ଖୋଲିଲା ମହିଳାଙ୍କ ଭାଗ୍ୟ, ଲାଗିଲା ବଡ଼ ଲଟେରୀ

ନନ୍ଦିଘୋଷ ବ୍ୟୁରୋ: ଭାଗ୍ୟ ଦେଲା ସାଥ୍‌ । ଲାଗିଗଲା ଲଟେରୀ । ମାସକୁ ମିଳୁଛି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ବୟସର ଅପରାହ୍ଣରେ ଜଣେ ବୃଦ୍ଧା ଲଟେରୀ ଜିତି ପ୍ରତି ମାସ ୧୦ ଲକ୍ଷ ୩୭ ହଜାର ଟଙ୍କା ପାଉଛନ୍ତି । ଆଉ ଏହି ଅର୍ଥ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ଖାଲି ସେତିକି ନୁହେଁ, ଲଟେରୀରେ ମିଳୁଥିବା ମାସିକ ୧୦ ଲକ୍ଷ ୩୭ ହଜାର ଟଙ୍କା ସେ ୩୦ ବର୍ଷ ପର୍ଯ୍ୟନ୍ତ ପାଇବେ ବୋଲି କୁହାଯାଇଛି । ଯାହାକି ସମସ୍ତଙ୍କୁ ଖୁବ୍‌ ଚକିତ କରିଛି ।

କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଇଂଲଣ୍ଡର । ଡୋର୍କିଙ୍ଗ ଅଞ୍ଚଳରେ ରହୁଥିବା ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ଏକ ଲଟେରୀ ଜିତିଥିଲେ । ଯାହାର ସମୟସୀମା ୩୦ ବର୍ଷ ରହିଛି ।

ଲଟେରୀ ତଥ୍ୟ ମୁତାବକ ବୃଦ୍ଧା ମହିଳା ଜଣକ ୩୦ ବର୍ଷ ଯାଏଁ ମାସିକ ୧୦,୦୦୦ ପାଉଣ୍ଡ ପାଇବେ । ଯାହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ୩୭ ହଜାର ଟଙ୍କା । ଏହାକୁ ନେଇ ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ବୟସ ୭୦ ବର୍ଷ । ଏହି ଲଟେରୀ ତାଙ୍କୁ ଶତାୟୁ ହେବାକୁ ଅର୍ଥାତ୍‌ ୧୦୦ ବର୍ଷ ବଞ୍ଚିବାକୁ ପ୍ରେରଣା ଦେଉଛି ।

ଡୋରିସ୍ ଷ୍ଟାନବ୍ରିଜ୍ ତାଙ୍କ ୭୦ତମ ଜନ୍ମଦିନରେ ଏକ ଲଟେରୀ ଟିକେଟ କିଣିବାକୁ ମନସ୍ଥ କରିଥିଲେ । ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ସେ ଏକ ସେଟ୍ ଫର୍ ଲାଇଫ୍ ଟିକେଟ୍ କିଣିଥିଲେ । ହେଲେ ସେ ଜାଣି ନଥିଲେ ସେହି ଲଟେରୀ ତାଙ୍କର ଭାଗ୍ୟ ପରିବର୍ତ୍ତନ କରିଦେବ । ଲଟେରି କିଣି ଲଗାଇବାର ୭ଦିନ ପରେ ତାଙ୍କ ନିକଟକୁ ଏକ ମେଲ୍‌ ଆସିଥିଲା । ଯେଉଁଥିରେ ସେ ସୂଚନା ପାଇଥିଲେ କି, ତାଙ୍କୁ ୩୦ ବର୍ଷ ଯାଏଁ ମାସିକ ମାସିକ ୧୦,୦୦୦ ପାଉଣ୍ଡ ମିଳିବ । ଯାହାକୁ ଜାଣି ଡୋରିସ୍ ଷ୍ଟାନବ୍ରିଜ୍ ବହୁତ ଖୁସି ହୋଇଥିଲେ ।

ଏହି ସୂଚନା ପାଇବା ପରେ ସେ ଲଟେରୀ ଟଙ୍କାକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ଯେପରିକି ତାଙ୍କର ୫୦ ବର୍ଷର ପୁରୁଣା ଘରକୁ ନୂଆ କରିବାକୁ ଯୋଜନା ରଖିଛନ୍ତି । ତାହା ସହିତ ଅନେକ କିଛି କରିବାକୁ ସ୍ୱପ୍ନ ଦେଖିଛନ୍ତି ଡୋରିସ୍ ଷ୍ଟାନବ୍ରିଜ୍