ଜୟନାରାୟଣ ମିଶ୍ରଙ୍କୁ ଲେନିନଙ୍କ ସମାଲୋଚନା

ଭୁବନେଶ୍ବର: ଓଡ଼ିଶାରେ ଭଲ କାମ ହେଲେ ଅଥବା ଲୋକଙ୍କର ମଙ୍ଗଳ ହେଲେ ଦୁଃଖିତ ନହୋଇ ଖୁସି ହେଉ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାର ଉନ୍ନତିରେ ରାଜ୍ୟ ବିଜେପି ହତୋତ୍ସାହିତ ହୋଇନଯାଉ । ଯେତେବେଳେ ଓଡ଼ିଶା ହକି ବିଶ୍ବକପ୍‌ ଆୟୋଜନ କରିଥିଲା, ସେତେବେଳେ ସାଢ଼େ ଚାରି କୋଟି ଓଡ଼ିଆ ଓ ୧୪୦ କୋଟି ଭାରତୀୟ ଗର୍ବ ଅନୁଭବ କରିଥିଲେ । ମାତ୍ର ଏଥିରେ ଓଡ଼ିଶା ବିଜେପି ଦୁଃଖଦ ଘଟଣା ଘଟିଲା ଭଳି ପ୍ରତିକ୍ରିୟା ରଖୁଛି । ରାଜ୍ୟ ଓ ଦେଶ ପାଇଁ ଯେତେବେଳେ କିଛି ଭଲ କାମ ହୁଏ ଓ ଲୋକ ଖୁସି ହୁଅନ୍ତି, ସେତେବେଳେ କେମିତି ଖୁସି ହେବା, ତାହା ବିଜୁ ଜନତା ଦଳକୁ ଓଡ଼ିଶାର ବିଜେପି ଶିଖାଇବାର ଆବଶ୍ୟକତା ନାହିଁ ବୋଲି ଲେନିନ କହିଛନ୍ତି । ରାଷ୍ଟ୍ର ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାମ ପାଇଁ ସବୁଠୁ ବେଶି ଖୁସି ବିଜେଡି କର୍ମୀ ହୋଇଥାନ୍ତି । ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି, ସେତେବେଳେ ବିଜେପି କର୍ମୀ ଯେଭଳି ଦୁଃଖିତ ଓ ହତୋତ୍ସାହିତ ହୋଇଯାଉଛନ୍ତି, ସେପରି ନହେବାକୁ ବିଜେଡି ଅନୁରୋଧ କରିଛି  ।