କାଲିଠୁ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖ ଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିଲା । ସେହିପରି ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତାକାଲି (ଶୁକ୍ରବାର) ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ । ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ । ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି L ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ । ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଦଶମବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ରେସନକାର୍ଡ ହିତାଧିକାରୀ ପରିବାରର, ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟେକ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ପାଇବେ ।