ପୁଣି ରକ୍ତମୁଖା ଋଷ, କିବରେ ହମଲା

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ରକ୍ତମୁଖା ଋଷ । ରବିବାର ସକାଳୁ ୟୁକ୍ରେନ ରାଜଧାନୀ କିବ୍ ଉପରେ ଋଷ କରିଛି ହମଲା । ଫଳରେ କିବର ବିଭନ୍ନ ସ୍ଥାନରେ ବିସ୍ଫୋରଣ ଘଟିଛି । ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ହମଲାରେ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ୩୨ଟି ଡ୍ରୋନ ଆକ୍ରମଣ କରିଥିଲା । ହେଲେ ସେଥିରୁ ୨୫ଟିକୁ ଖସାଇଦିଆଯାଇଛି ବୋଲି ଦାବି କରିଛି ୟୁକ୍ରେନ । କିବରେ ୫ଟି ବିସ୍ଫୋରଣ ଘଟିଥିବା କୁହାଯାଇଛି । କିବ୍ ମେୟର ଭିତାଲି କ୍ଲିତସ୍କୋ କହିଛନ୍ତି- ଋଷର ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ଏକ ପାର୍କରେ ଅଗ୍ନିକାଣ୍ଡ ଘଟିଛି ।

ସହରର ୪ଟି ଡିଷ୍ଟ୍ରିକ୍ଟରେ ବ୍ୟାପକ କ୍ଷତି ଘଟିଛି । ସେଭିନଭିସ୍କି ଡିଷ୍ଟ୍ରିକ୍ଟରେ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଗତ ଗୁରୁବାର କୋସ୍ତିନଭକା ସହରରେ ଋଷ ହମଲାରେ ପ୍ରାଣ ହରାଇଥିଲେ ୧୭ ଜଣ । ସେପଟେ ଆସନ୍ତା ବର୍ଷ ବ୍ରାଜିଲର ରିଓ ଡି ଜେନେରୋରେ ହେବାକୁ ଯାଉଥିବା ଗ୍ରୁପ ୨୦ ସମ୍ମିଳନୀରେ ଯଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ତେବେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ।

ଦିଲ୍ଲୀ ସମ୍ମିଳନୀରେ ଯୋଗ ଦେଇଥିବା ସିଲଭା କହିଛନ୍ତି- ଆସନ୍ତା ବର୍ଷ ତାଙ୍କ ଦେଶରେ ଗ୍ରୁପ୨୦ ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ଯୋଗଦେବାକୁ ପୁଟିନଙ୍କୁ ଅନୁରୋଧ କରାଯିବ । ସେ ବିଶ୍ବାସ କରୁଛନ୍ତି- ପୁଟିନ ନିରାପଦରେ ବ୍ରାଜିଲ ଯାଇପାରିବେ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଟିନଙ୍କ ବିରୋଧରେ ଆନ୍ତର୍ଜାତିକ କ୍ରିମିନାଲ କୋର୍ଟ ଗିରଫ ପରଓ୍ବାନା ଜାରି କରିଥିବାବେଳେ ସମ୍ଭବତଃ ଏହି କାରଣକୁ ନେଇ ସେ ନୂଆଦିଲ୍ଲୀ ଆସିନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।