ଚମକିବ ପାର୍କ-ବ୍ୟାୟାମଶାଳା, ମୁକ୍ତା ଯୋଜନାରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି ।

ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ 5T ମନ୍ତ୍ରରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ଥିବା ୨୦୫୫ ଓ୍ବାର୍ଡରେ ମୁକ୍ତା ଯୋଜନାରେ ୫ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଛୋଟ ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳପଡିଆ, ପାଦଚଲା ରାସ୍ତା, ବହୁମୁଖି କମ୍ୟୁନିଟି ହଲ୍‍ ସହିତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି । ପର୍ଯ୍ୟାୟକ୍ରମେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ ହୋଇଛି ।

ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ ସହିତ ଗୋଷ୍ଠି ସହଭାଗିତାରେ ଏହା କରିବାକୁ  ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରାଯିବା ସହିତ ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟ୍କୋଦ ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ଠିକଣା ସମୟରେ ସେମାନଙ୍କର ପାଉଣା ପ୍ରଦାନ କରାଯିବ । ପୌର ସଂସ୍ଥାଗୁଡିକୁ ପଞ୍ଚଦଶ ଅର୍ଥ କମିଶନରୁ ମିଳିଥିବା ଅନୁଦାନ ଏବଂ ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି ।