି ସେତୁ ହିଁ ସାଜିବ ବଡ଼ ମାଧ୍ୟମ । ପୁରୁଷୋତ୍ତମପୁର ହାଣ୍ଡିଘରରୁ ତାରାତାରିଣୀ ପୀଠକୁ  ସମ୍ପର୍କର ସେତୁ ସାଜିଛି ବିଜୁ ସେତୁ । ମୋଟ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେତୁର ଲମ୍ବ ୩୬୭ ମିଟର ରହିଥିବା ବେଳେ ଏହା ପୁରୁଷୋତ୍ତମପୁରର ସବୁଠାର ଅଧିକ ଲମ୍ବା ସେତୁ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ସେତୁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ।

ଭୁବନେଶ୍ବର, କଟକ ସହ ବିଭିନ୍ନ ଜିଲ୍ଲାରୁ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ସେତୁ ଦେଇ ମାଆଙ୍କ ନିକଟକୁ କମ୍ ସମୟ ମଧ୍ୟରେ ଯାଇପାରିବେ । ଦୀର୍ଘ ବର୍ଷର ଦାବି ରାଜ୍ୟ ସରକାର ଶୁଣିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୧୦ଟି ପଞ୍ଚାୟତର ଗ୍ରାମବାସୀ ।

ହାଣ୍ଡିଘର, ଆଛୁଲି, ପ୍ରତାପୁର ଭଳି ପ୍ରାୟ ୧୦ଟି ପଞ୍ଚାୟତର ଲୋକ ତାରାତାରିଣୀ ଯିବାକୁ ହେଲେ ସହର ବୁଲିବାକୁ ପଡ଼ୁଥିଲା । ବେଳେ ବେଳେ ଋଷିକୁଲ୍ୟା ନଦୀ ପାର ହୋଇ ଯିବାକୁ ମଧ୍ୟ ପଡ଼ୁଥିଲା । ଏବେ ବିଜୁ ସେତୁ ଯୋଜନାରେ ଋଷିକୂଲ୍ୟା ସେତୁ ନିର୍ମାଣ ହେବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହୋଇଛି । ଗତ ୨୦୧୯ ମସିହାରେ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଠିକ ସମୟରେ କାର୍ଯ୍ୟ ଶେଷ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ ।

 

ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା, ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରବୀନ୍ଦ ନାୟକ । ଗତ ୨୦୨୦ ମସିହାରେ ସମ୍ବଲପୁର ମହୁଲପାଲି ଲପଡା ଗାଁରେ ହୋଇଥିଲା ଟ୍ରିପଲ ମର୍ଡର ।

ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ୩ ଆହତ

ଆଠଗଡ଼: ପୂର୍ବ ଶତ୍ରୁତାରୁ ବୋମାମାଡ଼ । ଗାଁରେ ଫୁଟିଲା ବୋମା । ଆଠଗଡ଼ ଥାନା ସମସରପୁର ପଞ୍ଚାୟତର ଅମୃତମଣୋହି ପାଟଣା ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଓ ହାରିଥିବା ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ଜୁଲାଇ ୧୪ ତାରିଖରେ ଶ୍ମଶାନ ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ବିବାଦର ସମାଧାନ ହୋଇପାରିନଥିଲା । ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ ହୋଇଛି ।

ପୁରୀ କୁମ୍ଭାରପଡା ଥାନା ମାଳିଜାଗାରେ ଛୁରାମାଡ଼, ଜଣେ ମୃତ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ମାଳିଜାଗାରେ ଛୁରାମାଡ଼ । ଛୁରାମାଡରେ ଜଣଙ୍କର ମୃତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା । ଛୁରାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଥମିନି ମଣିପୁର ହିଂସା, ମଣିପୁର ଇନସାଫ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ ବନ୍ଦ

ଚଣ୍ଡିଗଡ଼: ଥମିନି ମଣିପୁର ହିଂସା । ମଣିପୁର ହିଂସା ପ୍ରସଙ୍ଗରେ ପଞ୍ଜାବ ବନ୍ଦ । ବିଭିନ୍ନ ଦଳିତ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ନେଇ ଗଠିତ ମଣିପୁର ଇନସାଫ ମୋର୍ଚ୍ଚା ପକ୍ଷରୁ ପାଳିତ ହୋଇଛି ବନ୍ଦ । ବନ୍ଦ ଯୋଗୁ ସାରା ରାଜ୍ୟରେ ଜନଜୀବନ ବ୍ୟାହତ ହୋଇଛି । ମଣିପୁରରେ ଗତ ଚାରି ମାସ ଧରି ହିଂସା ଜାରି ରହିଥିବାବେଳେ ଶାନ୍ତି ଫେରୁନି । ହଜାର ହଜାର ଲୋକ ବେଘର ହେଲେଣି । ଆଦିବାସୀ ଓ ଦଳିତମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ରବିଦାସ ଓ ବାଲ୍ମିକୀ ସମ୍ରଦାୟ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି ।

ସ୍ମୃତି ଇରାନୀଙ୍କ ବିବୃତି ବେଳେ ରାହୁଲ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଲାଗି ବାଚସ୍ପତିଙ୍କ ନିକଟରେ ଦାବି

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ବିବାଦ । ନିଜର ବୟାନ ପରେ ଏକ ଫ୍ଲାଇଂ କିସ୍ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ଏନେଇ କେନ୍ଦ୍ରମନ୍ତ୍ରୀ ଶୋଭା କାରନ୍ଦଲାଜେ ଓ ଅନ୍ୟ କେତେକ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ କରିଛନ୍ତି ଅଭିଯୋଗ । ସେମାନେ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲକ୍ଷ୍ୟ କରି ରାହୁଲ ଏହି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ରାହୁଲଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସ୍ବାକ୍ଷର କରିଛନ୍ତି ବିଜେପିର ୨୧ ସାଂସଦ । ରାହୁଲଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବି ସେମାନେ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ରାହୁଲ ଆଜି ପ୍ରଥମେ ଉଦବୋଧନ ଦେଇଥିବାବେଳେ ସ୍ମୃତି ଇରାନି ନିଜ ପକ୍ଷ ରଖିଥିଲେ । ମାତ୍ର ସ୍ମିୃତି ଇରାନି ଭାଷଣ ଦେଉଥିବାବେଳେ ରାହୁଲ ଏହି ଇଙ୍ଗିତ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ । ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସହିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ବଂଶଲ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦୁଇ ବନକର୍ମଚାରୀଙ୍କ ହତ୍ୟା ପରେ ସର୍ଚ୍ଚ ଅପରେସନ, ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମାରଣାସ୍ତ୍ର ଆଦି ଜବତ କରାଯାଇଥିବା ବେଳେ ପୋଲିସର ଏହି ସଫଳତାକୁ ପୋଲିସ ଡିଜିପି ପ୍ରଶଂସା କରିଛନ୍ତି । ବନବିଭାଗ ସହ ଶିମିଳିପାଳ ପାଇଁ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଜିପି ବଂଶଲ କହିଛନ୍ତି ।

ଅଭୟାରଣ୍ୟକୁ ଶିକାରୀ ଓ ଶିକାରମୁକ୍ତ କରିବା ସମ୍ପର୍କରେ ଆଇଜି ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗେନାନୀ ପ୍ରମୁଖ ଡିଜିପିଙ୍କ ଗସ୍ତ ବେଳେ ସାମିଲ ହୋଇଥିଲେ ।

ସଂସଦ ଯିବା ରାସ୍ତାରେ ଅଟକିଗଲେ ରାହୁଲ, ଦୁର୍ଘଟଣା ପୀଡିତଙ୍କୁ କଲେ ସାହାଯ୍ୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଇଲେ ମାନବିକତା । ଗାଡିରୁ ଓହ୍ଲାଇ ସ୍କୁଟରରୁ ପଡିଯାଇଥିବା ଜଣେ ବ୍ୟକ୍ତିଙ୍କୁ କଲେ ସହାୟତା । ଆଜି ୧୦ ଜନପଥରୁ ଲୋକସଭା ଅଭିମୁଖେ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ ଛୋଟ ଦୁର୍ଘଟଣାରେ ସ୍କୁଟରରୁ ପଡିଯାଇଥିବା ଦେଖିଥିଲେ ।

ତେବେ ଅନ୍ୟମାନଙ୍କ ପରି ସେ ସେଠାରୁ ଚାଲି ନଯାଇ ନିଜ ଗାଡି ଅଟକାଇଥିଲେ  । ଗାଡିରୁ ଓହ୍ଲାଇ ସେ ପଡିଯାଇଥିବା ଲୋକଙ୍କ ନିକଟକୁ ଯାଇଥିଲେ । ସ୍କୁଟର ଆରୋହୀଙ୍କ ସ୍ବାସ୍ଥ୍ୟାବସ୍ଥା ସେ ପଚାରିଥିଲେ । ସ୍କୁଟର ଆରୋହୀଜଣକ ସୁସ୍ଥ ଥିବା ସେ ଜାଣିବାକୁ ପାଇିଥିଲେ । ପରେ ରାହୁଲ ହ୍ୟାଣ୍ଡସେକ କରି ସଂସଦ ଅଭିମୁଖେ ବାହାରିଥିଲେ ।

ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ମୋଦି ସରକାରଙ୍କୁ ଟାର୍ଗେଟ, ରାହୁଲ କହିଲେ ମଣିପୁର ମରିଯାଇଛି

ନୂଆଦିଲ୍ଲୀ: ମଣିପୁର ଆଜି ବଞ୍ଚିନାହିଁ । ମଣିପୁରକୁ ସରକାର ଭାଗ କରି ବାଣ୍ଟି ଦେଇଛନ୍ତି । ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି । ମଣିପୁରକୁ ନେଇ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏପରି କିଛି ଶାଣିତ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ମଣିପୁରକୁ ପ୍ରଧାନମନ୍ତ୍ରୀ ଯାଇ ନାହାନ୍ତି । ମାତ୍ର ସେ ଗସ୍ତ କରି ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେ କହିଛନ୍ତି- ରିଲିଫ କ୍ୟାମ୍ପରେ ମହିଳାଙ୍କ ଦୁଃଖ ଦେଖିଥିଲି । କେତେକ ମହିଳା କହିଲେ ତାଙ୍କର ଏକମାତ୍ର ସନ୍ତାନକୁ ତାଙ୍କ ଆଖି ଆଗରେ ଗୁଳି ମାରିଦିଆଗଲା । କେବଳ ପିନ୍ଧା ବସ୍ତ୍ର ଛଡ଼ା ତାଙ୍କ ନିକଟରେ ଆଉ କିଛି ନଥିଲା । ଅନ୍ୟ ଜଣେ ମହିଳା ବି କିଛି କହିବା ପୂର୍ବରୁ ବେହୋସ ହୋଇଯାଇଥିଲେ । ମଣିପୁରରେ ଭାରତର ଆତ୍ମାର ହତ୍ୟା କରାଯାଇଛି । ସେନା ଚାହିଁଥିଲେ ଦିନକରେ ମଣିପୁରରେ ଶାନ୍ତି ଫେରିଥାନ୍ତା । ମାତ୍ର ଏହା ଘଟିଲା ନାହିଁ ବୋଲି କହିଛନ୍ତି ରାହୁଲ ।

ରାବଣର ଅହଙ୍କାର ରାବଣକୁ ହତ୍ୟା କଲା ବୋଲି ରାହୁଲ କହିଥିଲେ । ରାବଣ କେବଳ କୁମ୍ଭକର୍ଣ୍ଣ ଓ ମେଘନାଦ କଥା ଶୁଣୁଥିଲା । ସେହିପରି ପ୍ରଧାନମନ୍ତ୍ରୀ କେବଳ ଅମିତ ଶାହ ଓ ଆଦାନୀଙ୍କ କଥା ଶୁଣୁଛନ୍ତି । ସାରାଦେଶରେ ଭାରତ ମାତାକୁ ହତ୍ୟା କରାଯାଉଛି । ଗୃହରେ ମୋର ଜଣେ ମା ବସିଛନ୍ତି । ମଣିପୁରରେ କିନ୍ତୁ ମୋର ଆଉ ଜଣେ ମାକୁ ମାରିଦେଲେ । ଲଙ୍କାକୁ ହନୁମାନ ଜଳାଇନାହାଁନ୍ତି । ରାବଣର ଅହଂକାର ଜଳାଇ ଦେଇଥିଲା । ରାମ ରାବଣକୁ ମାରିନଥିଲେ । ଅହଂକାର ରାବଣକୁ ବଧ କରିଥିଲା । ଆପଣ ପୂରା ଦେଶରେ କିରାସିନି ଫିଙ୍ଗୁଛନ୍ତି । ପୂରା ଦେଶକୁ ଜଳାଇବାରେ ଲାଗିଛନ୍ତି । ଆପଣ ଦେଶପ୍ରେମୀ ନୁହଁ ଦେଶଦ୍ରୋହୀ କହି ବିତର୍କ ଶେଷ କରିଥିଲେ ରାହୁଲ ।

କଟକ ଜିଲ୍ଲାରେ 5T ସଚିବଙ୍କ ମାରାଥନ ସମୀକ୍ଷା, ମା’ ଚର୍ଚ୍ଚିକାଙ୍କ ପୀଠରୁ ବିକାଶ ମଞ୍ଜି ବୁଣିଲେ

କଟକ: ଦ୍ବିତୀୟ ଦିନରେ କଟକ ଜିଲ୍ଲାରେ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକ ଜିଲ୍ଲା ବାଙ୍କୀ ଗସ୍ତରେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ସେ ଦର୍ଶନ କରିଛନ୍ତି ।

ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ, ଯାତ୍ରୀ ନିବାସ, ଶୌଚାଳୟ, ରେଣୁକା ନଦୀର ପୁନଃରୁଦ୍ଧାର କରିବାକୁ ଦାବି ଜଣାଇଛନ୍ତି ସେବାୟତ । ଏହାସହ ପାର୍କିଂ ସମସ୍ୟାର ସମାଧାନ କରିବାକୁ ମଧ୍ୟ ଦାବି କରିଛନ୍ତି ଲୋକେ । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।