ଜମ୍ମୁ କାଶ୍ମୀରର ରିୟାସୀରେ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ

1 min read

ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାର ଚସାନାରେ ସୋମବାର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଣେ ଆତଙ୍କୀଙ୍କୁ ମାରି ଗଡ଼ାଇଛି ସେନା । ଏଥିସହିତ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ସୋମବାର ଦୁଇ ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହି ସମୟରେ ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଆହତ ଜଣେ ପୋଲିସକର୍ମୀଙ୍କୁ ଚିକିତ୍ସା ପାଇଁ ସେନା ମେଡିକାଲକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ସୁରକ୍ଷାକର୍ମୀ ଚାରି ଆତଙ୍କୀଙ୍କୁ ନିପାତ କରିଥିଲେ । ଜମ୍ମୁ କାଶ୍ମୀର ପୋଲିସ କହିଥିଲା ଯେ ପୁଞ୍ଛର ସିନ୍ଧରା ଅଞ୍ଚଳରେ ପୋଲିସ ସହ ମିଳିତ ଅପରେସନରେ ସୁରକ୍ଷାବଳ ଚାରି ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲା ।