ଏଠି ପୂଜା ପାଆନ୍ତି ମୁଗୁନି ପଥର ଗଣେଷ

କଟକ: ପାଖେଇ ଆସୁଛି ପବିତ୍ର ଗଜାନନଙ୍କ ପୂଜା । ଏନେଇ କଟକ ସହରରେ ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ସାଜସଜା କାମ ଜୋରସୋରରେ ଚାଲିଛି । ହେଲେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହର ସହ ଲାଗି ପଡିଛନ୍ତି କଟକ ବକ୍ସିବଜାର ବଢେଇସାହିର ଯୁବକମାନେ । ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇଯାଇଥିବା ୫ ଶହ ବର୍ଷ ପୁରୁଣା  ମୁଗୁନିପଥରର ଆଦ୍ୟ ଗଣେଷ ମୂର୍ତ୍ତିକୁ ପଥୁରିଆମାନେ ଏଠାକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି । ମାନସିକ ପୁରଣ ହେଉଥିବା ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତମାନଙ୍କ ସମାଗମ ହୋଇଥାଏ।

ଗଣେଶ ପୂଜାରେ କମ୍ପିବ ଭାଇଚାରାର ସହର କଟକ ।  ପୂଜାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି  । ଚଳଚଞ୍ଚଳ ସମସ୍ତ ପୂଜା କମିଟି  । ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ବକ୍ସିବଜାର ବଢେଇସାହିର ଯୁବକମାନେ । ଏଠାରେ ଥିବା ବିରାଟ ମୁଗୁନି ପଥରରେ ନିର୍ମିତ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଧୁମଧାମରେ ପୂଜା କରାଯାଇଥାଏ  । ଲୋକକଥା ଅନୁଯାୟୀ ବାରବାଟୀ ଦୁର୍ଗ ପରିସରରେ ଥିବା ଆଦ୍ୟ ଗଣେଶ ମୂର୍ତ୍ତିକୁ କଳାପାହାଡ କବଳରୁ ରକ୍ଷା କରିବା ପାଇଁ ଗଡ଼ଖାଇରେ ପାଣି ଭିତରେ ଲୁଚାଇ ରଖାଯାଇଥିଲା । ପରେ ଏହି ସାହିର ପଥୁରିଆ ମାନେ ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତିକୁ ଆଣି ନିଜ ସାହିରେ ସ୍ଥାପନ କରିଥିଲେ । ସେହି ଦିନଠାରୁ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇସାହିରେ ପୂଜା ପାଇ ଆସୁଛନ୍ତି ।