ବର୍ଷକର ପିଲା ବାରମ୍ବାର କାନ୍ଦିବାରୁ ଗଳା ଚିପି ମାରି ଦେଲା ଦାଦା

ସୋନିପତ: ହରିୟାଣା ସୋନିପତ ଜିଲ୍ଲା ବାରୋତ ଗାଁରୁ ଆସିଛି ଏକ ଦୁଃଖଦ ଖବର । ବର୍ଷର ଶିଶୁ ବାରମ୍ବାର କାନ୍ଦିବାରୁ ତା’ର ଗଳା ଚିପି ହତ୍ୟା କରିଛି ନିଜ ଦାଦା । ହତ୍ୟା କରିବା ପରେ ଶବକୁ ପାଖରେ ଥିବା ଏକ କ୍ଷେତରେ ପକାଇ ଦେଇଥିଲା । ପିଲାକୁ ଘରେ ନପାଇ ତା’ ମାଆ ସପନାଙ୍କ ସନ୍ଦେହ ହୋଇଥିଲା । ଏହାପରେ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତ ଦାଦା ପବନକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ସୂଚନା ଅନୁସାରେ ବିହାର ମୋତିହାରୀ ବାସିନ୍ଦା ସପନା ପିଲା ଦିନରୁ ଅନାଥ ଥିଲେ ଓ ମାମୁଙ୍କ ପାଖରେ ରହୁଥିଲେ । ମାମୁ ଉତ୍ତର ପ୍ରଦେଶର ରାହୁଲଙ୍କ ସହ ତାଙ୍କ ବିବାହ କରାଇ ଦେଇଥିଲେ । ସେମାନଙ୍କର ୪ଟି ପିଲା ଥିଲେ । ରାହୁଲ ସବୁବେଳେ ତାଙ୍କୁ ମାଡ଼ ମାରୁଥିଲେ । ରାହୁଲ ଦିନ ମଜୁରିଆ କାମ କରୁଥିବା ବେଳେ ଲୁଧିଆନାରେ ରହୁଥିଲେ । ୬ ମାସ ପୂର୍ବରୁ ସପନା ପିଲାଙ୍କୁ ଧରି ତାଙ୍କ ପାଖକୁ ରହିବାକୁ ଆସିଥିଲେ । ହେଲେ ରାହୁଲ ତାଙ୍କୁ ଓ ପିଲାଙ୍କୁ ଛାଡ଼ି ନିଜ ଭାଉଜଙ୍କ ପାଖରେ ରହିବାକୁ ଲାଗିଥିଲା । କିଛିଦିନ ପିଲାଙ୍କୁ ଧରି ଭଡ଼ା ଘରେ ରହୁଥିଲେ । ଏହାପରେ ଲୁଧିଆନା ରେଲଓ୍ବେ ଷ୍ଟେସନରେ ଭିକ୍ଷାବୃତ୍ତି କରି ପିଲାଙ୍କୁ ପାଳୁଥିଲେ ।

ପ୍ରାୟ ଦୁଇ ମାସ ପୂର୍ବରୁ ଭିକ ମାଗିବା ବେଳେ ଜଣେ ମହିଳାଙ୍କ ସହ ତାଙ୍କ ଭେଟ ହୋଇଥିଲା । ସେ ତାଙ୍କ ଭଣଜା ବିକି ସହ ବାହାଘର କରାଇ ଦେବାକୁ କହିଥିଲେ । ଏହାପରେ ସପନା ୪ ପିଲାଙ୍କୁ ଧରି ବାରୋତ ଚାଲି ଯାଇଥିଲେ ଓ ବିକିଙ୍କୁ ବିବାହ କରିଥିଲେ । କିଛିଦିନ ମଧ୍ୟରେ ବିକିଙ୍କ ଅବିବାହିତ ଭାଇ ପବନ ସହ ତାଙ୍କର ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା ।

ସପନା ପୋଲିସକୁ କହିଛନ୍ତି, ତାଙ୍କ ବର୍ଷକର ପୁଅ ଯେତେବେଳେ କାନ୍ଦୁଥିଲା ପବନ ରାଗି ଯାଉଥିଲା ଓ ମାରି ଦେବାକୁ ଧମକ ଦେଉଥିଲା । ସେପ୍ଟେମ୍ବର ୯ରେ ପୁଅକୁ ଶାଶୁଙ୍କ ରୁମରେ ଶୁଆଇ ଦେଇଥିଲି । କିଛି ସମୟ ପରେ ଦେଖିଲି ପୁଅ ସେଠାରେ ନଥିଲା । ମୋର ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲି ।