spot_img
Home Blog Page 2999

ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରେଟିଭ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟ ଗଠନ କରିଥିବା ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ । ହିନ୍ଦୁ ଧର୍ମ ଇସଲାମଠାରୁ ବହୁ ପୁରୁଣା । ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ମୋଗଲ ଆସିବା ପରେ ହିଁ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ଡୋଡା ଜିଲ୍ଲାର । ଅଗଷ୍ଟ ୯ରେ ଡୋଡା ଜିଲ୍ଲାରେ ଗୁଲାମ ନବୀ ଆଜାଦ ଦେଇଥିବା ଭାଷଣରେ କହିଛନ୍ତି କି ଇସଲାମ ଧର୍ମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା । ଭାରତର ମୁସଲମାନ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ଆହୁରି କହିଛନ୍ତି କି ୬୦୦ ବର୍ଷ ପୂର୍ବେ କାଶ୍ମୀରରେ କେବଳ କାଶ୍ମୀରୀ ପଣ୍ଡିତ ଥିଲେ । ଏହା ପରେ ଅନେକ ଲୋକ ମୁସଲମାନ ଧର୍ମ ଗ୍ରହଣ କରି ମୁସଲମାନ ହେଲେ । ଏହି ସମୟରେ ଆଜାଦ ଲୋକମାନଙ୍କୁ ଭାଇଚାରା, ଶାନ୍ତି ଓ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ କି ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ୍ ନୁହେଁ । ଲୋକମାନେ ଧର୍ମ ନାଁରେ ଭୋଟ ଦେବା ଉଚିତ୍ ନୁହେଁ । ଯିଏ ରାଜନୀତିରେ ଧର୍ମକୁ ସମର୍ଥନ କରେ ସେ ଦୁର୍ବଳ । ଯିଏ ନିଜ ଉପରେ ବିଶ୍ୱାସ କରେ ସେ ଧର୍ମର ସମର୍ଥନ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ

ସଇଁତଳା: ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ। ସଇଁତଳା ତହସିଲ ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନା ସମ୍ମୁଖରେ ଘନଶ୍ୟାମ ଜେନା ନାମକ ବ୍ୟକ୍ତି ବେଆଇନ ଭାବରେ ଦୀର୍ଘ ଦିନ ହେଲା ଗୋଚର ଜମିରେ ଘର କରି ରହି ଆସୁଥିଲା। ଏ ସମ୍ପର୍କରେ ସଇଁତଳା ତହସିଲରେ ମାମଲା ରୁଜୁ ହୋଇଥିଲା।

ପ୍ରଶାସନ ତରଫରୁ ବାରମ୍ବାର ନୋଟିସ ହେଲେ ମଧ୍ୟ ଘର ଖାଲି କରିବା ପାଇଁ କୌଣସି ପଦକ୍ଷେପ ନେଉନଥିଲା ଘନଶ୍ୟାମ । ୨ ମାସ ପୂର୍ବେ ତା’ ଘରୁ ବେଆଇନ ଭାବେ ଚାଲାଣ ହେବାକୁ ଥିବା ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଆଜି ପ୍ରଶାସନ ଘନଶ୍ୟାମ ଜେନାର ଘର ଭାଙ୍ଗିଛି । ଆଇନ ଶୃଙ୍ଖଳା ଆଶଙ୍କାରେ ପୋଲିସ ମୁତୟନ କରାଯାଇଥିଲା।

ଇସ୍ରୋକୁ ବଡ଼ ସଫଳତା, ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ସଫଳତାର ଆଉ ଏକ ପାହାଚ ଅତିକ୍ରମ କଲା ଇସ୍ରୋ। ଅଲଗା ହେଲେ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର। ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହୋଇଛି। ଏହା ମଧ୍ୟରେ ରହିଛି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରିମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ।

ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବା କିଛି ଘଣ୍ଟା ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ଥିଲା। ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି। ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।

ଭିଜୁଛି ଟ୍ୱିନସିଟି, ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୧୨ଘଣ୍ଟାରେ ଲଘୁଚାପ। ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା। ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ଆଉ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ। ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

କନ୍ଧମାଳ, କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ। ଶନିବାରଠାରୁ ବର୍ଷା ପରିମାଣ କମିବ। ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ, ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ

ଗାନ୍ଧୀନଗର: ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ । ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ । ୧୨ ଶହ ଲୋକଙ୍କ ଠାରୁ ୧୪ ଶହ କୋଟି ଠକେଇ ହୋଇଛି । ଫୁଟବଲ ବେଟିଂ ଆପ୍‌ ମାଧ୍ୟମରେ ଠକେଇ କରିଛନ୍ତି ଜଣେ ଚୀନ ନାଗରିକ । ତେବେ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ । ଗୁଜରାଟ ଓ ୟୁପିରେ ଠକେଇର ଶିକାର ହୋଇଛନ୍ତି ଲୋକେ । ଦାନି ଡାଟା ଆପ୍‌ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରାଯାଉଥିଲା । ମାମଲାରେ ଏସଆଇଟି ତଦନ୍ତ ହେଉଥିବା ବେଳେ ୟୁପି ପୋଲିସ ମଧ୍ୟ ଜୋରଦାର ତନାଘନା ଆରମ୍ଭ କରିଛି । ଆପ୍‌ ମାଧ୍ୟମରେ ପ୍ରତିଦିନ ୨୦୦ କୋଟି ଟଙ୍କା ଠକେଇ ହେଉଥିଲେ । ଲୋକେ ଏହି ଆପ୍‌ ମାଧ୍ୟମରେ ଅର୍ଥ ରୋଜଗାର କରିବା ଆଶାରେ ଅର୍ଥ ବିନିଯୋଗ କରିଥିଲେ । କିନ୍ତୁ ହଠାତ ଆପଟି କାମ ନକରିବାରୁ ଲୋକେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିପାରିଥିଲେ ।

ରାଜଗାଙ୍ଗପୁରରେ ରେଲ୍ ଓଭରବ୍ରିଜ ନିର୍ମାଣ, ଅଧିଗ୍ରହଣ ପରିବର୍ତ୍ତେ ଲୋକଙ୍କ ଠୁ କିଣାହେବ ଜମି

ରାଜଗାଙ୍ଗପୁର: ତ୍ବରାନ୍ବିତ ହେବ ରାଜଗାଙ୍ଗପୁରରେ ରେଲ୍ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ। ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ୍ଚ ମାସ ୧୧ ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ରେଲ ଓଭରବ୍ରିଜ ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ।

BMC ପକ୍ଷରୁ ସ୍କୁଲରେ ଆରମ୍ଭ ହେବ ଡେଙ୍ଗୁ ସଚେତନତା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସ୍କୁଲରେ ଆରମ୍ଭ ହେବ ଡେଙ୍ଗୁ ସଚେତନତା। ଡେଙ୍ଗୁ ରୋକିବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଚେତନ କରିବ ବିଏମସି। ସ୍କୁଲ ପିଲାଙ୍କୁ ସଚେତନ କରାଇ ଡେଙ୍ଗୁକୁ ରୋକିବାକୁ ବିଏମସି ଲକ୍ଷ୍ୟ ରଖିଛି। ରାଜଧାନୀର ହଟସ୍ପଟଗୁଡ଼ିକୁ ଫୋକସ କରାଯିବ।

ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ଘର ଘର ସମ୍ପର୍କ ଅଭିଯାନରେ ଏପର୍ଯ୍ୟନ୍ତ ୪ ହଜାର ୩୦୯ ଘର ଭିଜିଟ୍‌ କରାଯାଇଛି। ସେ ମଧ୍ୟରୁ ୧ ହଜାର ୪୦ଟି ବ୍ରିଡିଂ ସୋର୍ସ ଚିହ୍ନଟ କରି ନଷ୍ଟ କରାଯାଇଛି । ଏହି ଅଭିଯାନରେ ଲକ୍ଷେରୁ ଅଧିକ ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରାଯାଇଛି । ଚଳିତବର୍ଷ ଡେଙ୍ଗୁରେ ରାଜଧାନୀରେ ଏପର୍ଯ୍ୟନ୍ତ ୧ ହଜାର ୧୬୪ ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧରୁ ୪୭୧ ଜଣ ହସ୍ପିଟାଲ ଯାଇଥିବା ବେଳେ ୪୩୧ ଜଣ ଡିସଚାର୍ଜ ହୋଇସାରିଛନ୍ତି । ଏବେ ଡାକ୍ତରଖାନାରେ ୫୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ମଧୁବାବୁ ପେନସନ ଯୋଜନା; ଅଗଷ୍ଟ ୧୫ରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି ପରେ ଅଗଷ୍ଟ ୧୫ରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ନୂଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହିତାଧିକାରୀଙ୍କୁ ଭତ୍ତା ବାଣ୍ଟି ଥିଲେ।

ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଭୁବନେଶ୍ୱରର ବିଭିନ୍ନ କର୍ପୋରେଟର ଯୋଗଦେଇଥିଲେ।

କିଛି ଦିନ ତଳେ ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି କରାଯାଇଛି। ଅଧିକ ୪ ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ସାମିଲ କରିଛନ୍ତି।

ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲେସନ୍ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାରେ Advanced Rehabilitation Center ବା ARC ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାରେ ARC ଖୋଲିବ। ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ କୋଟିରୁ ୩୦ କୋଟି ଟଙ୍କା।

ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲ୍ଲାରେ ARC ଖୋଲିବ। ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା ରହିଛି।

ଚନ୍ଦ୍ରରେ ବଢ଼ୁଛି ଭିଡ଼, ଉପୁଜିପାରେ ଟ୍ରାଫିକ୍ ଜାମ୍ ସ୍ଥିତି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ଇସ୍ରୋ ପାଇଁ ହେବ ସ୍ମରଣୀୟ । କାହିଁକି ନା ଆସନ୍ତା ସପ୍ତାହରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ତେବେ ଚନ୍ଦ୍ରରେ କେବଳ ଭାରତର ମିଶନ୍ ନୁହେଁ, ଅନେକ ମିଶନ ପୂର୍ବରୁ ଅଛି ଏବଂ ଅନେକ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି । ସମସ୍ତେ ଏବେ ଚନ୍ଦ୍ର ମୁହାଁ ହୋଇଛନ୍ତି । ସେଥିପାଇଁ ଚନ୍ଦ୍ରରେ ଏବେ ଉପୁଜିଛି ଟ୍ରାଫିକ୍ ଜାମ୍ ସ୍ଥିତି । ଭାରତ ଯେମିତି ଚନ୍ଦ୍ରଯାନ ପଠାଇଛି ସେମିତି ଅନ୍ୟ ଦେଶ ବି ସେମାନଙ୍କ ଚନ୍ଦ୍ର ଅଭିଯାନ ଜାରି ରଖିଛନ୍ତି । ଚନ୍ଦ୍ରର କକ୍ଷପଥରେ ଅନ୍ୟ ଦେଶର ଅନେକ ମିଶନ ଅଛି ଯାହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ଯାଉଛି ।

ଏକ ରିପୋର୍ଟ ଅନୁସାରେ, ଚନ୍ଦ୍ର କକ୍ଷ ପଥରେ ଏବେ ୬ଟି ସକ୍ରିୟ ମିଶନ ରହିଛି । ଆମେରିକା, ରୁଷିଆ, ଚୀନ୍, ଭାରତ ଓ କୋରିଆ ଭଳି ଦେଶ ଚନ୍ଦ୍ରରେ ସେମାନଙ୍କର ଅଭିଯାନ ଜାରି ରଖିଛନ୍ତି । ଚନ୍ଦ୍ରଯାନ ସମେତ ଚନ୍ଦ୍ର କକ୍ଷରେ ନାସାର ଲୁନାର ରିକନିସାନ୍ସ ଅର୍ବିଟାର, ନାସାର ଆର୍ଟେମିସ୍ ଅନ୍ତର୍ଗତ ଆଉ ଦୁଇ ମିଶନ, କୋରିଆ ପାଥଫାଇଣ୍ଡର ଲୁନାର ଅର୍ବିଟାର ଏବଂ ନାସା କ୍ୟାପଷ୍ଟୋନ୍ ମିଶନ ରହିଛି । ନାସାର ଲୁନାର ରିକନିସାନ୍ସ ଅର୍ବିଟରକୁ ୨୦୦୯ ମସିହାରେ ଚନ୍ଦ୍ରକୁ ଉତକ୍ଷେପଣ କରାଯାଇଥିଲା । ଏହା ମାଧ୍ୟମରେ ଚନ୍ଦ୍ର ପୃଷ୍ଠକୁ ମାପିବାକୁ ଚେଷ୍ଟା କରାଯାଉଛି । ନାସା ଆର୍ଟେମିସର ପି-୧ ଓ ପି-୨ ମିଶନ ଜୁନ୍ ୨୦୨୨ରୁ ଚନ୍ଦ୍ର କକ୍ଷରେ ଅଛନ୍ତି । ନାସାର କ୍ୟାପଷ୍ଟୋନ୍ ଏନଆରଏଚ୍ ମଧ୍ୟ ଚନ୍ଦ୍ର କକ୍ଷରେ ଅଛି । ଏହାରି ମଧ୍ୟରେ ଋଷ ମଧ୍ୟ ପୁଣି ତା’ର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି । ଚନ୍ଦ୍ରକୁ ପଠାଇଛି ଲୁନା-୨୫ । ଯାହା ଅଗଷ୍ଟ ୧୬ରେ ଚନ୍ଦ୍ର ପୃଷ୍ଠରେ ପ୍ରବେଶ କରିଥିବା କୁହାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲୁନା-୨୫ ।

ଚନ୍ଦ୍ର କକ୍ଷରେ ଭିଡ଼ ବଢ଼ୁଥିବାରୁ ପରସ୍ପର ମଧ୍ୟରେ ଧକ୍କା ଖାଇବାର ଆଶଙ୍କା ରହିଛି । ମହାକାଶ ଯାନ ଯେଭଳି ପରସ୍ପର ମଧ୍ୟରେ ଧକ୍କା ନଖାଇବ ତାହା ଏବେ ବଡ଼ ଚ୍ୟାଲେଞ୍ଜ । ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲା ଚନ୍ଦ୍ରଯାନ-୨ । ୨୦୧୯ ଜୁଲାଇ ୩୧ରେ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିବା ଚନ୍ଦ୍ରଯାନ-୨ ଅର୍ବିଟର ୩ ଥର ଅନ୍ୟ ମହାକାଶ ଯାନ ସହ ଧକ୍କା ହେବାରୁ ବର୍ତ୍ତିଥିଲା । ଚନ୍ଦ୍ର କକ୍ଷରେ ବଢ଼ୁଥିବା ଟ୍ରାଫିକ ସମସ୍ୟା ଇସ୍ରୋ ପାଇଁ ବଡ଼ ଚ୍ୟାଲେଞ୍ଜ । କେବଳ ବର୍ତ୍ତମାନ ପାଇଁ ନୁହେଁ, ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ମହାକାଶ ଯାନ ଗୁଡ଼ିକ କିଭଳି ପରସ୍ପର ମଧ୍ୟରେ ଧକ୍କା ନଖାଇବ, ସେଥିପାଇଁ ମଡ୍ୟୁଲରେ ମ୍ୟାନୁଭର କରାଯାଇ ଥାଏ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।