spot_img
Home Blog Page 3007

ନବୀନଙ୍କ ଦାବିକୁ କେନ୍ଦ୍ରର ଅଣଦେଖା,୫ ବର୍ଷ ପୂରିବ ହେଲେ ଏଯାଏଁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଇଲାନି ଅହିଂସା

ଭୁବନେଶ୍ବର: ଯୁଗେ ଯୁଗେ ଅମର ଅହିଂସାର ପୂଜାରୀ ମହାତ୍ମା ଗନ୍ଧୀ। ୫ବର୍ଷ ପୂରିବାକୁ ଯାଉଛି । ହେଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଏହି ମହାମନ୍ତ୍ରକୁ ସମ୍ବିଧାନର ମୁଖବନ୍ଧରେ ମିଳିଲାନି ସ୍ଥାନ । ପୂରଣ ହେଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି । ଗାନ୍ଧୀଙ୍କ ସରଳ ଜୀବନ ଯାପନ ବିଶ୍ବକୁ ଚମକାଇ ଦେଇଛି । ସମାନ ଭାବେ ଦୀର୍ଘ ବର୍ଷ ଧରି କ୍ଷମତା ଓ ଶାସନରେ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନଶୈଳୀ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କୋଟିଏ ଦସ୍ତଖତ ସମ୍ବଳିତ ଓଡ଼ିଶାର ଆବେଗକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି ।

ଆଣ୍ଠୁ ଉପରକୁ ଲୁଗା, ଫୁଙ୍ଗୁଳା ଦେହ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶା ଖୋଲିଥିଲା ମହାତ୍ମାଙ୍କ ଆଖି। ଓଡ଼ିଶାର ଦାରିଦ୍ର୍ୟତା ଦେଖି ବିଗଳିତ ହୋଇଥିଲା ମହାତ୍ମାଙ୍କ ହୃଦୟ। ପୂର୍ଣ୍ଣ କୁର୍ତ୍ତା ପାଇଜାମା ଛାଡ଼ି ଫୁଙ୍ଗୁଳା ଦେହରେ ମହାତ୍ମା ପିନ୍ଧିଥିଲେ ଆଣ୍ଠୁ ଲୁଚୁନଥିବା ଲୁଗା । ବାପୁଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୦ମସିହାରୁ ଶାସନ ଗାଦିରେ ରହି ବି ଆପଣାଇଛନ୍ତି ସରଳ ଜୀବନଯାପନ। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ୨୦୧୮ରୁ ସମ୍ବିଧାନର ମୁଖବନ୍ଧରେ ମହାତ୍ମାଙ୍କ ଅହିଂସାକୁ ସ୍ଥାନିତ କରିବାକୁ ଦାବି ହେଉଛି। ଦାବିକୁ ପୂରିବ ୫ବର୍ଷ, ହେଲେ ପୂରଣ ହୋଇନି ମୁଖ୍ୟମନ୍ତ୍ରୀଙ୍କ ଦାବି। କୋଟିଏ ଦସ୍ତଖତ ସମ୍ବଳିତ ଓଡ଼ିଶାର ଦାବିପତ୍ରକୁ କୋଣଠେସା କରି ପକାଇ ଦେଇଛି କେନ୍ଦ୍ର।

ମହାତ୍ମାଙ୍କ ଅବର୍ତ୍ତମାନରେ ଗାନ୍ଧୀଙ୍କ ବିଚାରଧାରା ଆଜି ବି ପ୍ରାସଙ୍ଗିକତା ରଖୁଛି। କ୍ଷମତାର ଅଳିନ୍ଦ ଭିତରେ ରହି ବି ମୁଖ୍ୟମନ୍ତ୍ରୀ ପାଳନ କରୁଛନ୍ତି ଅହିଂସା, ଅସ୍ତେୟ ସମେତ ଗାନ୍ଧୀଜୀଙ୍କ ଏକାଦଶ ମହାମନ୍ତ୍ରକୁ। ଲୋକଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିଆସୁଛନ୍ତି ନବୀନ। । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଗଭୀର ଭାବେ ପ୍ରତିଫଳିତ ହୋଇଛି ମହାତ୍ମା ଗାନ୍ଧୀଙ୍କ ବିଚାରଧାରା। ସେଥିପାଇଁ ରାଜ୍ୟ ପ୍ରଶାସନର ଆଳୟ ଲୋକସେବା ଭବନର ମୁଖ୍ୟ ପ୍ରବେଶରେ ଗାନ୍ଧୀଙ୍କ ପରଶମଣିକୁ ସ୍ଥାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶ ଓ ରାଜ୍ୟ ଏବେ ପ୍ରଗତି ପଥରେ ଆଗେଇ ଚାଲିଛି। ସ୍ବାଧୀନତାର ୭୭ତମ ଦିବସ ଆଜି ଦେଶ ପାଳନ କରୁଛି। କିନ୍ତୁ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଚିନ୍ତା ଓ ଚେତନା ଯୁଗେ ଯୁଗେ ଅମର। ଏବେର କେନ୍ଦ୍ର ସରକାର ଗାନ୍ଧୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଆଗେଇ ନେଇଛନ୍ତି ସତ। ହେଲେ ମହାତ୍ମାଙ୍କ ଅମୂଲ୍ୟ ନିଧି ବୋଲାଉଥିବା ଅହିଂସାକୁ ସମ୍ବିଧାନରେ ସ୍ଥାନ ଦେବା ପାଇଁ କାହିଁକି ପଦକ୍ଷେପ ନେଉନାହନ୍ତି ବୋଲି ପ୍ରଶ୍ନ କରିଛନ୍ତି ବୈଜ୍ଞାନିକ ଓ ବୁଦ୍ଧିଜୀବୀ।

ତ୍ରିରଙ୍ଗାକୁ ସମ୍ମାନ ଦେଇ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି ତ୍ରିରଙ୍ଗାକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଯିଏ ମୁଖ୍ୟ ବିନ୍ଧାଣି ଥିଲେ, ତାଙ୍କ ବିଚାରକୁ ସମ୍ବିଧାନରେ ସ୍ଥାନ ଦେବାରେ କାହିଁକି ଏତେ କାର୍ପଣ୍ୟ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

 

ବଢିଲା ମୋକିମଙ୍କ ଅଡୁଆ, କଟକ ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ

କଟକ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦୀୟ ବୟାନ ପାଇଁ ଦଳ ତାଙ୍କୁ ଏକଘରକିଆ କରିଛି । ଦଳ ପାଇଁ ସେ ଅଲୋଡା ହୋଇପଡିଥିବା ବେଳେ ଏବେ କଟକ ବାରବାଟୀ ନିର୍ବାଚନ ଅନିୟମିତତା ମାମଲା ଘାଣ୍ଟିଲାଣି । ବେଆଇନ ଭାବେ ଜଳାଶୟ ଜମି ପୋତିବାଠାରୁ ଆରମ୍ଭ କରି ଓ.ଆର ଏଚ.ଡି.ସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଘଟଣାରେ ପାଣି ପିଇଲେଣି ବିଧାୟକ । ୨୦୧୯ ବିଧାନସଭା ନିର୍ବାଚନରେ କରିଥିବା ଅନିୟମିତତା ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଅଡୁଆ ଯେମିତି ବିଧାୟକ ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନାହିଁ ।

ସୋମବାରଠାରୁ ଆରମ୍ଭ ହୋଇଛି ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ ହୋଇଥିବାବେଳେ ବାରବାଟୀ ବିଧାୟକ ହାଇକୋର୍ଟରେ ହାଜର ହୋଇ ଜେରାର ଉତ୍ତର ରଖିଛନ୍ତି  । କୋର୍ଟଙ୍କୁ ଦେଇଥିବା ସତ୍ୟପାଠକୁ ନେଇ ପ୍ରତିପକ୍ଷ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ତାଙ୍କୁ ପ୍ରଥମ ଦିନ ଜେରା କରିଛନ୍ତି  । ତେବେ ଜେରା ଅସମ୍ପୂର୍ଣ୍ଣ ରହିଛି  । ପରବର୍ତ୍ତୀ ଜେରା ପାଇଁ କୋର୍ଟ ସେପ୍ଟେମ୍ବର ୨୧କୁ ତାରିଖ ଧାର୍ଯ୍ୟ କରିବା ସହିତ ସେଦିନ କୋର୍ଟ ପୁରା ସମୟ ଜେରା ଶୁଣିବେ ବୋଲି ମୋକିମଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି  । ବିଭିନ୍ନ କାରଣରୁ ଏହି ମାମଲାଟିର ଶୁଣାଣି ବିଳମ୍ବିତ ହୋଇଥିବା କୋର୍ଟ ଅନୁଭବ କରିଛନ୍ତି  । ମୋକିମ ମଧ୍ୟ କଳେବଳେ କେସଟିକୁ ବିଳମ୍ବ କରିବା ପାଇଁ ଅପଚେଷ୍ଟା ଜାରି ରଖିଥିବା ଆବେଦନକରି ଦେବାଶିଷ ଅଭିଯୋଗ କରିଆସୁଛନ୍ତି  ।

ଆସନ୍ତୁ ଜାଣିବା ଏହି ନିର୍ବାଚନ ଅନିୟମିତତା କଣ ? 

ମୋକିମଙ୍କ ଗଳାର କଣ୍ଟା ପାଲଟିଛି ନିର୍ବାଚନ ଅନିୟମିତତା । ୨୦୧୯ରେ ବାରବାଟୀ ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳରୁ ଇଂଞ୍ଜିନିୟର ମହମ୍ମଦ ମୋକିମ ନୋମିନେସନ ଦଖଲ କରିଥିଲେ  । ଏହି ପକ୍ରିୟାରେ ମୋକିମ ବ୍ୟାପକ ଭାବରେ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ଉଲ୍ଲଂଘନ କରିଥିଲେ  । ମୋକିମଙ୍କ ପ୍ରଥମ ଭୁଲ ହେଲା ନୋମିନେସନ ପ୍ରେସକ୍ରାଇବ ଫର୍ମ ୨ବିର ବ୍ୟବହାର ପରିବର୍ତ୍ତେ ସ୍ୱପ୍ରସ୍ତୁତ ଫର୍ମରେ ଭରିଥିଲେ ନୋମିନେସନ  । ଯେଉଁଥିରେ ସେ ଫର୍ମର ପାର୍ଟ ଟୁ ସମ୍ପୂର୍ଣ୍ଣ ଓ ପାର୍ଟ ୩-୩ଏର ଆଂଶିକ ଉଚ୍ଛେଦ କରିଦେଇଥିଲେ । ଦ୍ୱିତୀୟ ଭୁଲଟି ହେଲା, ମୋକିମ ଦୁଇ ଏପ୍ରିଲରେ ନୋମିନେସନ ଦାଖଲ କରିଥିବା ବେଳେ ଦେଇଥିବା ସତ୍ୟପାଠରେ ଏହା ୩ ଏପ୍ରିଲ ଥିଲା  । ସେହିପରି ତୃତୀୟ ଭୁଲ ହେଲା,   ମୋକିମ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧୀକ ମାମଲା ଓ ସମ୍ପତ୍ତି ତାଲିକା ମିଥ୍ୟା । ନୋମିନେସନ ସତ୍ୟପାଠରେ ORHDC ସଂସ୍ଥାରୁ ଲୋନ ସମ୍ପର୍କରେ କୌଣସି ତଥ୍ୟ ନଥିବା ହେଉଛି ଚତୁର୍ଥ ଭୁଲ । ଏ ସବୁକୁ ଆଧାର କରି ଦେବାଶିଷ ସାମନ୍ତରାୟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନିବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ  । ଆଉ ଏବେ ମାମଲା ଅନ୍ତିମ ପର୍ଯ୍ୟୟରେ ପହଁଞ୍ଚିଛି  । କୋର୍ଟରେ ଅନିୟମିତତା ପ୍ରମାଣିତ ହେଲେ ମୋକିମ ତାଙ୍କ ପଦ ହରାଇବା ନିଶ୍ଚିତ ।

 

କଟକ ସଦର ଥାନା ଶ୍ୟାମସୁନ୍ଦରପୁରରେ ଗୁଳିକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ

କଟଟ: କମିଶନରେଟ୍ ପୁଲିସର ବଡ଼ ସଫଳତା । ଗତ ୮ ତାରିଖରେ କଟକ ସଦର ଥାନା ଶ୍ୟାମସୁନ୍ଦରପୁରରେ ଗୁଳିକାଣ୍ଡ ଘଟଣା ।  ମୁଖ୍ୟ ଅଭିଯୁକ୍ତ ସହିତ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ହେଲେ ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ । ମୁଖ୍ୟ ଅଭିଯୁକ୍ତ ଜଗନର ବଡ଼ ଭାଇ ହେଉଛି ରାକେଶ । ରାକେଶ ଓ ଶମ୍ଭୁ ନାଁରେ ପୂର୍ବରୁ ୨୫ଟି ମାମଲା ରହିଥିବାବେଳେ ଜଗନ ନାଁରେ ୧୨ଟି ମାମଲା ରହିଛି । ଅଭିଯୁକ୍ତଙ୍କୁ ଗତ ୧୩ ତାରିଖ ସକାଳେ ବାଙ୍ଗାଲୋରରୁ ଗିରଫ କରାଯାଇଛି  । ଗତ ୮ତାରିଖରେ ପୂର୍ବ ଶତ୍ରୁତାରୁ ଚିନ୍ତାଣିଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ହତ୍ୟାରେ ବ୍ୟବହୃତ ବାଇକ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି  ।

ପାକିସ୍ତାନରେ ଥିବା ଅଞ୍ଜୁଙ୍କ ପ୍ରତିକ୍ରିୟା, କହିଲେ ଗୁମର କଥା

ଇସଲାମବାଦ: ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ନସରୁଲ୍ଲାଙ୍କୁ ନିକାହ କରିବା ପରେ ଫାତିମା ବନି ଯାଇଛନ୍ତି । ନିକଟରେ ପାକିସ୍ତାନକୁ ପ୍ରଂଶସା କରି ଏକ ଭିଡିଓ ପୋଷ୍ଟ କରିଥିଲେ ଅଞ୍ଜୁ । ଏପରିକି ସେ ପାକିସ୍ତାନର ସ୍ବାଧୀନତା ଦିବସ ମଧ୍ୟ ପାଳିଥିବାର ଚିତ୍ର ନଜରକୁ ଆସିଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଭାରତୀୟ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି । ଅଞ୍ଜୁଙ୍କୁ ନେଇ ଗଣମାଧ୍ୟମରେ ପ୍ରତିଦିନ ନୂଆ ନୂଆ ଖବରମାନ ପ୍ରସାରଣ କରାଯାଉଛି । ଯାହାକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜୁ ।

ମୁଁ ଦେଶ ଦେ୍ରାହୀ ନୁହେଁ । ମୋ ସମ୍ପର୍କରେ ଭାରତୀୟ ଗଣମାଧ୍ୟମରେ ଭୁଲ ଖବରମାନ ପ୍ରସାରଣ କରାଯାଉଛି । ମୁଁ ଜଣେ ମଣିଷ କାହାର ଶତ୍ରୁ ନୁହେଁ । ଭାରତରେ ଲୋକମାନେ ଭାବୁଛନ୍ତି କି, ମୁଁ ପାକିସ୍ତାନ ଆସିବା ପରେ ପାକିସ୍ତାନକୁ ପ୍ରଂଶସା କରୁଛି । ବାସ୍ତବରେ କିନ୍ତୁ ଏଠାକାର ଲୋକ ବହୁତ ଭଲ । ସେମାନେ ମୋର କୌଣସି କ୍ଷତି କରୁନାହାନ୍ତି । ମୁଁ ଭାରତକୁ ମଧ୍ୟ ଭଲପାଏ । ମୁଁ ମୋର ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ଭାରତ ଯିବାକୁ ଚାହେଁ । ଭାରତୀୟ ଗଣମାଧ୍ୟମକୁ ଏତିକି ଅନୁରୋଧ କରେ କି, ମୋ ସମ୍ପର୍କରେ ଦୟାକରି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ।

 

 

 

 

ରାଜଧାନୀର ବିଭିନ୍ନ ମସଜିଦରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମସଜିଦରେ ଉଡିଛି ତ୍ରିରଙ୍ଗା  । ୟୁନିଟ ୩ ସୁନି ଜମା ମସଜିଦରେ ୭୭ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି  । ମସଜିଦ ମୁରବି ଦାଉଦୁର ରହେମାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ବିଜେଡି ଉପସଭାପତି ମୁସରାଫ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ  । ଏହି ଅବସରରେ ବସ୍ତିରେ ରହୁଥିବା ଲୋକଙ୍କୁ ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଇଥିଲା  ।  ସେହିପରି ଭରତପୁର ମସଜିଦରେ ବିଜେଡି ସାଧାରଣ ସମ୍ପାଦକ ସେକ ଦିଲଦାର ମହମ୍ମଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ  । ଆଇନଜୀବୀ ହାସନ ଖାଁ,ସମାଜସେବୀ ଏମଡି ସଦୃଲ୍ଲା, ଏମାର ଖାଁ, ସେକ କଲିମ ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ବିରୋଧରେ ଲୋକଙ୍କୁ ସଚେତନ କରିଥିଲେ  । ଅନ୍ୟପଟେ ଝାରପଡା ମାଦ୍ରାସା, ୟୁନିଟ ଫୋର୍ କ୍ୟାପିଟାଲ ମସଜିଦ, ସୈନିକ ସ୍କୁଲ ଗୌଶିଆ ମସଜିଦ ଓ ଶିଖରଚଣ୍ଡୀଠାରେ ମସଜିଦ ମୁଖ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ  ।

ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ନୁପୁରଙ୍କୁ ଛୁଟିଲା ସହାୟତାର ସୁଅ

ବଲାଙ୍ଗୀର: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗୀରର ସାଇକେଲ ରାଣୀ ନୁପୁରଙ୍କୁ ଛୁଟୁଛି ସହାୟତାର ସୁଅ  ।ନୁପୁର  ମେହେରଙ୍କୁ ଏକ ନୂଆ ସାଇକଲ ପ୍ରଦାନ କରିଛି ବଲାଙ୍ଗୀର ଉଠାଦୋକାନୀ ସଂଘ  ।  ଅନେକ ବୁଦ୍ଧିଜୀବୀ ମଧ୍ୟ ନୁପୁରଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ପରିଣତ ବୟସରେ ବି ସେ କିଭଳି ଆତ୍ମନିର୍ଭରଶୀଳ ଓ ମହିଳା ସଶକ୍ତିରଣ ପାଇଁ ଉଦାହରଣ ସାଜିଛନ୍ତି, ପ୍ରତିଦିନ ସେ କିଭଳି ୧୦ ବର୍ଷ ତଳର ସାଇକେଲ ଧରି ୧୦ କିଲୋମିଟର କାମ କରିବାକୁ ଯାଆନ୍ତି  । ଘର ଚଳାଇବାରେ ସ୍ବାମୀଙ୍କୁ ସହଯୋଗ କରନ୍ତି  । ତାହା ନନ୍ଦିଘୋଷ ଟିଭରେ ପ୍ରସାରଣ କରାଯାଇଥିଲା  । ଏହି ଖବର ଜାଣିବା ପରେ  ବଲାଙ୍ଗୀର ଉଠାଦୋକାନୀ ସଂଘ ଓ କିଛି ସ୍ବେଛାସେବୀ ମିଶି ଏକ ଅତ୍ୟାଧୁନିକ ସାଇକଲ ଉପହାର ଦେଇଛନ୍ତି  ।

ଚିଲିକାର ଅଥଳ ଜଳରାଶି ମଝିରେ ସ୍ବାଧିନତା ଦିବସ ପାଳନ

କୃଷ୍ଣପ୍ରସାଦ: ଚିଲିକାର ନୀଳ ଜଳ ରାଶି ମଝିରେ ଭାରତ ମାର ବନ୍ଦାପନା । ଏଭଳି ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି କୃଷ୍ଣପ୍ରସାଦ ବ୍ଲକର ଖଟି ସାହି ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା । ଏଠି ପଡିଆ ନାହିଁ ସତ ଡ଼ଙ୍ଗା ସାଜିଛି ସ୍ବାଧୀନତା ଉତ୍ସବ ପାଳନର ସାଧନାର କ୍ଷେତ୍ର । ଯେଉଁ ଡ଼ଙ୍ଗା ମତ୍ସଜୀବୀ ମାନଙ୍କୁ ଜୀବନ ଜିବିକା ପ୍ରତି ପୋଷଣର ସାହାରା ଦେଇଥାଏ । ସେଠି ଆଜି ଅତ୍ୟନ୍ତ ଗର୍ବ ଓ ଆନନ୍ଦର ସହ ସ୍ଵାଧିନତା ଦିବସ ଉତ୍ସବ ପାଳନ କରିଛନ୍ତି ମହିଳା ମତ୍ସ୍ୟଜୀବୀ ମାନେ । ଡ଼ଙ୍ଗା ଉପରେ ଠିଆ ହୋଇ ଭାରତ ମାତାର ଜୟ ଗାନ କରିଛନ୍ତି ।

ବ୍ରହ୍ମପୁର ସଂସ୍କରଣ ସକାଳ ଓ ନନ୍ଦିଘୋଷ ପରିବାର ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ସଂସ୍କରଣ ସକାଳ ଓ ନନ୍ଦିଘୋଷ ପରିବାର ପକ୍ଷରୁ ପାଳିତ ହୋଇଛି ୭୭ ତମ ସ୍ବାଧୀନତା ଦିବସ ।  ଏହି ଅବସରରେ ଗଜପତିନଗର କର୍ପୋରେଟର ସମିର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନ ହୋଇଥିଲା । ଅନେକ ମହାପୁରୁଷ ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ବାଧୀନ କରାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧରେ ରାଜେନ୍ଦ୍ର କୁମାର ପଣ୍ଡା , ରାଜେଶ କୁମାର ସାହୁଙ୍କ ସହ ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ଔପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ସକାଳ ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ଯ ଶକ୍ତିଧର ରାଜଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନନ୍ଦିଘୋଷ ଟିଭିର ବ୍ୟୁରୋ ଚିଫ୍ ଦେବହରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିାବାବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୁଲଭ ଇଣ୍ଟର ନ୍ୟାସନାଲର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନିଧନ ଘଟିଛି । ୧୯୭୦ କସିହାରେ ସେ ସାମାଜିକ ସେବା ପାଇଁ ସୁଲଭ ଇଣ୍ଟର ନ୍ୟାସନାଲକୁ ପ୍ରତିଷ୍ଠା କରିଥିଲେ ।

ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ

ପୁରୀ:  ଜାତୀୟ ପତାକା ଉତ୍ତୋଳନ ବେଳେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ  । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ବରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ସମୟରେ ଅଘଟଣ ଘଟିଛି । ମୃତ ଶିକ୍ଷକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ । ତ୍ରିରଙ୍ଗା ଉତ୍ତୋଳନ ପରେ ସେ ହଠାତ ଟଳିପଡ଼ିଥିଲେ  । ତାଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା ।