ନନ୍ଦିଘୋଷ ବ୍ୟୁରୋ: ସ୍ବାଧୀନତା ଦିବସକୁ ଗୁଗୁଲ ଡୁଡୁଲର ନିଆରା ସମ୍ମାନ । ୭୭ତମ ସ୍ବାଧୀନତା ଦିବସରେ ଗୁଗୁଲ ଭାରତର ବିବିଧ ବୟନକୁ ଲୋଗୋରେ ସ୍ଥାନ ଦେଇଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବୟନ ପରମ୍ପରାକୁ ଗୁଗୁଲ ଲୋଗୋରେ ସ୍ଥାନ ଦେଇ ଦେଶକୁ ସମ୍ମାନ ଦେଇଛି । ଏହି ଲୋଗୋକୁ ନୂଆ ଦିଲ୍ଲୀର ଆର୍ଟିଷ୍ଟ ନମ୍ରତା କୁମାର କରିଛନ୍ତି । ଭାରତର ବୟନ କଳାକୁ ଏକ ସନ୍ତୁଳିତ ଢଙ୍ଗରେ ସେ ଉପସ୍ଥାପିତ କରିଛନ୍ତି । ବୟନ କଳା ଭାରତର ପରିଚୟ । ଯାହାକୁ ନମ୍ରତା ଗୁଗୁଲ ଲୋଗୋରେ ସ୍ଥାନ ଦେବାକୁ ଉଚିତ ମନେ କରି ସ୍ବାଧୀନତା ଦିବସ ଲାଗି ଉତ୍ସର୍ଗ କରିଛନ୍ତି । ଭାରତର ବଡ଼ ପର୍ବପର୍ବାଣୀରେ ଗୁଗୁଲ ଏପରି ଲୋଗୋରେ ପରିବର୍ତ୍ତନ କରି ଦେଶର ଉତ୍ସବରେ ନିଜକୁ ସାମିଲ କରିଥାଏ ।
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଖଡଗେଙ୍କ ଆକ୍ରମଣ, ଆରବର୍ଷ ଘରେ ଉଡ଼ାଇବେ ତ୍ରିରଙ୍ଗା
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ପୁଣି ଜୋର ଧରିଲା ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆଗାମୀ ବର୍ଷକୁ ପୁଣି ତ୍ରିରଙ୍ଗା ଉଡାଇବି’ ଉକ୍ତିକୁ ନେଇ ଭିନ୍ନ ମତ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ । ସେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ‘ଆସନ୍ତା ବର୍ଷ ମୋଦୀ ତାଙ୍କ ଘରେ ପତାକା ଉତ୍ତୋଳନ କରିବେ। ଆଜି ବି ସେମାନେ ଅହଂକାର ପ୍ରଦର୍ଶନ କରୁଛନ୍ତି, ତାହାଲେ ସେ ଦେଶ କିପରି ଗଢିବେ।’
ବାସ୍ତବରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ କହିଥିଲେ, ଯେତେବେଳେ ଦେଶ ୨୦୪୭ ମସିହାରେ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ସେତେବେଳେ ଆମ ଦେଶର ତ୍ରିରଙ୍ଗା ବିଶ୍ୱର ଏକ ବିକଶିତ ଦେଶର ପରିଚୟ ନେଇ ଫରଫର ଉଡିବ | ଏଥିପାଇଁ ସେ ଆସନ୍ତା ୫ ବର୍ଷକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ସେ ଦୃଢ ବିଶ୍ୱାସର ସହ ଲାଲକିଲ୍ଲାରେ ୨୦୨୪ରେ ବି ଜାତୀୟ ପତାକା ଉଠାଇବେ ବୋଲି କହିଥିଲେ।
ଅନ୍ୟପକ୍ଷରେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବ ମଧ୍ୟ ଖଡ଼ଗେଙ୍କ କଥାକୁ ଦୋହରାଇଛନ୍ତି। ଆଉ କହିଛନ୍ତି ଯେ ଆଗାମୀ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିବେ ନାହିଁ। ଏହା ହିଁ ତାଙ୍କର ଅନ୍ତିମ ଉତ୍ତୋଳନ ଅଟେ । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟ ଆମେ କରିବୁ ।
ସେପଟେ ଲାଲକିଲ୍ଲାର ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମରେ ସାମିଲ ହେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୂ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ଏବଂ ତାଙ୍କ ପାଇଁ ନିର୍ଦ୍ଧାରିତ ଥିବା ଖାଲି ଥିବା ଦେଖିବାକୁ ମିଳିଥିଲା । ଏ ନେଇ କଂଗ୍ରେସ ପକ୍ଷରୁ ବୟାନ ଜାରି କରାଯାଇଛି ।
ସେ କହିଛନ୍ତି କି, ତାଙ୍କୁ ନିଜ ଘରେ ଏବଂ ପରେ କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବାର ଥିଲା । ଏଥିପାଇଁ ସେ ଲାଲକିଲ୍ଲାରେ ହୋଇଥିବା ସମାରୋହରେ ସାମିଲ ହୋଇପାରି ନଥିଲେ । ଯଦି ସେ ଲାଲକିଲ୍ଲାରେ ଅନୁଷ୍ଠିତ ସମାରୋହରେ ସାମିଲ ହୋଇଥାନ୍ତେ ତେବେ ଘରେ ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିପାରିନଥାନ୍ତେ । ସୁରକ୍ଷା କାରଣରୁ ସେ ଲାଲକିଲ୍ଲାରୁ ଶୀଘ୍ର ବାହାରିପାରିନଥାନ୍ତେ । ସେଠାରେ ଅତିକମରେ ୨ ଘଣ୍ଟା ରହିବାକୁ ପଡ଼ିଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ଭବନରେ ସେ ସନ୍ଧ୍ୟାବେଳେ ଉପସ୍ଥିତ ରହିବେ ।
ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ମିଳିଲା ୧୫ କୋଟି ଟଙ୍କା
ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
ଗତ ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ନୂଆପଡା ଜିଲ୍ଲା ଗସ୍ତରେ ଆସି ଏହି ୩ଟି ପ୍ରମୁଖ ସ୍ଥଳୀକୁ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କଠାରୁ ଦାବି ପତ୍ର ଗ୍ରହଣ କରିଥିଲେ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶୀଘ୍ର କାମ ଆରମ୍ଭ ହେବ ବୋଲି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି।
ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ଫର ଫର ଉଡିଲା ତ୍ରିରଙ୍ଗା
ଭୁବନେଶ୍ୱର : ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ମଧ୍ୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ସମସ୍ତ କର୍ମଚାରୀ ସମବେତ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତାର ବନ୍ଦନା କରିଥିଲେ । ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ସିଓଓ ଜବର ସିଂ ପନଓ୍ୱର ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ସକାଳର ସିଇଓ ସୁବ୍ରତ ଦାସ, ସକାଳର ବ୍ୟୁରୋ ଚିଫ୍ ରଞ୍ଜିତ ମହାନ୍ତି, ନନ୍ଦିଘୋଷ ଟିଭି ଆଉଟପୁଟ୍ ଏଡିଟର ରଙ୍ଗାଧର ପଣ୍ଡା, ଆକାଉଣ୍ଟ ବିଭାଗ ମୁଖ୍ୟ ମାନସ ଦାସ, ବିଜ୍ଞାପନ ବିଭାଗର ମୁଖ୍ୟ ପବିତ୍ର ବେହେରା, ମାନବ ସମ୍ବଳ ବିଭାଗର ଡିଜିଏମ ଜିଷ୍ଣୁ ମହାନ୍ତି, କରେଣ୍ଟ ଆଫେୟାର ମୁଖ୍ୟ ଶରତ ମହାପାତ୍ର, ପ୍ରଡକ୍ସନ ହେଡ୍ ଆଲୋକ ମହାପାତ୍ରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।
ସେହିପରି ଆଇଆରସି ଭିଲେଜରେ ଥିବା ଦୈନିକ ସକାଳ କାର୍ଯ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ବ୍ୟୁରୋ ଚିଫ୍ ରଞ୍ଜିତ ମହାନ୍ତି, ମାନବ ସମ୍ବଳ ବିଭାଗର ଡିଜିଏମ ଜିଷ୍ଣୁ ମହାନ୍ତିଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତାଙ୍କ ଜୟଗାନ କରିଥିଲେ ।

