spot_img
Home Blog Page 3027

ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ପ୍ରଶ୍ନ, ସାମଗ୍ରିକ ବିକାଶ ଲାଗି କ’ଣ ପଦକ୍ଷେପ ନେଇଛି କେନ୍ଦ୍ର ?

ନୂଆଦିଲ୍ଲୀ: ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀ ବା ପିଭିଟିଜିଙ୍କ ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ବିଭିନ୍ନ ପଦକ୍ଷେପ ନେଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ବିଭିନ୍ନ ଆଦିବାସୀ ଗୋଷ୍ଠୀ । ମନ୍ତ୍ରାଳୟ ପକ୍ଷରୁ ପିଭିଟିଜିଙ୍କ ବିକାଶ ଲାଗି ବିଶେଷ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ । ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀଙ୍କୁ ସହାୟତା ଲାଗି କୌଣସି ନୀତି ରହିଛି କି ? ଏଥିଲାଗି ପାଣ୍ଠିର ସବିଶେଷ ବିବରଣୀ ସମ୍ପର୍କରେ ଉଲ୍ଲେଖ କରିବା ସଂକ୍ରାନ୍ତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓଙ୍କ କେତେକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁଡୁ କହିଛନ୍ତି- ପିଭିଟିଜିଙ୍କ ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶ ଓ କଲ୍ୟାଣ ନିମନ୍ତେ ଧ୍ୟାନ ଦିଆଯାଉଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି । ଶିକ୍ଷା, ଗୃହ ନିର୍ମାଣ, ଜମି ବିକାଶ, କୃଷି ବିକାଶ, ପ୍ରାଣୀ ସମ୍ପଦ, ଲିଙ୍କ୍ ରୋଡ୍ ନିର୍ମାଣ, ଆଲୋକ ଲାଗି ଅଣପାରମ୍ପରିକ ଶକ୍ତି ଉତ୍ସ ପ୍ରତିଷ୍ଠା, ସଂସ୍କୃତି ଓ ପାରମ୍ପରିକତାର ସଂରକ୍ଷଣ ସଂକ୍ରାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରସ୍ତାବ ଅନୁସାରେ ଚିହ୍ନଟ ହୋଇଥିବା ୭୫ଟି ପିଭିଟିଜି ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।

ଏହା ସହ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଏସଟି ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନା ବା ଇଏମଆରଏସ କାର୍ଯ୍ୟକାରୀ ହୋଇଛି । ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ଇଏମଆରଏସରେ ୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ସେହିପରି ନ୍ୟାସନାଲ ଫେଲୋସିପରେ ପିଭିଟିଜି ଛାତ୍ରଛାତ୍ରୀଙ୍କ ଲାଗି ୭୫୦ ସ୍ଲଟରୁ ୨୫ଟି ସ୍ଲଟ ସଂରକ୍ଷିତ ରହିଛି । ପିଭିଟିଜି ବର୍ଗଙ୍କ ସାମାଜିକ ଅର୍ଥନୈତିକ ଅବସ୍ଥାର ଉନ୍ନତି ଲାଗି ୨୦୨୩-୨୪ ବଜେଟରେ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନ ଘୋଷିତ ହୋଇଛି । ଏଥିରେ ସେମାନଙ୍କ ଗୃହ, ସ୍ବଚ୍ଛ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ସଡକ, ଟେଲିକମ୍ ଯୋଗାଯୋଗ, ସହନଶୀଳ ଜୀବନ ବିକାଶ ସମ୍ଭବ ହେବ ।

ରାହୁଲଙ୍କ ଭାଷଣ ପରେ ଜବାବ ଦେଲେ ଅମିତ ଶାହ, ପରିବାରବାଦ ଓ ତୁଷ୍ଟିକରଣର ରାଜନୀତି କରେ କଂଗ୍ରେସ

ନୂଆଦିଲ୍ଲୀ: ମଣିପୁର ହିଂସା ଆଜିର ନୁହେଁ, ଏହା ପଛରେ ଷଡ଼ଯନ୍ତ୍ରକୁ ବୁଝିବାର ଆବଶ୍ୟକତା ରହିଛି । ଗତ ୫ ବର୍ଷ ଭିତରେ ମଣିପୁରରେ ହିଂସା ଅନେକ ମାତ୍ରାରେ ନିୟନ୍ତ୍ରଣରେ ଥିଲା । କିନ୍ତୁ ଗୋଟିଏ ସାମାନ୍ୟ ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । କିନ୍ତୁ ବିରୋଧୀ ଏହାକୁ ନେଇ ରାଜନୀତି କରିବାକୁ ପଛାଇ ନାହାନ୍ତି । ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ଏପରି ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ସଂସଦରେ ବିରୋଧୀ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ନିଜ ଦୋଷକୁ ବିରୋଧୀଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଗୃହ ଠପ୍‌ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ।

ଦେଶର ଉତ୍ତରପୂର୍ବ ଅଞ୍ଚଳକୁ କେନ୍ଦ୍ର ସରକାର ସବୁବେଳେ ଫୋକସରେ ରଖିଛନ୍ତି ବୋଲି ଅମିତ ଶାହ କହିଛନ୍ତି । ମଣିପୁର ଭିଡିଓ ଭାଇରାଲ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ କାହିଁକି ହଟାଗଲା ନାହିଁ ବୋଲି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଯେ, ରାଜ୍ୟ ସରକାର ଶାନ୍ତି ପାଇଁ ଅନେକ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ହଟାଯାଏ ଯେତେବେଳେ ରାଜ୍ୟ ସରକାର ବିଫଳ ହୁଅନ୍ତି । କିନ୍ତୁ ବିରେନ ସିଂ ଅନବରତ ପ୍ରୟାସ କରୁଛନ୍ତି । ଦେଶରେ ଗତ ୯ ବର୍ଷରେ ଅନେକ ବିକାଶ କରିଛନ୍ତି ସରକାର । ଜାମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିଠୁ ଆରମ୍ଭ କରି ଦେଶର ବିଭିନ୍ନ ଅଞ୍ଚଳରେ ଥିବା ନକ୍ସଲ ହିଂସାକୁ ବନ୍ଦ କରାଯାଇପାରିଛି । ଓଡ଼ିଶା ଆଜି ମାଓ ଉପଦ୍ରବ ମୁକ୍ତ ହୋଇପାରିଛି । ଦେଶର ଜନତା କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଏହି ଭରସା ନାହିଁ । ଏହି ଅନାସ୍ଥା ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରିବା ପାଇଁ ଅଣାଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କାମ କରୁଛନ୍ତି ବିରୋଧୀ । କରୋନା ସମୟରେ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ କରୋନାକୁ ଆମେ ସଫଳ ମୁକାବିଲା କରିପାରିଲେ ବୋଲି ଅମିତ ଶାହ କହିଛନ୍ତି । ଟିକାକରଣରେ ମଧ୍ୟ ସଫଳତା ମିଳିଛି ।

ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସର ବ୍ଲୁ ପ୍ରିଣ୍ଟ, ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ

ଭୁବନେଶ୍ୱର: ବେଆଇନ ବନ୍ଧୁକ ଧରିଲେ ଏନକାଉଣ୍ଟର ନିର୍ଦ୍ଦେଶ । ହତିଆର ଜବାବ୍ ଗୁଳିରେ ଦେବ ଟିମ୍ ପ୍ରତୀକ । କ୍ରାଇମ ମିଟିଂରେ କାର୍ବାଇନ କାରବାର ନେଇ ଚର୍ଚ୍ଚ । ବନ୍ଧୁକ ଚାଲାଣ ରୋକିବା ପାଇଁ ଖୁବଶୀଘ୍ର ସ୍ପେଶାଲ ଅପରେସନ । ଅତ୍ୟାଧୁନିକ ୯ MM କାର୍ବାଇନ, ଅଟୋମେଟିକ ବନ୍ଧୁକ ଓ ମାଗାଜିନ । ଖଣି ମୋରମ ଲୁଟ, ଗୋ ଚାଲାଣ, ହତ୍ୟା, ଅପହରଣ ସହ ଜଡିତ ୪ କୁଖ୍ୟାତ ଅପରାଧୀଙ୍କଠାରୁ ଏଭଳି ମାରଣାସ୍ତ୍ର ଜବତ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ । ମାଫିଆ ପ୍ରକାଶ ରାଉତରାୟର ଘର, କ୍ରସର ୟୁନିଟ, ଫାର୍ମ ହାଉସରେ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ନିଷିଦ୍ଧ କାର୍ବାଇନ ଅପରାଧୀଙ୍କ ହାତକୁ ଆସୁଛି କେଉଁଠୁ ? ନୟାଗଡ଼ ଅସ୍ତ୍ରାଗାର ଲୁଟ ବେଳର ଏହି ବନ୍ଧୁକ ନୁହେଁ ତ ? ବନ୍ଧୁକରେ କୌଣସି ମାର୍କ ନଥିବା ବେଳେ SFSlର ରିପୋର୍ଟ ସତ ପଦାକୁ ଆଣିପାରିବ ବୋଲି କହିଛନ୍ତି ଡିସିପି ।

ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକ ସ୍ମୋକ୍ । କୁଇକ ଆକ୍ସନ ଟିମ୍ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ କରିଥିଲା । ୨୦୧୫ରେ ୧୧୩ଟି ମାମଲା ରୁଜୁ କରାଯିବା ସହ ୬୩ଟି ମାଉଜର ସହ ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ୨୦୧୬ରେ ୧୨୨ଟି ମାମଲା ରୁଜୁ ହେବା ସହ ୮୯ ଟି ମାଉଜର ଓ ୨୧୨ଟି ଅଫୁଟା ଗୁଳି ଜବତ ହୋଇଥିଲା । ତେବେ ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୁରାଇଥିବା କ୍ୟୁଏଟିର ଏହି ଅପରେସନ ନୂଆ ରୂପରେ ଆରମ୍ଭ ହେବ ବୋଲି କମିଶନରେଟ ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗିରଫ ୪ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ, ବଟ ପାଣି, ପ୍ରକାଶ ରାଉତରାୟ ଓ ଶିବ ନାଲିକୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଗ୍ୟାଙ୍ଗ ୱାର ଓ ଗନ ଡିଲ ସମ୍ପର୍କରେ ଖୋଳତାଡ଼ କରିବ ଟିମ୍ ପ୍ରତୀକ ।

ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ, ଭୁବନେଶ୍ବରର ଜଣେ ମହିଳା ଠକେଇର ହେଲେ ଶିକାର

ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ୍ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । ପାର୍ସଲରେ ଆସିଛି ଡ୍ରଗ୍ସ । ମାମଲା ରଫା ଦଫା ପାଇଁ ଟଙ୍କା ଦରକାର । ଠକେଇର ଶିକାର ହେଲେ ମହିଳା । ଠକ ନେଇଗଲା ୮ ଲକ୍ଷ ଟଙ୍କା । ମହିଳା ଜଣଙ୍କ ଗିରଫ ଭୟରେ ୬ଟି ପର୍ଯ୍ୟାୟରେ ୮ ଲକ୍ଷ ଟଙ୍କା ଠକକୁ ଦେଇ ଦେଇଛନ୍ତି । ଠକେଇ ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ବର୍ତ୍ତମାନ ସୁଦ୍ଧା ସାଇବର ଥାନାରେ ୩ଟି ମାମଲା ରୁଜୁ ହୋଇଛି । ଏହାକୁ ନେଇ ଡିସିପି ଲୋକଙ୍କୁ ସଚେତନ କରିଛନ୍ତି  । ଏବେ ଠକମାନେ କୋରିୟର ନାଁରେ କଲ କରୁଛନ୍ତି । କଷ୍ଟମ କିମ୍ବା କୌଣସି ଜାଗାରେ ପାର୍ସଲ ଅଟକି ରହିଛି । ବେଆଇନ ପାର୍ସଲକୁ ପୋଲିସ ଜବତ କରିଛି । ପାର୍ସଲ ରିଲିଜ କରିବାକୁ ହେଲେ ଟଙ୍କା ପଠାଅ । ଲୋଙ୍କ ମାନେ ବି ଭୟରେ ବ୍ୟାଙ୍କ ଡିଟେଲ୍ସ ଦେଇ ଦେଉଛନ୍ତି । ଯାହା ଫଳରେ ଆକାଉଣ୍ଟ ଖାଲି ହୋଇ ଯାଉଛି । ଏଭଳି କଲ୍‌ ଆସିଲେ ଦୂରେଇ ରୁହନ୍ତୁ । ଯଦି ଠକେଇର ଶିକାର ହେଉଛନ୍ତି ତାହାହେଲେ ୧୯୩୦ ହେଲ୍ପ ଲାଇନକୁ କଲ କରି ଆକାଉଣ୍ଟ ବ୍ଳକ କରିବାକୁ ଡିସିପି ଅପିଲ କରିଛନ୍ତି ।

ଏବେ କୋରିୟର ନୁହେଁ ହୋଟେଲ ନାମରେ ଫେକ୍ ଓ୍ବେବସାଇଟ, ଟ୍ରାଭେଲ ଟୁର୍, ଇନଫରମେସନ, ଓଟିପି ସ୍କାମ୍, ନ୍ୟୁଡ୍‌ କଲ ଧରଣର ଠକେଇ ହେଉଛି । ଭୁବନେଶ୍ବରରେ ସାଇବର ଠକେଇ ଗ୍ରାଫ୍ ବଢୁଥିବାରୁ କ୍ରାଇମ୍ ରୋକିବା ନେଇ ଗତ ବର୍ଷ ସାଇବର ପାଠଶାଳା ଅଭିଯାନ କରିଛି ପୋଲିସ । ଏବେ ସୁଦ୍ଧା ୫୦ରୁ ଅଧିକ ବିଭିନ୍ନ ସ୍କୁଲ, କଲେଜରେ ସଚେତନତା କରିଛି ପୋଲିସ । ଆଜି ହାଇଟେକ୍ ମେଡିକାଲ କଲେଜରେ ପ୍ରାୟ ୭୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ପାଠଶାଳା କରିଥିଲା ପୋଲିସ । ଚଳିତ ବର୍ଷ ୭ ମାସରେ ୧୦ କୋଟି ଟଙ୍କା ଠକେଇ ନେଇ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୫୦ ଲକ୍ଷ ଟଙ୍କା ଠକଙ୍କ ଠାରୁ ଫେରେଇ ଆଣିବା ବେଳେ ୮୦ ଲକ୍ଷ ଟଙ୍କା ବ୍ଳକ୍ କରିଛି ସାଇବର ଥାନା ପୋଲିସ ।

ସମ୍ବଲପୁରରେ ଡେଙ୍ଗୁ ଭୟ, ଜିଲ୍ଲାରେ ପାଞ୍ଚଟି ଡେଙ୍ଗୁ ରୋଗୀ ଚିହ୍ନଟ

ସମ୍ବଲପୁର: ସମ୍ବଲପୁରରେ ଡେଙ୍ଗୁ ଭୟ । ଜିଲ୍ଲାରେ ପାଞ୍ଚଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଟେଷ୍ଟିଂ ବଢ଼ିଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତେବେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାକୁ ନେଇ ମହାନଗର ନିଗମକୁ ଦାୟୀ କରିଛନ୍ତି ସମ୍ବଲପୁରବାସୀ । ସହର ସାରା ଯୁଆଡ଼େ ଦେଖିବେ କୁଢ଼ କୁଢ଼ ଆବର୍ଜନା ପଡ଼ିରହୁଥିବା ଅଭିଯୋଗ ହୋଇଛି । ସହରରେ ସଚେତନତା କି ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ସମ୍ବଲପୁର ସହରାଞ୍ଚଳରୁ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ତିନିଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି । ଯେଉଁ ଅଞ୍ଚଳରେ ରୋଗୀ ବାହାରିଛନ୍ତି ସେ ଅଞ୍ଚଳରେ ଆହୁରି ଟେଷ୍ଟିଂ ବଢିଲେ ଡେଙ୍ଗୁ ରୋଗୀ ସଂଖ୍ୟା ବଢିପାରେ ବୋଲି ଡାକ୍ତର କହିଛନ୍ତି । ସେପଟେ ଡେଙ୍ଗୁ ମୁକାବିଲା ପାଇଁ ସ୍ବାର୍ଥ ବିଭାଗ ପ୍ରସ୍ତୁତ ଥିବା ଜଣାପଡିଛି ।

ଆସିକାର ମନମୋହୁଛି ଗାଁ ମଶାଣୀ, ସବୁଜ ପରିବେଶ ଭିତରେ ହେଉଛି ଶବ ଦାହ

ଆସିକା: ପ୍ରବେଶ ପଥରେ ମହାଦେବଙ୍କ ମୂର୍ତ୍ତି । ଗେଟ୍ ଦେଇ ଭିତରକୁ ଗଲେ ଦେଖିବେ ସୁନ୍ଦର ସବୁଜ ପରିବେଶ । ବସିବା ପାଇଁ ପରିସ୍କାର ସ୍ଥାନ, ଶୌଚାଳୟ ସହ ଚଲା ବୁଲା କରିବାକୁ ପକ୍କା ରାସ୍ତା । ଏସବୁ ଚିତ୍ର ଦେଖି ଆପଣ ଏହାକୁ ଏକ ପାର୍କ ଭାବିପାରନ୍ତି । କିନ୍ତୁ ଏହା ଏକ ମଶାଣୀ । ରାଜ୍ୟ ସରକାରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ଓ୍ବାର୍ଡରେ ନିର୍ମାଣ ହୋଇଛି ଆଦର୍ଶ ମଶାଣୀ ।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ନିର୍ମାଣ ହୋଇଥିବା ଏହି ମଶାଣୀ ପାଇଁ ଖର୍ଚ୍ଚ ହୋଇଛି ୬୪ ଲକ୍ଷ ୪୭ ହଜାର ଟଙ୍କା । ସ୍ବଚ୍ଛତା ଓ ପରିଚ୍ଛନତାର ବ୍ୟବସ୍ଥା ପାଇଁ ଏହା ଲୋକଙ୍କୁ ଆକର୍ଶିତ କରୁଛି । ଶବ ଦାହ କରିବା ପରେ ଆରାମରେ କିଛି ସମୟ ବସି ସମୟ ବିତାପାରୁଛନ୍ତି ସମ୍ପର୍କୀୟ । ଯୁବଗୋଷ୍ଠୀ ସାଙ୍ଗସାଥୀଙ୍କ ସହ ଆସି ଏଠାରେ ବସାଉଠା କରିବା ସହ ସେଲଫି ମଧ୍ୟ ନେଉଛନ୍ତି । ଆଦର୍ଶ ମଶାଣୀ ପାଇଁ ଶବ ଦାହରେ ସମସ୍ୟା ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଆଦର୍ଶ ମଶାଣୀ ଦ୍ବାରା ଶବ ଦାହ ଚିନ୍ତା ଦୂର ହୋଇଛି । ଏଥିସହ ବୁଲାବୁଲି ସାଙ୍ଗକୁ ଆଦର୍ଶ ମଶାଣିରେ ଗପସପର ଆସର ଜମୁଛି ।

 

ସିଲେଇ ଶିଖି ସ୍ବାବଲମ୍ବୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ୪ଟି ସିଲେଇ ମେସିନରେ ତିଆରି କରୁଛନ୍ତି ସମସ୍ତ ସାମଗ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବେହେରା ଗାଁ । ୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଏଠାରେ ଗଠନ ହୋଇଛି ଦଣ୍ଡପାଟ ପ୍ରଡୁସର୍ ଗ୍ରୁପ୍ । ପ୍ରାୟ ଶତାଧିକ ମହିଳା ଏହି ଗ୍ରୁପ୍ ସହ ଜଡିତ । ସିଲେଇ ଶିକ୍ଷା କରି କପଡାରେ ସୁନ୍ଦର ସୁନ୍ଦର ପୋଷାକ ବ୍ୟାଗ୍ ସାଙ୍ଗକୁ ଏମ୍ରୋଡରୀ କରି ତାକୁ ବିକ୍ରି କରୁଛନ୍ତି । ସେଥିରୁ ଯାହା ରୋଜଗାର ସେଥିରେ ଚଳୁଛି ପରିବାର । କିନ୍ତୁ କାମ କରିବା ପାଇଁ  ମାତ୍ର ଗୋଟିଏ ଘର ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ।

୪ଟି ସିଲେଇ ମେସିନ ଏବଂ ଗୋଟେ ଘରେ କାମ କରୁଛନ୍ତି ମହିଳା । ଅଧିକ ମହିଳାଙ୍କୁ ସିଲେଇ ଶିଖେଇବା ପାଇଁ ଶିକ୍ଷକ ଥିବା ବେଳେ ରହିଛି ଘରର ଅଭାବ । ଦୁଇ ଜଣ ସିଲେଇ ଶିକ୍ଷକ ଯାହା ଯେତିକି ସମ୍ଭବ ସିଲେଇ ଶିଖାଉଛନ୍ତି । ପର୍ଯ୍ୟାପ୍ତ ଘର ନଥିବାରୁ ଅନେକ ମହିଳା ଶିଲେଇ କାର୍ଯ୍ୟ ଶିଖିବାରୁ ବଞ୍ଚିତ ରହିଛନ୍ତି । ଏନେଇ ଘରଟିଏ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଏସଏଚଜି ମହିଳାମାନେ । ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି । ବେହେରା ଗାଁରେ ସରକାର ସିଲେଇ ମେସିନ୍ ସହ ଘର ଯୋଗାଇଦେଲେ ଆହୁରି ଅଧିକ ମହିଳା ରୋଜଗାରକ୍ଷମ ହୋଇପାରିବେ ।

ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ, ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ

ଗଞ୍ଜାମ: ପୂରଣ ହେଲା ଦୀର୍ଘ ବର୍ଷର ଦାବି । ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ । ଏଣିକି ଆଉ ଡଙ୍ଗା ନୁହେଁ କି ସହର ବୁଲିବାକୁ ପଡ଼ିବନି । ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଯିବାକୁ ହେଲେ ଏହି ସେତୁ ହିଁ ସାଜିବ ବଡ଼ ମାଧ୍ୟମ । ପୁରୁଷୋତ୍ତମପୁର ହାଣ୍ଡିଘରରୁ ତାରାତାରିଣୀ ପୀଠକୁ  ସମ୍ପର୍କର ସେତୁ ସାଜିଛି ବିଜୁ ସେତୁ । ମୋଟ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେତୁର ଲମ୍ବ ୩୬୭ ମିଟର ରହିଥିବା ବେଳେ ଏହା ପୁରୁଷୋତ୍ତମପୁରର ସବୁଠାର ଅଧିକ ଲମ୍ବା ସେତୁ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ସେତୁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ।

ଭୁବନେଶ୍ବର, କଟକ ସହ ବିଭିନ୍ନ ଜିଲ୍ଲାରୁ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ସେତୁ ଦେଇ ମାଆଙ୍କ ନିକଟକୁ କମ୍ ସମୟ ମଧ୍ୟରେ ଯାଇପାରିବେ । ଦୀର୍ଘ ବର୍ଷର ଦାବି ରାଜ୍ୟ ସରକାର ଶୁଣିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୧୦ଟି ପଞ୍ଚାୟତର ଗ୍ରାମବାସୀ ।

ହାଣ୍ଡିଘର, ଆଛୁଲି, ପ୍ରତାପୁର ଭଳି ପ୍ରାୟ ୧୦ଟି ପଞ୍ଚାୟତର ଲୋକ ତାରାତାରିଣୀ ଯିବାକୁ ହେଲେ ସହର ବୁଲିବାକୁ ପଡ଼ୁଥିଲା । ବେଳେ ବେଳେ ଋଷିକୁଲ୍ୟା ନଦୀ ପାର ହୋଇ ଯିବାକୁ ମଧ୍ୟ ପଡ଼ୁଥିଲା । ଏବେ ବିଜୁ ସେତୁ ଯୋଜନାରେ ଋଷିକୂଲ୍ୟା ସେତୁ ନିର୍ମାଣ ହେବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହୋଇଛି । ଗତ ୨୦୧୯ ମସିହାରେ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଠିକ ସମୟରେ କାର୍ଯ୍ୟ ଶେଷ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ ।

 

ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା, ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରବୀନ୍ଦ ନାୟକ । ଗତ ୨୦୨୦ ମସିହାରେ ସମ୍ବଲପୁର ମହୁଲପାଲି ଲପଡା ଗାଁରେ ହୋଇଥିଲା ଟ୍ରିପଲ ମର୍ଡର ।

ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ୩ ଆହତ

ଆଠଗଡ଼: ପୂର୍ବ ଶତ୍ରୁତାରୁ ବୋମାମାଡ଼ । ଗାଁରେ ଫୁଟିଲା ବୋମା । ଆଠଗଡ଼ ଥାନା ସମସରପୁର ପଞ୍ଚାୟତର ଅମୃତମଣୋହି ପାଟଣା ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଓ ହାରିଥିବା ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ଜୁଲାଇ ୧୪ ତାରିଖରେ ଶ୍ମଶାନ ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ବିବାଦର ସମାଧାନ ହୋଇପାରିନଥିଲା । ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ ହୋଇଛି ।