ସାଇରନ ବାଜିଲେ ଦୁଆର ମୁହଁରେ ସେବା ପାଇବେ ଗୃହପାଳିତ ପଶୁ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆଉ ପଶୁ ଚିକିତ୍ସା କ୍ଷେତ୍ରରେ ରହିବନି ସମସ୍ୟା। ସିଧା ସାଇରନ ବାଜିଲେ ଦୁଆର ମୁହଁରେ ଚିକିତ୍ସା ପାଇବେ ଗୃହପାଳିତ ପଶୁ । ରାଜ୍ୟରେ ଭ୍ରାମ୍ୟମାଣ ଗାଡି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଫୋନ କଲେ ଘର ଦୁଆରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ଯୋଗାଇଦେବାକୁ ଆସିବ ଗାଡି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଲୋକେ । ପଶୁପାଳନ ଚାଷୀଙ୍କୁ ସହାୟତା ପାଇଁ ଓଡିଶା ସରକାର ଅନେକ ଯୋଜନା କରିଛନ୍ତି । ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଜିଲ୍ଲାସ୍ତରରେ ଭେଟେନାରୀ ଅଫିସ ସହ ଚିକିତ୍ସାଳୟ ଖୋଲାଯାଇଛି । ପୂର୍ବରୁ ଗାଈଗୋରୁ କିମ୍ବା ଗୃହପାଳିତ ପଶୁଙ୍କୁ ରୋଗ ହେଲେ ପଶୁ ଚିକିତ୍ସାଳୟକୁ ନେବାକୁ ପଡୁଥିଲା । ଏବେ ଏହି ସମସ୍ୟାର ହେବ ସମାଧାନ ।

ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀର, ଟିଟିଲାଗଡ଼, ତୁରେକେଲା, ସଇଁତଳା, ପାଟଣାଗଡ ଓ ଲୋଇସିଂହା ବ୍ଲକ ପାଇଁ ୬ଟି ଗାଡି ଆସିଛି I ଆଗକୁ ଆହୁରୀ ୮ଟି ଗାଡି ଯୋଗାଇଦେବେ ରାଜ୍ୟ ସରକାର । ଫଳରେ ଲୋକେ ନିଜ ଘର ଦୁଆରେ ଗୃହପାଳିତ ପଶୁଙ୍କର ଚିକିତ୍ସା କରାଇପାରିବେ । ୧୯୬୨କୁ ଫୋନ କଲେ ଠିକଣା ଜାଗାକୁ ପହଞ୍ଚିବ ଏହି ଅତ୍ୟାଧୁନିକ ଭ୍ରାମ୍ୟମାଣ ଗାଡି ।