ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ାରେ ଡବଲ ମର୍ଡର । ୨ ଜଣଙ୍କୁ ହତ୍ୟା ପରେ ପୋଡ଼ିଦେଲେ ଦୁର୍ବୃତ୍ତ । ମୃତକ ହେଲେ ଶିବ ଗୌଡ଼ ଏବଂ ଲିଟୁ ଗୌଡ଼ । ରାତି ପ୍ରାୟ ଗୋଟାଏରେ କିଛି ଦୁର୍ବୃତ୍ତ ଆସି ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି । ଗାଡ଼ି ସହ ୨ଜଣଙ୍କୁ ପୋଡି ଦେଇଛନ୍ତି ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ସୂଚନା । ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ଚିକିଟି ଏସଡିପିଓ, ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚିଛନ୍ତି ।
ବ୍ରାହ୍ମଣୀରେ ବୃଦ୍ଧ ନିଖୋଜ, ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା: ବ୍ରାହ୍ମଣୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଗାଧୋଇବା ବେଳେ କୁମ୍ଭୀର ଟାଣିନେଇଥିବା ଅଭିଯୋଗ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଘାଗରାଡିଆ ଗାଁର ଘଟଣା । ୫୫ ବର୍ଷୀୟ ଗଙ୍ଗାଧର ତରାଇ ସକାଳୁ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏତିକିବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗରେ ଅଗ୍ନିଶମ ବାହିନୀ ଓ ସାଧାରଣ ଲୋକ ଖୋଜାଖୋଜି ଜାରି ରଖିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କୁମ୍ବୀର ସହ ଦୀର୍ଘ ସମୟ ଧରି ବଞ୍ଚିବାକୁ ଲଢ଼େଇ କରିଥିଲେ ଗଙ୍ଗାଧର । କିଛି ଦିନ ଭିତରେ ୩ ଜଣଙ୍କୁ କୁମ୍ଭୀର ଟାଣିନେବା ଖବର ମିଳିଛି । ହେଲେ ଏହି କୁମ୍ଭୀର ଟାଣି ନେବା ଘଟଣା ପ୍ରଥମ ।
ଆଜି ଇଦ୍, ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠ
ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଓଡ଼ିଶାର ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ପାଳୁଛନ୍ତି । ସହରର ବିଭିନ୍ନ ମସଜିଦରେ ନମାଜ ପାଠ କରାଯିବାର ବ୍ୟବସ୍ଥା ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।
ଆଜି ମହାପ୍ରଭୁଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ: ଆଜି ଶ୍ରୀଜିଉଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ବିରାଜମାନ । ଆଜି ରଥାରୂଢ଼ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ପାଇଁ ସକାଳୁ ଚାଲିଛି ସବୁ ନୀତିକାନ୍ତି । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀଜିଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ ।
ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ
ଭୁବନେଶ୍ବର: ସାହିତ୍ୟିକ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ ୨୦୨୩ ପ୍ରଦାନ । ଗାୟତ୍ରୀବାଳା ପଣ୍ଡା ନିଜ କଲମ ମୁନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣି ସମାଜ ସଂସ୍କାର କ୍ଷେତ୍ରରେ ନୂଆ ଅଧ୍ୟାୟର ଆରମ୍ଭ କରିଥିବାରୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ପୂର୍ବରୁ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହୁରି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏଥିସହ ପ୍ରଖ୍ୟାତ କବିତା ସଂକଳନ ଦୟାନଦୀ ଲାଗି ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାଧନା ଜାରି ରଖିଛନ୍ତି ଗାୟତ୍ରୀବାଳା । ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କ କବିତା ଓ ଗଳ୍ପ ସଂକଳନ ।
ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସେହିପରି ସ୍ୱାସ୍ଥ୍ୟ, ସାହିତ୍ୟ, ଗମନାଗମନ, କଳା ସଂସ୍କୃତି, ସାମାଜିକ ନ୍ୟାୟ, ଶିକ୍ଷା କ୍ଷେତ୍ରରେ ସାମାଜିକ ସଂସ୍କାର ଆଣିବାରେ ଉଲ୍ଲେଖନୀୟ ଅବଦାନ ଥିବା ୩୨ ଜଣ ବିଶିଷ୍ଟ ମହିଳାଙ୍କୁ ଟାଇମ୍ସ ପାଓ୍ବାର ଓମେନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଓଡ଼ିଆ ଭାଷା ସଂସ୍କୃତି ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସୁଲେଖିକା ଡକ୍ଟର ଇତିରାଣୀ ସାମନ୍ତ, ପ୍ରଶାସନିକ କ୍ଷେତ୍ରରେ ଅବଦାନ ପାଇଁ ଝାରସୁଗୁଡା ଜିଲ୍ଲାପାଳ ଆବୋଲି ନରଭାନେ, ବାଲେଶ୍ବର ଏସପି ସାଗରିକା ନାଥ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ଆଣିଥିବା ଶିକ୍ଷାବିତ ଇପ୍ସିତା ଶତପଥୀ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ମାଧୁରୀ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ମହିଳାମାନଙ୍କର ସାମାଜିକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଓ ରହିଥିବ ବୋଲି ରାଜ୍ୟପାଳ କହିଛନ୍ତି । ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ବିଶିଷ୍ଟ ମହିଳାମାନେ ଅନ୍ୟ ମହିଳାଙ୍କୁ ଅଧିକରୁ ଅଧିକ ଉତ୍ସାହ ପ୍ରଦାନ କରି ସାମାଜିକ ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଆଣିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ ।
ହତ୍ୟା କରିବା ପରେ ସାଙ୍ଗ ମୃତଦେହକୁ ଚିକିତ୍ସା ବାହାନାରେ ମେଡିକାଲ ନେଲା ସାଙ୍ଗ
ଭୁବନେଶ୍ବର: ପିଟିପିଟି ମାରିଲା, ଧରାପଡିବା ଭୟରେ ମୃତଦେହକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଲା । ଧାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରି ମିଛ ନାଟକ କରୁଥିବା ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ କୋପରେଟିଭ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିବା ଅମିତ କାନୁନଗୋ ।
ଅଭିଯୁକ୍ତ ବିକାଶ ମହାପାତ୍ରର ସିରିପୁର ଅଂଚଳରେ ଏକ ପାନ ଦୋକାନ ରହିଛି । ବିକାଶ ମୃତ ଅମିତ କାନୁନଗୋଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲା । ଅମିତ ଓ ଲକ୍ଷ୍ମଣ ବିକାଶକୁ ଧାର ୨୦ ହଜାର ଟଙ୍କା ମାଗିବାକୁ ଜୁନ ୨୧ ତାରିଖ ରାତିରେ ଯାଇଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତ ବିକାଶ ଉଭୟଙ୍କୁ ନିର୍ଘାତ ମାଡ ମାରିଥିଲା । ବିକାଶର ମାଡ଼ରେ ଅମିତ ଓ ଲକ୍ଷ୍ମଣ ବେହୋସ ହୋଇ ତଳେ ପଡିଯାଇଥିଲେ । ନିଶାଶକ୍ତ ଅବସ୍ଥାରେ ମାଡ଼ ମାରିବାରୁ ଅମିତଙ୍କ ମୃତ୍ୟୁ ଘଟିଥିଲା ।
ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ଲକ୍ଷ୍ମଣକୁ ରାସ୍ତା କଡରେ ପଡିଥିବା ଦେଖି ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ନେଇଥିଲେ । ଏହାଦେଖି ବିକାଶ ଚତୁରତାର ସହ ଅମିତଙ୍କ ପତ୍ନୀଙ୍କୁ ଫୋନ କରି ସେ ମଦ ପିଇ ରାସ୍ତାରେ ପଡିଥିବା କଥା କହିଥିଲେ l ଏମିତିକି କାହାକୁ ସନ୍ଦେହ ନହେବା ପାଇଁ ଅଭିଯୁକ୍ତ ଅମିତଙ୍କ ପରିବାର ଲୋକଙ୍କ ସହ ରହିଥିଲେ l କିନ୍ତୁ ଲକ୍ଷ୍ମଣଙ୍କୁ ହୋସ ଆସିବା ପରେ ବିକାଶର ସବୁ ଚାଲ ଫେଲ ମାରିଥିଲା । ଏହାସହ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ମିଛ ନାଟକ ଉପରୁ ପର୍ଦ୍ଦା ହଟାଇଥିଲା । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ବିକାଶକୁ ଦଫା ୩୦୨ ଓ ୩୦ରେ କୋର୍ଟ ଚାଲାଣ କରିଛି ପୋଲିସ ।
ଚନ୍ଦ୍ରଶେଖର ଆଜାଦ ରାବଣଙ୍କୁ ଗୁଳିମାଡ଼
ସରହନପୁର: ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣ । ଉତ୍ତରପ୍ରଦେଶ ସରହନପୁରରେ ଗୁଳି ମାଡ଼ । ତାଙ୍କୁ ତୁରନ୍ତ ନିକଟରେ ଥିବା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରଙ୍କ ପେଟରେ ସାମାନ୍ୟ ଆଘାତ କରି ସିଟରେ ବାଜିଥିଲା ଗୁଳି ।
ସେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ଚନ୍ଦ୍ରଶେଖର ଆଜାଦ ନିଜ ସହଯୋଗୀଙ୍କ ସହ କାରରେ ଯାଉଥିବା ବେଳେ ଦେଓବନ୍ଦ ନିକଟରେ ଆଉ ଏକ ଗାଡ଼ିରେ କିଛି ଲୋକ ଆସି ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ସହରଣପୁର ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି କହିଛି ।

