ସୁନାରୂପା ପାତ୍ରରେ ଖାଇବେ ବିଦେଶୀ ଅତିଥି, ଅଧିକାଂଶ ହୋଟେଲରେ ସାଇବର ସ୍କ୍ବାର୍ଡ ମୁତୟନ

1 min read

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ଲାଗି ଅଭେଦ୍ୟ ଦୁର୍ଗ ପାଲଟିଲାଣି ଦିଲ୍ଲୀ । ବିଶେଷ କରି ସାଇବର ନିରାପତ୍ତା ଉପରେ ରଖାଯାଇଛି ସତର୍କ ନଜର । ବିଶେଷ କରି ଚୀନ-ପାକିସ୍ତାନ ସାଇବର ଅପରାଧୀଙ୍କ ଉପରେ ରଖାଯାଇଛି ନଜର । ଭାରତକୁ ବିଶ୍ବସ୍ତରରେ ନିନ୍ଦିତ କରିବା ଲାଗି ଏହି ଦୁଇ ରାଷ୍ଟ୍ର ସର୍ବଦା ଚେଷ୍ଟିତ ଥିବାରୁ ଗ୍ରୁପ 20 ସମ୍ମିଳନୀ ଲାଗି କଡା ପଦକ୍ଷେପ ନିଆଯାଇଛି ।

ସମ୍ମିଳନୀ ହେଉଥିବା ଅଞ୍ଚଳରେ ସାଇବର ନିରାପତ୍ତା ଦାୟିତ୍ବ କମ୍ପ୍ଯୁଟର ଏମର୍ଜେନସି ରେସପନସ ଟିମକୁ ନ୍ଯସ୍ତ କରାଯାଇଥିବାବେଳେ ଦିଲ୍ଲୀର ଅବଶିଷ୍ଟ ଭାଗରେ ଦିଲ୍ଲୀ ପୋଲିସ ସାଇବର ସିକ୍ଯୁରିଟି ସେଲ୍ ହାତରେ ନିରାପତ୍ତା ଭାର ଅର୍ପଣ କରାଯାଇଛି । ଭିଭିଆଇପି ରହୁଥିବା ୨୮ଟି ହୋଟେଲରେ ହାଇଆଲର୍ଟ ଜାରି କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିବାକୁ ଥିବା ଆଇଟିସି ମୋର୍ଯ୍ୟ ଶେରାଟନରେ ସାଇବର ସ୍କ୍ବାଡ ମୁତୟନ ହୋଇଛନ୍ତି ।

ଦ ଲଳିତ, ସାଙ୍ଗ୍ରିଲା, କ୍ଲାରିଜସ, ଇରୋସ ହୋଟେଲ, ରାଡିସନ ବ୍ଲୁ, ତାଜ ହୋଟେଲ, ପ୍ରାଇଡ ପ୍ଲାଜା, ଭିଭାନ୍ତ, ହୋଟେଲ ଗ୍ରାଣ୍ଡ ଆଦିରେ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ସବୁଠାରେ ଶୂନ୍ଯସହନଶୀଳ ନୀତି କାର୍ଯ୍ୟକାରୀ କରାଯାଇଛି । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ସମ୍ମିଳନୀ ଲାଗି ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ନେତା । ଆଜି ରାତି ୯ରୁ ରବିବାର ଯାଏ ଦିଲ୍ଲୀ ସୀମାରେ ଭାରୀ, ହାଲୁକା ଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତାକାଲି ଠାରୁ ରବିବାର ଯାଏ ଫୁଡ ଡେଲିଭରୀ, ମାର୍କେଟ, କମର୍ସିଆଲ ଡେଲିଭରୀ ସର୍ଭିସ, ବ୍ୟାବସାୟିକ ପ୍ରତିଷ୍ଠାନ ଆଦିକୁ ବନ୍ଦ ରଖାଯିବ । ଗ୍ରୁପ 20 ସମ୍ମିଳନୀ ଲାଗି ବିଭିନ୍ନ ନିରାପତ୍ତା ସଂସ୍ଥା ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଛି । ଅତିଥିମାନେ ରହିବାକୁ ଥିବା ହୋଟେଲ, ସମ୍ମିଳନୀ ସ୍ଥଳ, ରାସ୍ତା ପାର୍ଶ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଖାପାଖି ସାଢେ ୭ ଲକ୍ଷ କୃତ୍ରିମ ଗଛ ଲଗାଯାଇଛି ।

ରଙ୍ଗ ବେରଙ୍ଗର ବିଭିନ୍ନ ଆକୃତିର ଏହି ଗଛ ଗୁଡ଼ିକ ଯେମିତି ସୁନ୍ଦର ହୋଇଛି ସେତିକି ମନଲୋଭା ବି ହୋଇଛି । ଅତିଥି ମାନଙ୍କୁ ସୁନା ଓ ରୁପା ପାତ୍ରରେ ଖାଦ୍ୟ ପରଷାଯିବ । ଏଥିପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।