ଏସିଆନ ସମ୍ମିଳନୀରେ ଚୀନର ଚେତାବନୀ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଇଛି ରାଜନୈତିକ ଉତ୍ତେଜନା

1 min read

ଜାକାର୍ତ୍ତା: ବିଶ୍ବରେ ଦେଖାଦେଉଛି କି ଆଉ ଏକ ଶୀତଳ ଯୁଦ୍ଧ । ଏହାକୁ ନେଇ ସତର୍କ କରାଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ କହିଛନ୍ତି- ଏକ ନୂତନ ଶୀତଳ ଯୁଦ୍ଧକୁ ହଟାଇବା ବର୍ତ୍ତମାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହ୍ବାନ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରମଶଃ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସେ କରାଇଛନ୍ତି ସତର୍କ ।

ଏହି ସମ୍ମିଳନୀରେ ବ୍ରୁନୋଇ, ମିଆଁମାର, କାମ୍ବୋଡିଆ, ତିମୋର, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ଫିଲିପାଇନସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ସଦସ୍ଯ ଥିବାବେଳେ ଚୀନ, ଜାପାନ, ସାଉଥକୋରିଆ, ଭାରତ ଓ ଆମେରିକା ଅତିଥି ରାଷ୍ଟ୍ର ଭାବେ ଯୋଗ ଦେଇଛନ୍ତି । କିଆଙ୍ଗ କହିଛନ୍ତି ବିଭିନ୍ନ ଦେଶ ମଧ୍ଯରେ ରହିଥିବା ମତପାର୍ଥକ୍ଯ ଓ ବିବାଦ ଦୂର କରିବାକୁ ପଡିବ ।

ଏସିଆନ ସମ୍ମିଳନୀରେ ବିଶେଷ କରି ଦକ୍ଷିଣ ଚୀନ ସମୁଦ୍ରରେ ଚୀନ ଜାରି ରଖିଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ବ୍ଯକ୍ତ କରାଯାଇଥିଲା । ଏହି ଅଞ୍ଚଳ ଉପରେ ଆମେରିକାର ସ୍ବତନ୍ତ୍ର ନଜର ରହିଛି ବୋଲି କହିଥିଲେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ । ଚୀନର ନୂଆ ମ୍ଯାପକୁ ନେଇ ମଧ୍ଯ ବୈଠକର ଉଦବେଗ ପ୍ରକାଶ ପାଇଛି ।